
ନବୟଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଆଖୁ ବାଡରେ ନିଆଁ ଲାଗି ପୋଡିଗଲା ୫୦ ବସ୍ତା ଗୁଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ବି ପାଉଁଶ ହୋଇଗଲା । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଭଣ୍ଡାରୀଗୁଡା ଗାଁରେ ଘଟିଛି ଏହି ଦୁର୍ଘଟଣା । ନଷ୍ଟ ସାମଗ୍ରୀ ମଧ୍ୟରେ ୫୦ ବସ୍ତା ଗୁଡ, ନଗଦ ୩୦ ହଜାର ଟଙ୍କା, ୧୦ ହଜାର ଟଙ୍କାର ରେସନ୍ ସାମଗ୍ରୀ, ଗୋଟିଏ ମୋବାଇଲ୍ ଓ ଲୁଗାପଟା ରହିଛି । କ୍ଷତିଗ୍ରସ୍ତ ଚାଷୀ ହେଲେ ଭଣ୍ଡାରୀଗୁଡାର ସନଧର ଭତରା ଓ ସନସାଇ ଜାନୀ ।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣ ପ୍ରାୟ ୩ ଟାରେ ଏହି ଦୁର୍ଘଟଣା ଘଟିଛି । ସନଧର ଓ ସନସାଇ ଚଳିତ ବର୍ଷ ପାଖାପାଖି ୩ ଏକର ଜମିରେ ଆଖୁ କରିଥିଲେ । କିଛି ଦିନ ତଳେ ଆଖୁ ଅମଳ କରି ଗୁଡ ପ୍ରସ୍ତୁତ କରି ରଖିଥିଲେ । ପାଖାପାଖି ୫୦ ବସ୍ତା ଗୁଡ ରହିଥିଲା । ଆଉ ୫୦ ସେଣ୍ଟ ଜମିର ଆଖୁ କଟା ହୋଇ ରହିଥିଲା । ଆଖୁ ବାଡରେ ଅସ୍ଥାୟୀ କୁଡିଆ ରହିଥିଲା । କୌଣସି କାରଣରୁ କୁଡିଆରେ ନିଆଁ ଲାଗି ଯାଇଥିଲା । ପରେ ଏହା ଗୁଡ ବସ୍ତାକୁ ଧରିଥିଲା । ସ୍ଥାନୀୟ ଲୋକେ ତୁରନ୍ତ କୋଷାଗୁମୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିନ୍ତୁ ଦମକଳ ବାହିନୀ ପହଞ୍ଚିବା ବେଳକୁ ଗୁଡ ପୋଡି ଯାଇଥିଲା । ଦୁଇ ଚାଷୀ ଧାର କରଜ କରି ଚାଷ କରିଥିଲେ । ଅମଳ ଗୁଡ ପୋଡି ନଷ୍ଟ ହୋଇଯାଇଥିବାରୁ ଏବେ କରଜ କିପରି ଶୁଝିବେ ସେ ନେଇ ଦୁହେଁ ଚିନ୍ତାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ଦୁଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.