
ଜୟପୁର,(ବି.ବି.ନୁ୍ୟଜ): ଟିପର୍ ଧକ୍କାରେ ୨ ଯୁବକଙ୍କ ମୃତୁ୍ୟ ଘଟଣାରେ ଚାଲିଥିବା ରାସ୍ତାରୋକ ସୋମବାର ବିଳମ୍ବିତ ରାତିରେ ହଟିଥିଲା । ମୃତକଙ୍କ ସମ୍ପର୍କୀୟ ଶବ ଉଠାଇବା ପରେ ରାତି ପ୍ରାୟ ଗୋଟାଏରେ ଜାତୀୟ ରାଜପଥରେ ଗମନାଗମନ ସ୍ୱାଭାବିକ ହୋଇଥିଲା । ଏ ସମ୍ପର୍କରେ ଟାଉନ ଥାନା ପକ୍ଷରୁ ୬୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା, ରାସ୍ତାରୋକ, ଗାଡି ପୋଡ଼ି, ପୁଲିସ ଉପରକୁ ପଥରମାଡ଼, ଟ୍ରକ୍ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ, ଜନସାଧାରଣଙ୍କୁ ଆକ୍ରମଣ ଲାଗି ଉଦ୍ୟମ, ରାସ୍ତାରେ ନିଆଁ ଜାଳିବା, ମୋବାଇଲ ଏବଂ ସୁନାଚେନ୍ ଲୁଟିବା ପରି ବିଭିନ୍ନ ସଙ୍ଗୀନ ଦଫା ଲଗାଯାଇଛି । ଅନ୍ୟପକ୍ଷରେ ଶବ ଜବତ ଏବଂ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଆଜି ହସ୍ତାନ୍ତର କରାଯାଇଛି । ଜଣେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଲୋକଙ୍କ ଆକ୍ରମଣରେ ଗୁରୁତର ଥିବା ଟ୍ରକ୍ ହେଲପର ଗଣେଶ ଖାଡା(୨୪) କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଜୀବନ ସହ ସଂଘର୍ଷ କରୁଥିବା ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି । ଦୁର୍ଘଟଣାଗ୍ରସ୍ତ ଟିପର୍ ଏବଂ ୨ଟି ବାଇକ୍କୁ ଜବତ କରିଛି ପୁଲିସ ।
ଶ୍ରୀ ଗିଦ୍ଧି କହିଛନ୍ତି, ସୋମବାର ସନ୍ଧ୍ୟା ଦୁର୍ଘଟଣା ପରେ ହୋଇଥିବା ପୋଡାଜଳା, ପଥରମାଡ଼ ଘଟଣା ରାତି ୯ଟାରେ ନିୟନ୍ତ୍ରଣକୁ ଆସିଥିଲା । କ୍ଷତିପୂରଣ ଦାବି କରି ଶତାଧିକ ଲୋକ ରାସ୍ତାରୋକରେ ସାମିଲ ହୋଇଥିଲେ । ଦାବି ପୂରଣ ନହେଲେ ରାସ୍ତାରୁ ହଟିବେ ନାହିଁ କିମ୍ବା ଶବ ଉଠାଇବାକୁ ଦେବେନି ବୋଲି ଅଡି ବସିଥିଲେ । ପୁଲିସ ପ୍ରଶାସନ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ହୋଇଥିଲା । କର୍ତ୍ତବ୍ୟରତ ପୁଲିସ, ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ଢେଲାମାଡ କରିବା, ଜନସାଧାରଣ ଆକ୍ରମଣ କରିବାକୁ ଗୋଡାଇବା, ଟିପର୍ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ଜନସାଧାରଣଙ୍କ ୮ରୁ ୧୦ ଟି ମୋବାଇଲ ଛଡାଇ ନିଆଁରେ ପକାଇବା, ସୁନା ଚେନ ଲୁଟିବା ଠିକ୍ ନୁହେଁ ବୋଲି ବୁଝାଯାଇଥିଲା । ତଥାପି ସେମାନେ ମାନିନଥିଲେ । ଶେଷରେ ଉପାୟ ଶୂନ୍ୟ ହୋଇ ସମସ୍ତେ ସମୟକୁ ଅପେକ୍ଷା କରିଥିଲେ । ରାତି ପ୍ରାୟ ସାଢେ ୧୧ଟାରେ ବିକ୍ଷୋଭକାରୀମାନେ ପୁଣିଥରେ ଆସିଥିଲେ । କଥାବାର୍ତ୍ତା ପରେ ଶବ ଉଠାଇବାକୁ ରାଜି ହୋଇଥିଲେ । ରେଡ୍କ୍ରସ୍ ପକ୍ଷରୁ ଘଟଣାସ୍ଥଳରେ ଜଣେ ମୃତକଙ୍କ ଭାଇଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟ ଜଣେ ମୃତକଙ୍କ ସମ୍ପର୍କୀୟ ଉପସ୍ଥିତ ନଥିବାରୁ ତାଙ୍କୁ ଦିଆଯାଇନଥିଲା । ତାଙ୍କ ସମ୍ପର୍କୀୟଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ରାତି ପ୍ରାୟ ୧୨ଟାରେ ରାସ୍ତା ଉପରୁ ଶବ ଉଦ୍ଧାର କରାଯାଇ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଝିରେ ଠିଆ ହୋଇଥିବା ପୋଡା ଟ୍ରକ୍କୁ ରାସ୍ତା କଡ଼କୁ ଘୁଞ୍ଚାଯାଇଥିଲା ।
ଆଜି ପୂର୍ବାହ୍ନରେ ଜିଲ୍ଲା ହସପିଟାଲରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏ ସମ୍ପର୍କରେ ଏକ ଦୁର୍ଘଟଣା ମାମଲା ଟାଉନ ଥାନାରେ ରୁଜୁ କରାଯାଇଛି । ଏସ୍ଆଇ ଶୁକ୍ଳା ମଣ୍ଡଳ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ରାସ୍ତା ରୋକ, ପୋଡାଜଳା ଇତ୍ୟାଦି ଅସାମାଜିକ କାର୍ଯ୍ୟକଳାପକୁ ନେଇ ୬୦ ଜଣଙ୍କ ନାଁରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ସେମାନଙ୍କ ନାଁରେ ୧୦ରୁ ଅଧିକ ଦଫା ଲାଗିଛି । ଏସ୍ଆଇ ରିଗାନ୍ କିଣ୍ଡୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ଏନଏଚ୍-୨୬ ଭିଜିଲାନ୍ସ ଅଫିସ୍ ନିକଟରେ ଏକ ଟିପର୍(ଓଡି ୧୮ ସି- ୮୩୩୩) ୨ଟି ବାଇକ୍କୁ ଧକ୍କା ଦେଇଥିଲା । ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ । ଏଥିରେ (ଓଡି ୧୦ ଏମ୍ ୬୧୧୪ ଏବଂ ଓଆର ୧୦ ଏଫ-୧୬୭୮)ର ୨ ବାଇକ ଚାଳକ ପାରାବେଡା ଖାଲ୍ସାହିର ରାହୁଲ ନାୟକ(୨୨), ବାପୁଜୀ ନଗରର ମିଟୁ ଓରଫ ଇଣ୍ଟଲୁ ଖରା(୨୦) ଗୁରୁତର ଆହତ ହୋଇଥିଲେ । ମିଟୁଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିଲା । ଟିପରରେ ବସିଥିବା ହେଲପର୍ ଯମୁନାଗୁଡ଼ାର (ଗଣେଶ ଖଡା)ଙ୍କୁ ଉତ୍ତ୍ୟକ୍ତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ ।


Comments are closed, but trackbacks and pingbacks are open.