
ରମ୍ଭା, (ବି.ବି.ନୁ୍ୟଜ): ବୁଧବାର ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାପା ମାଆଙ୍କ ଆଖି ଆଗରେ ଚାଲିଯାଇଛି ପୁଅ ଝିଅଙ୍କ ଜୀବନ । ବାପା ମା’ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତ ଦ୍ୱୟ ହେଲେ ରମ୍ଭା ସହର ଟିକରପଡ଼ା ସାହିର ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ରଣବୀର ଓରଫ ପାର୍ଥ (୮) ଏବଂ ଝିଅ ଆଦ୍ୟସ୍ମିତା(୪) । ଗୁରୁତର ହୋଇଛନ୍ତି ଅନ୍ତର୍ଯ୍ୟାମୀ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ।
ଅନ୍ତର୍ଯ୍ୟାମୀ ଏକ ବାଇକ୍ (ଓଆର୦୭ଟି-୬୫୪୧) ଯୋଗେ ପରିବାର ସହ ଏକ ଭୋଜିରେ ଯୋଗଦେବା ପାଇଁ ଖଲ୍ଲିକୋଟ ଅଭିମୁଖେ ବାହାରିଥିଲେ । ଏହି ଯାତ୍ରା ସେମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଥିଲା । ଗଣ୍ଡାପଲ୍ଲୀ ଛକରେ ପଛପଟୁ ଏକ ସିମେଣ୍ଟ୍ ବୋଝେଇ ଟ୍ରକ୍ (ଏପି୩୧ଟିଡବ୍ଲ୍ୟୁ-୯୩୦୪) ବାଇକ୍କୁ ଧକ୍କା ଦେବାରୁ ଚାରିଜଣ ଯାକ ଝିଟିିକି ପଡ଼ିଥିଲେ । ଟ୍ରକ୍ ଚକା ତଳେ ଚାପି ହୋଇ ରଣବୀର ଓ ଆଦ୍ୟସ୍ମିତାଙ୍କ ମୃତୁ୍ୟ ଘଟିଥିବା ବେଳେ ସ୍ୱାମୀ- ସ୍ତ୍ରୀ ରାସ୍ତା ଉପରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକ ଓ ସେହି ରାସ୍ତାରେ ଯାତାୟାତ କରୁଥିବା କିଛି ଗାଡ଼ିଚାଳକ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇଥିଲେ । ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଜବତ କରିବା ସହ ଟ୍ରକ୍ ହେଲ୍ପର୍ କେ.ଆଦିନାକୁ ଗିରଫ କରିଛି । ଡ୍ରାଇଭର୍ ଫେରାର ହୋଇଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଶହ ଶହ ଜନସାଧାରଣ ଗଣ୍ଡାପଲ୍ଲୀ ଛକରେ ରାଜପଥ ଅବରୋଧ କରିଥିଲେ ।


Comments are closed, but trackbacks and pingbacks are open.