
ଜୟପୁର,(ବି.ବି.ନୁ୍ୟଜ): ଗଞ୍ଜେଇ ମାଫିଆଙ୍କ ବେଆଇନ୍ ସମ୍ପତ୍ତି ଉପରେ ନଜର ପକାଇଛି ପୁଲିସ । ବେଆଇନ ଭାବେ ରୋଜଗାର କରିଥିବା ସମ୍ପତ୍ତି ଜବତ କରିବାକୁ କୋର୍ଟଙ୍କ ଅନୁମତି ପାଇଛି । ଜଲାପୁଟରୁ ବିହାର ଚାଲାଣ ବେଳେ ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟାଜାପ୍ତ କରିବାକୁ ସଦର ପୁଲିସକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଲମତାପୁଟ ବ୍ଲକ ଜଲାପୁଟର ସୁଦର୍ଶନ ପାଣିଗ୍ରାହୀ(୨୮) ଏବଂ ସୁରୁମିର ଗୋପୀନାଥ ନିରିକା(୨୩) । ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ରହିଛି । ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସମସ୍ତ ସ୍ଥାବର ସମ୍ପତ୍ତି ଯାଞ୍ଚ ଚାଲିଛି । ଯେଉଁମାନେ ଗଞ୍ଜେଇ କାରବାରରୁ ମିଳିଥିବା ଟଙ୍କାରେ ସମ୍ପତ୍ତି କରିଥିବେ, ସେସବୁକୁ ବି ଟ୍ୟାଗ୍ କରାଯିବ ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଓଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି । ଏଭଳି ପଦକ୍ଷେପ କୋରାପୁଟ ଜିଲ୍ଲାରେ ପ୍ରଥମ ବୋଲି ସେ କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି, ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବ୍ୟାଜାପ୍ତି ଲାଗି ସଦର ପୁଲିସ ପକ୍ଷରୁ କୋଲକାତାର ଏନଡିପିଏସ୍ କମ୍ପିଟେଣ୍ଟ ଅଥରିଟିଙ୍କ ନିକଟରେ ଆବେଦନ କରାଯାଇଥିଲା । ଏ ସମ୍ପର୍କରେ ଏକ ଶୁଣାଣି ଗତ ଫେବ୍ରୁୟାରୀ ୨୪ ତାରିଖରେ ହୋଇଥିଲା । ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଶୁଣାଣିରେ ପ୍ରତିପକ୍ଷ ଓକିଲଙ୍କ ସହ ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼ ଯୋଗ ଦେଇଥିଲେ । ସମସ୍ତ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଏହାର ରାୟ ଗତ ୪ ତାରିଖରେ ହୋଇଥିଲା । ଗୋପୀନାଥଙ୍କ ବ୍ୟାଙ୍କ ଖାତାରେ ୬୭ ଲକ୍ଷ ୬୯ ହଜାର ଟଙ୍କା ଥିଲା । ସେହିପରି ସୁଦର୍ଶନଙ୍କ ବ୍ୟାଙ୍କ ଖାତାରେ ୨୧ ଲକ୍ଷ ୮୦ ହଜାର ଟଙ୍କା ଥିଲା । ସମସ୍ତ ଟଙ୍କା କରେଣ୍ଟ, ଏସ୍ବି ଏବଂ ଫିକ୍ସଡ ଡିପୋଜିଟ୍ ଆକାରରେ ଆକାଉଣ୍ଟରେ ରହିଥିଲା । ଏଥିସହ ଗଞ୍ଜେଇ ଜବତ ବେଳେ ନଗଦ ୩ ଲକ୍ଷ ୧୦ ହଜାର ଏବଂ ଏକ କାର ଜବତ କରାଯାଇଥିଲା । ଏତେ ଟଙ୍କା କେମିତି ସେମାନଙ୍କ ପାଖକୁ ଆସିଲା, ତାର ହିସାବ ଦାଖଲ କରିପାରିଲେନି ପ୍ରତିପକ୍ଷ । ନିଦେ୍ର୍ଧଶ ମୁତାବକ ସମସ୍ତ ଟଙ୍କା ବ୍ୟାଜାପ୍ତି କରାଯିବ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ଶ୍ରୀ ବେହେରାଙ୍କ ସହ ସଦର ଓଆଇସି ଆଦିତ୍ୟ ମହାକୁଡ଼ ଉପସ୍ଥିତ ଥିଲେ ।
ଶ୍ରୀ ବେହେରା କହିଛନ୍ତି, ଗଞ୍ଜେଇ କାରବାର କରି ମାଫିଆମାନେ ବେଆଇନ ଭାବେ ଅମାପ ସମ୍ପତ୍ତି ଠୁଳ କରିଛନ୍ତି । ସେମାନେ ସେସବୁକୁ ନିଜ ନାଁରେ ନରଖି ସ୍ତ୍ରୀ, ଭାଇ, ପରିବାରର ସଦସ୍ୟ, ଶ୍ୱଶୁର ଘରର ସଦସ୍ୟ, ରକ୍ତ ସମ୍ପର୍କୀୟ, ଡ୍ରାଇଭର ଏପରିକି ସେମାନଙ୍କ ପାଖରେ କାମ କରୁଥିବା ସହଯୋଗୀ ଏବଂ ଶ୍ରମିକଙ୍କ ନାଁରେ ରଖୁଛନ୍ତି । ଚାଲାଣ ବେଳେ ଧରାପଡିଲେ, ଜେଲ ଯାଉଛନ୍ତି । ଏଣେ ଉକ୍ତ ସମ୍ପତ୍ତି ସେମାନଙ୍କ ସମ୍ପର୍କୀୟ ଏବଂ ପରିବାର ଲୋକେ ଉପଭୋଗ କରୁଛନ୍ତି । ତେଣୁ ଜେଲ୍ ଯିବା ସେମାନଙ୍କ ଉପରେ କିଛି ପ୍ରଭାବ ପକାଉନି । ଫଳରେ କାରବାର କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ବେଆଇନ ସମ୍ପତ୍ତି ଜବତ ହୋଇଗଲେ ମାଫିଆମାନେ ରୋଜଗାର କରିଥିବା ସମସ୍ତ ଟଙ୍କା ସରକାରଙ୍କ ହୋଇଯିବ । ସମ୍ପତ୍ତି ତ ଯିବ, ଉପରେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଏହାକୁ ଆଖିରେ ରଖି ପୁଲିସ ପକ୍ଷରୁ ସମସ୍ତ ସମ୍ପର୍କୀୟଙ୍କ ସମ୍ପତ୍ତି ଟ୍ୟାଗ୍ କରିବାକୁ ଉଦ୍ୟମ ଜାରି ରହିଛି । ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ସମୟ ସାପେକ୍ଷ । ଏଥିଲାଗି ଆରଟିଓ, ବ୍ୟାଙ୍କ କର୍ତ୍ତୃପକ୍ଷ, ତହସିଲଦାର, ଇନକମ୍ ଟ୍ୟାକ୍ସ ସହ ଏବଂ ଅନ୍ୟ ଅଧିକାରୀଙ୍କ ସହଯୋଗ ନିଆଯାଉଛି । ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ କାରବାରରେ ୫କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ ହୋଇଥିଲା । କୋରାପୁଟ ଜିଲ୍ଲାରେ ଏହା ପ୍ରଥମ ବୋଲି ଏସଡିପିଓ କହିଛନ୍ତି ।
ସୂଚନାଥାଉ କି, ଗତ ବର୍ଷ ଅଗଷ୍ଟ ୯ରେ ଜଲାପୁଟ ଅଞ୍ଚଳରୁ ବିହାର ଚାଲାଣ ବେଳେ ୯୩୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ସଦର ପୁଲିସ । କାରବାରରେ ସମ୍ପୃକ୍ତି ଅଭିଯୋଗରେ ସୁଦର୍ଶନ, ଗୋପୀନାଥଙ୍କ ସହ ଲମତାପୁଟ ବ୍ଲକ ସୁରୁମିର ରଞ୍ଜନ ଗଡଙ୍ଗା(୨୩) ଏବଂ ସେମିଳିଗୁଡ଼ାର ଚନ୍ଦ୍ରଶେଖର ଖରା(୩୦)ଙ୍କୁ ଗିରଫ କରାଯାଇଥିଲା । ଏଥିସହ ଏକ କାର, ଟ୍ରକ୍, ୭ଟି ମୋବାଇଲ ଏବଂ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଥିଲା ପୁଲିସ । ଗିରଫ ହୋଇଥିବା ଗୋପୀନାଥ ସ୍ଥାନୀୟ ଉମୁରୀ ଅଞ୍ଚଳର ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ଥିଲା । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।


Comments are closed, but trackbacks and pingbacks are open.