
କୋଷାଗୁମୁଡା,(ବି.ବି.ନୁ୍ୟଜ):ଜବର ଦଖଲ ଉଚ୍ଛେଦ ବେଳେ ଭାଙ୍ଗି ଦିଆଗଲା ୨୮ ଟି ଷ୍ଟଲ ଓ ୨ ଟି କୁଡିଆ । ୨୮ ଜଣ ବ୍ୟବସାୟୀ ଓ ୨ ଟି ପରିବାରଙ୍କୁ ହଟାଇ ଦିଆଗଲା । ପ୍ରଶାସନର ଜବରଦଖଲ ଉଚ୍ଛେଦ ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମାରେ ଏହା ଦେଖିବାକୁ ମିଳିଛି । ଉଚ୍ଛେଦ ପରେ ନିୟନ୍ତ୍ରିତ ବଜାର କମିଟିର ୨.୫୪ ଏକର ଜମି ଦଖଲକାରୀଙ୍କଠାରୁ ମୁକ୍ତ ହୋଇଛି ।
ସୂଚନା ଅନୁସାରେ, ଏହି ଜମିକୁ ଜବରଦଖଲ କରି ଉକ୍ତ ୨୮ ଟି ବ୍ୟବସାୟିକ ପ୍ରତିÂାନ ଗଢି ଉଠିବା ସହ ଦୁଇଟି କୁଡିଆରେ ୨ ଟି ପରିବାର ରହୁଥିଲେ । କୋଡିଙ୍ଗା ତହସିଲ କୋଷାଗୁମୁଡା ମୌଜାର ଖାତା ନମ୍ବର ୬୩୩, ପ୍ଲଟ ନମ୍ବର ୬୧୦/୩୫୪୯-୮୪୯/୩୫୫୦-୮୪୯/୨୧୭୨ ଓ ଖାତା ନମ୍ବର ୬୩୫ ର ପ୍ଲଟ ନମ୍ବର ୬୦୯ ରେ ଏହି ଜମି ରହିଥିଲା । ଦୀର୍ଘ ଦିନ ହେବ ଏହି ଜମି ଜବରଦଖଲରେ ରହିଥିଲା । ଏହି ଜମିରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନୂତନ ଭାବେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ଦୋକାନ ଗୃହ ସହ ବଜାର ପାଇଁ ହାଟ ପିଣ୍ଡି ନିର୍ମାଣ କରିବାକୁ ଯୋଜନା ରହିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । କିନ୍ତୁ ଜମି ଅନ୍ୟମାନଙ୍କ ଦଖଲରେ ଥିବାରୁ ଉଚ୍ଛେଦ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ନୋଟିସ୍ କରାଯାଇଥିଲା । ଦଖଲକାରୀ ୩ ରୁ ୪ ମାସ ବାରମ୍ବାର ମହଲତ ମାଗିବା ସହ ପ୍ରକ୍ରିୟାକୁ ସ୍ଥଗିତ କରି ନେଉଥିଲେ । ଉଚ୍ଛେଦ ପାଇଁ ଏମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ବୁଧବାର ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ମାଜିଷ୍ଟେ୍ରଟ ତଥା କୋଡିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, କୋଷାଗୁମୁଡା ରାଜସ୍ୱ ନିରୀକ୍ଷକ ଅରୁଣ ପ୍ରସାଦ ବିଶୋୟୀ ଓ ପୁଲିସ ଉପସ୍ଥିତ ଥିଲେ । ଉଚ୍ଛେଦ ବେଳେ ପ୍ରଶାସନ ସହ ସମ୍ପୃକ୍ତ ଦଖଲକାରୀଙ୍କ ସାମାନ୍ୟ ବଚସା ହୋଇଥିଲେ ହେଁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା ।


Comments are closed, but trackbacks and pingbacks are open.