
ଅନୁଗୁଳ,(ବି.ବି.ନୁ୍ୟଜ): ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ିଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଲକ କମ୍ପସଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ହେଲେ, କମ୍ପସଲା ଗ୍ରାମର ପତି ସାହୁଙ୍କ ପୁଅ ପିପୁନ୍ ସାହୁ(୨୨) । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ଣରେ ପିପୁନ୍ ତାଙ୍କ ୪ ଜଣ ସାଙ୍ଗଙ୍କ ସହ ଡିନାମାଇଟ୍ ସହାୟତାରେ ମାଛ ମାରିବାକୁ ନିକଟସ୍ଥ ଟିକିରା ନାଳକୁ ଯାଇଥିଲେ । ସେଠାରେ ମାଛ ମାରିବା ପାଇଁ ଡିନାମାଇଟ୍ ଖଞ୍ଜିବାକୁ ପ୍ରସ୍ତୁତି ଚାଲିଥିଲା । ତେବେ ଡିନାମାଇଟ୍ ଧରି ନଦୀ ଗଭୀରେ ପ୍ରବେଶ କରିବା ବେଳେ ହାତରେ ବିସ୍ଫୋରଣ ଘଟିଥିଲା । ଭୟଙ୍କର ବିସ୍ଫୋରଣରେ ପିପୁନଙ୍କ ଡାହାଣ ହାତର ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୁହଁ ଓ ଛାତିରେ ଗଭୀର କ୍ଷତ ଲାଗିଥିବା ବେଳେ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.