୩ ଥର ରଶ୍ମିତାଙ୍କ ଆତ୍ମହତ୍ୟା ଉଦ୍ୟମ!

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ପରିସ୍ଥିତି ଏମିତି ଯେ, ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କଲେଣି ଜଣେ ଯୁବତୀ । ଅଣ୍ଟା ତଳକୁ ଶରୀର ଅଚଳ ହୋଇଯାଇଥିବାରୁ ବିନା ସାହାରାରେ ଉଠିବସି ପାରୁନାହାନ୍ତି । ଏଣେ ଘରେ ରୋଗାକ୍ରାନ୍ତ ବାପାମାଆ । ୮ ବର୍ଷ ହେବ ସାନ ଭାଇ କେଉଁଆଡେ ଯାଇଛି ଯେ, ଆଜି ପର୍ଯ୍ୟନ୍ତ ଖୋଜଖୋବର ନାହିଁ । ମୁଣ୍ଡ ଗୁଞ୍ଜିବାକୁ ନୂଆଣିଆ ଝାଟିମାଟିର ବଖୁରିଏ ଘର । କିଛି ଭତ୍ତା ଟଙ୍କା ଏବଂ କେଇ କେଜି ଚାଉଳ ଭରୁଛି ୩ ପ୍ରାଣୀ କୁଟୁମ୍ବର ପେଟ । ବୟସ୍କ ବାପାମାଆଙ୍କ ଅନ୍ତେ କିଭଳି ଚଳିବେ, ସେଇ ଚିନ୍ତାରେ ଅଛନ୍ତି କୁନ୍ଦୁରା ବ୍ଲକ ମସିଗାଁ ପଞ୍ଚାୟତ କୋଇଲାରୀପୁଟର କେ. ରଶ୍ମିତା(୩୬) । ପାଖରେ ଟଙ୍କା ନଥିବାରୁ ନିଜ ଚିକିତ୍ସା କରାଇ ପାରୁ ନାହାନ୍ତି । ଏ ସମ୍ପର୍କରେ ଖବର ମିଳିବା ପରେ ସ୍ୱେଚ୍ଛାସେବୀ ପବିତ୍ରମୋହନ ପାତ୍ର, କାର୍ତ୍ତିକ ରାଉତ ଏବଂ ସୁଶାନ୍ତ ପଣ୍ଡା ରଶ୍ମିତାଙ୍କୁ ଉଦ୍ଧାର କରିଛନ୍ତି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ୍ ନେଇ ଚିକିତ୍ସା କରାଇଛନ୍ତି । ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପରେ ସିଟି ସ୍କାନ୍ କରାଇଛନ୍ତି ।
କେ. ଗୋପାଳ ରାଓଙ୍କ ବଡ ଝିଅ ହେଉଛନ୍ତି ରଶ୍ମିତା । ଗୋପାଳ ଜୟପୁରରେ ରନ୍ଧାବଢା କାମ କରି ପରିବାର ଭରଣପୋଷଣ କରୁଥିବା ବେଳେ କୋଇଲାରୀପୁଟରେ ରହିଥିଲେ ରଶ୍ମିତା, ତାଙ୍କ ମା’ ଏବଂ ସାନ ଭାଇ । ଗାଁର ଜଣେ ଭଦ୍ର ବ୍ୟକ୍ତିଙ୍କ ଘରେ ଭାଇ କାମ କରୁଥିଲେ । ରହିବାକୁ ନଥିବାରୁ ଭଦ୍ର ବ୍ୟକ୍ତି ଜଣଙ୍କ ତାଙ୍କୁ ଆଶ୍ରା ଦେଇଥିଲେ । ନିଜ ଘର ପାଖରେ ଝାଟି ମାଟି ଘର କରି ରହିବାକୁ ପରାମର୍ଶ ଦେଇଥିଲେ । ସେବେଠୁ କୋଲିଆରୀପୁଟରେ ରହିଆସୁଛନ୍ତି ରଶ୍ମିତାଙ୍କ ପରିବାର । ୮ ବର୍ଷ ତଳେ ସାନଭାଇ ହଠାତ ନିଖୋଜ ହୋଇଗଲା । ଚିନ୍ତାରେ ମା’ବାପାଙ୍କୁ ମାଡ଼ିବସିଲା ରୋଗ । ୩ ବର୍ଷ ତଳେ ରଶ୍ମିତାଙ୍କ ଗୋଡ଼ ବଥା ବାହାରିଲା । କିଛି ବଥାନାଶକ ଔଷଧ ଖାଇ ଶୋଇପଡିଥିଲେ । ସକାଳୁ ଉଠିବାକୁ ବଳ ପାଇଲାନି । ଅଣ୍ଟାରୁ ତଳକୁ ଶରୀର ଅଚଳ ପରି ଲାଗିଲା । ଧୀରେ ଧୀରେ ଗୋଡ ଦୁଇଟିଯାକ ଅକାମୀ ହୋଇଗଲା । ପରିସ୍ଥିତି ଏଭଳି ହେଲା ଯେ, ଦୁଇ ଜଣ ୨ ପଟୁ ନଧରିଲେ ଠିଆ ହୋଇପାରିଲେନି । ଡାକ୍ତରଙ୍କ ପରାମର୍ଶ ପରେ ବି କିଛି ସୁଫଳ ମିଳିଲାନି । ବାପାମାଆଙ୍କ ଭରସାରେ ବଞ୍ଚିବାକୁ ଆରମ୍ଭ କଲେ ରଶ୍ମିତା । ଘର ଅବସ୍ଥା ଭଲ ନଥିବାରୁ ଅଧିକ ଚିକିତ୍ସା ଲାଗି ବଡ଼ ଡାକ୍ତରଖାନା ଯାଇପାରିଲେନି ।
ବୟସ୍କ ବାପାମାଆଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ରୋଜଗାର ଶୂନ । ଜମିବାଡି ଘରଦ୍ୱାର କିଛି ନାହିଁ । ପରିତାପର ବିଷୟ, ଗୋପାଳଙ୍କ ଆଧାର କାର୍ଡ ନଥିବାରୁ ଟଙ୍କିକିଆ ଚାଉଳ ମିଳୁନି । ମାଆ ଝିଅଙ୍କୁ ମିଳୁଥିବା ୧୦ କେଜି ଚାଉଳ ଏବଂ ହଜାରେ ଟଙ୍କା ଭତ୍ତାରେ ପରିବାର ଚଳୁଛି । ଗାଁର କେହି କେତେବେଳେ ଦୟା ଦେଖାଇ ପନିପରିବା ଅବା କିଛି ଆର୍ଥିକ ସହାୟତା କରୁଛନ୍ତି । ସବୁବେଳେ ପରହାତ ଟେକାକୁ ଅନେଇ ବସୁଛନ୍ତି ପରିବାର ଲୋକେ । ରୋଗାକ୍ରାନ୍ତ ବାପାମା’ ଏଭଳି ଦୁର୍ବିସହ ଜୀବନରୁ ମୁକ୍ତି ଲାଗି ରଶ୍ମିତା ଏକାଧିକ ବାର ଆତ୍ମହତ୍ୟା ଉଦ୍ୟମ କରିସାରିଲେଣି । ଏ ସମ୍ପର୍କରେ ଦିଗାପୁରର ଜଣେ ବ୍ୟକ୍ତି କାର୍ତ୍ତିକଙ୍କୁ ଜଣାଇଥିଲେ । ରଶ୍ମିତାଙ୍କ ଚିକିତ୍ସା କିଭଳି କରାଯାଇପାରିବ, ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
ପବିତ୍ର, କାର୍ତ୍ତିକ ଏବଂ ସୁଶାନ୍ତ ଗାଁରେ ପହଞ୍ଚି ଏକ ଅଟୋରେ ରଶ୍ମିତାଙ୍କୁ ଜିଲ୍ଲା ହସପିଟାଲକୁ ଆଣିଥିଲେ । ସମସ୍ତ ଇତିହାସ ଡାକ୍ତର ଐଶ୍ୱର୍ଯ୍ୟ କୁମାର ପୃଷ୍ଟିଙ୍କୁ ଜଣାଇଥିଲେ । ଷ୍ଟେ୍ରାକ୍ ହୋଇ ମୁଣ୍ଡରେ ରକ୍ତଜମାଟ ବାନ୍ଧିଯିବା ଯୋଗୁ ଅଣ୍ଟାରୁ ତଳକୁ କାମ କରୁନଥିବା ଡାକ୍ତର ପୃଷ୍ଟି ଆଶଙ୍କା କରିଥିଲେ । ଚିକିତ୍ସା ଅଭାବରୁ ଅବସ୍ଥା ଗୁରୁତର ଥିବା କହିଥିଲେ । ତୁରନ୍ତ ବ୍ରେନ୍ ସ୍କାନିଂ କରିବା ଲାଗି ପରମର୍ଶ ଦେଇଥିଲେ । କୋରାପୁଟ ମେଡିକାଲ କଲେଜକୁ ରେଫର କରିଥିଲେ । ଆମ୍ବୁଲାନ୍ସ ନମିଳିବାରୁ ପୁଣି ଥରେ ଅଟୋରେ ତାଙ୍କୁ କୋରାପୁଟ ମେଡିକାଲ କଲେଜ ନିଆଯାଇଥିଲା । ସେଠାରେ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପଙ୍କଜ କୁମାର ସ୍ୱର୍ଣ୍ଣକାର ଏବଂ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଗୋପାଳ ନାୟକଙ୍କ ପରାମର୍ଶକ୍ରମେ ବ୍ରେନ୍, ଟୋଟାଲ ଏବଂ ମେରୁଦଣ୍ଡର ସିଟି ସ୍କାନ୍ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ପରାମର୍ଶ ଦେବା ପରେ ରଶ୍ମିତାଙ୍କୁ ତାଙ୍କ ଗାଁରେ ଛଡାଯାଇଥିଲା । ଦୟନୀୟ ଅବସ୍ଥାରେ ଜରୀବନଯାପନ କରୁଥିବା ଏଭଳି ଏକ ପରିବାରକୁ ପ୍ରଶାସନ ଏବଂ ଜନସାଧାରଣ ସହାୟତାର ହାତ ବଢାଇବା ଦରକାର । ସରକାର ରଶ୍ମିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରି ତାଙ୍କୁ ନୂଆ ଜୀବନ ଦେବାକୁ ନିବେଦନ କରିଛନ୍ତି ଆଖପାଖର ଲୋକେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons