
ଜୟପୁର,(ବି.ବି.ନୁ୍ୟଜ): ସହର ଏବଂ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଝାଡାବାନ୍ତି । ଏଥିରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ଶିଶୁ । ଆଜି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୨୦ ଜଣ ଶିଶୁ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ମେଡିକାଲର ଶିଶୁ ବିଭାଗରେ ଭର୍ତ୍ତି ହୋଇସାରିଲେଣି ୬୭ ଶିଶୁ । ଏତେସଂଖ୍ୟକ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ସାଧାରଣରେ ଚିନ୍ତା ବଢିଯାଇଛି । ଦୂଷିତ ପାଣି ଓ ଖାଦ୍ୟ ପଦାର୍ଥ ଯୋଗୁ ଶିଶୁମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ସହରବାସୀ ସନେ୍ଦହ କରୁଛନ୍ତି । ଅନ୍ୟପକ୍ଷରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ଦୁର୍ଗା ପ୍ରସାଦ ପାତ୍ର ।
ଡାକ୍ତର ପାତ୍ର କହିଛନ୍ତି, ଏବେ ପାଗ ବରିବର୍ତ୍ତନ ହେଉଛି । ଏଥିପାଇଁ ଶିଶୁମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଏହା ଭୂତାଣୁଜନିତ ରୋଗ । ଶିଶୁମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ସଙ୍ଗେ ସଙ୍ଗେ ଓଆରଏସ୍ ପାଉଡର ଦେବା ଦରକାର । ଶରୀରରୁ ଜଳଅଂଶ କିପରି କମିବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବିଳମ୍ବ ନକରି ଡାକ୍ତରଙ୍କୁ ପରାମର୍ଶରେ ଚିକିିତ୍ସା କରିିବାକୁ ପଡିବ । ଗୁରୁତର ଥିଲେ ବି ମେଡିକାଲରେ ଭର୍ତ୍ତି କଲେ ସମସ୍ୟା ହେବ ନାହିଁ । ଦୂଷିତ ପାଣି କିମ୍ବା ବଜାରର ଖାଦ୍ୟ ପାଇଁ ଶିଶୁମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ସମ୍ଭାବନା କମ୍ । କାରଣ ଏସବୁ ଖାଦ୍ୟ ଖାଇଥିଲେ କେବଳ ଶିଶୁ କାହିଁକି,ଅନ୍ୟ ବୟସ୍କ ବି ଆକ୍ରାନ୍ତ ହୋଇଥାନ୍ତେ ।
ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ୧୨ ଜଣ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ୮ ତାରିଖରେ ୧୪, ୯ ତାରିଖରେ ୬, ୧୦ ତାରିଖରେ ୧୩, ୧୧ ତାରିଖରେ ୭, ୧୨ ତାରିଖରେ ୧୦ ଓ ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୋଟିଏ ସାହି କିମ୍ବା ଗାଁରେ ଅଧିକ ସଂଖ୍ୟକ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନଥିବା ମେଡିକାଲ୍ ରେକର୍ଡରୁ ଜଣାପଡିଛି ।


Comments are closed, but trackbacks and pingbacks are open.