ଅବସରପ୍ରାପ୍ତ ପ୍ରଫେସରଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର: ପ୍ରଫେସର ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଗାଡ଼ି ପାର୍କିଂକୁ ନେଇ ବାଲେଶ୍ୱର ସହର ଗଡ଼ଗଡ଼ିଆ ଛକ ନିକଟରେ ଫୁଟିଲା ଗୁଳିି । ଜନୈକ ଅବସରପ୍ରାପ୍ତ ପ୍ରଫେସର ହିତାହିତ ଜ୍ଞାନ ହରାଇ ଗୁଳି ମାଡ଼ କରିବାରୁ ଆନନ୍ଦ ସିଂ(୪୦) ନାମକ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ବିହାର ଅଞ୍ଚଳର । ତାଙ୍କୁ ପ୍ରଥମେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଧ୍ୟାପକ ଲକ୍ଷ୍ମଣ ବେହେରା(୬୫)ଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି ।
ଘଟଣାରୁ ପ୍ରକାଶ, ଉଭୟ ଆନନ୍ଦ ଓ ଲକ୍ଷ୍ମଣ ଗଡ଼ଗଡ଼ିଆ ନିକଟସ୍ଥ ସଞ୍ଜୟ ହାଇଟ୍ସ ନାମକ ଆପାର୍ଟମେଣ୍ଟରେ ରହୁଛନ୍ତି । ଆପାର୍ଟମେଣ୍ଟ ପରିସରରେ କାର୍ ପାର୍କିଂକୁ ନେଇ କିଛି ଦିନ ହେଲା ଆନନ୍ଦ ଓ ଲକ୍ଷ୍ମଣଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ଶନିବାର ସନ୍ଧ୍ୟା ୬ଟାରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପୂର୍ବରୁ ଏମିତି ବହୁବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖି ସିକୁ୍ୟରିଟି ଗାର୍ଡ ମଧ୍ୟ କଥାକୁ ଗୁରୁତ୍ୱ ଦେଇ ନଥିଲେ ।
ତେବେ ସନ୍ଧ୍ୟା ସାଢେ଼ ୬ଟା ବେଳେ ହଠାତ୍ ଏକ ଶବ୍ଦ ହୋଇଥିଲା । ଏହାର କିଛି ସମୟ ପରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଆନନ୍ଦ ଦୌଡ଼ି ଦୌଡ଼ି ସିକୁ୍ୟରିଟି ରୁମ୍କୁ ଆସିଥିଲେ । ଲକ୍ଷ୍ମଣ ବନ୍ଧୁକରେ ତାଙ୍କୁ ଗୁଳି କରିଥିବା ସିକୁ୍ୟରିଟି ଗାର୍ଡଙ୍କୁ ଆନନ୍ଦ କହିଥିଲେ । ସେଠାରେ ଥିବା ସିକୁ୍ୟରିଟି ଗାର୍ଡ ତୁରନ୍ତ ନିଜ ବାଇକ୍ରେ ଆନନ୍ଦଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଟାଉନା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସଦଳବଳ ଘଟଣାସ୍ଥରେ ପହଞ୍ଚି ଅବସରପ୍ରାପ୍ତ ପ୍ରଧ୍ୟାପକ ଲକ୍ଷ୍ମଣଙ୍କୁ ତାଙ୍କ ରୁମ୍ରୁ ଗିରଫ କରିଥିଲେ । ଏ ନେଇ ଗୁଳି ମାଡ଼ରେ ଆହତ ଆନନ୍ଦଙ୍କ ପତ୍ନୀ ଆଲିଶା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଆନନ୍ଦଙ୍କ ଏକ ଇଲେକଟ୍ରୋନିକ୍ସ ଦୋକାନ ରହିଛି । ସମ୍ବଲପୁରର ଗଙ୍ଗାଧର ମେହେର କଲେଜରେ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଛନ୍ତି ଲକ୍ଷ୍ମଣ । ଚାକିରିରୁ ଅବସର ନେବା ପରେ ସ୍ଥାନୀୟ ଅଞ୍ଚଳର ଗୋଟିଏ ସରକାରୀ କଲେଜରେ ସେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons