ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କେକେ(କୋରାପୁଟ-କୋତାଭାଲସା) ରେଳପଥ ମୁସୁରିଆଗୁଡ଼ାରେ ପୁସିଂ ବ୍ରିଜ୍ ଦାବି ଜୋର୍ ଧରିଲା । କୋରାପୁଟ ବ୍ଲକ ମାନବାର ପଞ୍ଚାୟତ ମୁସୁରିଆଗୁଡ଼ା ସହିତ ଗିଞ୍ଜିରିଗୁଡ଼ା ଓ ଜରଟିରେ ରେଳ ପୁସିଂ ବ୍ରିଜ୍ ଦାବି କରି ଆଜି ୬ଖଣ୍ଡ ଗାଁର ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବିଜେଡି ଓ କଂଗ୍ରେସ ଗ୍ରାମବାସୀଙ୍କ ଆନେ୍ଦାଳନକୁ ସମର୍ଥନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଗ୍ରାମବାସୀ କହିଛନ୍ତି, ମୁସୁରିଆଗୁଡ଼ା ଠାରେ ପୁସିଂ ବ୍ରିଜ ତୁରନ୍ତ କରାଯାଉ । ଏଥିସହିତ ରେଳବାଇ ପକ୍ଷରୁ ସେଠାରେ ପୋତା ଯାଇଥିବା ଲୁହାଖମ୍ବକୁ ହଟାଯାଉ । ସପ୍ତାହକ ମଧ୍ୟରେ ଦାବିପୂରଣ ନେଇ ପ୍ରଶାସନ ପଦକ୍ଷେପ ନନେଲେ ଗାଁ ନିକଟରେ ରେଳରୋକ କରାଯିବ ବୋଲି ଗ୍ରାମାବସୀ ଚେତାବନୀ ଦେଇଛନ୍ତି । କେ କେ ରେଳପଥର କୋରାପୁଟ ଠାରୁ ଜୟପୁର ଯିବା ରାସ୍ତାରେ ମୁସୁରିଆଗୁଡ଼ା ନିକଟରେ ଏକ ପୁସିଂ ରେଳବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁଦିନ ହେଲା ଦାବି କରିଆସୁଛନ୍ତି । ନିକଟରେ ଏହିସ୍ଥାନରେ ଏକ ଦୁର୍ଘଟଣା ଘଟିଥିଲା । ଏକ ମାଲବାହୀ ଗାଡ଼ି ଏହି ଅସ୍ଥାୟୀ ରାସ୍ତାରେ ଏକ ସ୍କୋର୍ପିଓକୁ ଧକ୍କା ଦେଇଥିଲା । ଫଳରେ ରେଳପଥ ପାରି ହେବାକୁ ଥିବା ଅସ୍ଥାୟୀ ରାସ୍ତାକୁ ବିଭାଗ ୪ଦିନ ତଳେ ବନ୍ଦ କରିଦେଇଛି । ରାସ୍ତା ବନ୍ଦ ହେବାରୁ ମୁସୁରିଆଗୁଡ଼ା ସହିତ ଏହାର ଆଖପାଖର ୬ଖଣ୍ଡ ଗ୍ରାମବାସୀଙ୍କ ଗମନାଗମନରେ ଏବେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏଠାରେ ଏକ ପୁସିଂବ୍ରିଜ୍ କରିବା ପାଇଁ ମୁସୁରିଆଗୁଡ଼ା ସମେତ ନାରିଆଗୁଡ଼ା, ଲାଠିଗୁଡ଼ା, ଛାଡ଼ପଦର, ମେଣ୍ଡାଗୁଡ଼ା ଓ ଜର୍ଟି ଆଦି ଗ୍ରାମାବସୀ ଦାବି କରିଛନ୍ତି । ଆଜି ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଛକ ନିକଟରୁ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବାହାରି ହାଟପଦା, ଟ୍ରାଫିକ ଛକ, କଳାନିକେତନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷେ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ ଜଣାଇ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ନିମାଇଁ ସରକାର, କଂଗ୍ରେସ ନେତା କୃଷ୍ଣ କୁଳଦୀପ୍, ରୂପକ ତୁରୁକ, ରମେଶ ବାଖିଆ, ଗୋପୀ ପଲେଇ, ଭଗବାନ ବାହିନୀପତି, କୋରାପୁଟ ବ୍ଲକ ବିଜେଡ଼ି ସଭାପତି ସଞ୍ଜୟ ମହାନ୍ତି, ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ପ୍ରମୁଖଙ୍କ ସହିତ ୬ଖଣ୍ଡ ଗାଁର ମହିଳା ଓ ପୁରୁଷମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପ୍ରକାଶ ଥାଉ କି ମୁସୁରିଆଗୁଡ଼ା ରାସ୍ତା ବନ୍ଦ ହେବା ଫଳରେ ଛୋଟ ପିଲାଙ୍କ ସ୍କୁଲଯିବା ଓ ରୋଗୀମାନେ ମେଡ଼ିକାଲ ଯିବା ପାଇଁ ସମସ୍ୟା ହେଉଛି । ପୂର୍ବରୁ ଗ୍ରାମବାସୀ ରେଳ ବିଭାଗ ଅଧିକାରୀଙ୍କୁ ଭେଟି ରେଳ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ । ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରେଳ ବିଭାଗ କର୍ଣ୍ଣପାତ କରୁନାହିଁ । ପୋଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଲେ ଏହା ସମ୍ଭବ ହୋଇପାରିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି । ଗ୍ରାମବାସୀ ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁଫଳ ନମିଳିବାରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ପୂରଣ ନହଲେ ରେଳରାସ୍ତାରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons