ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଜଳଭଣ୍ଡାର ଭିତର ଦେଇ ମୋଟର ଲଞ୍ଚରେ ରୋଗୀଙ୍କୁ ଡାକ୍ତରଖାନା ନେବା ବେଳେ ଗୁଳି ଚଳାଇଲା ପୁଲିସ୍ । ଏହାର ପ୍ରତିବାଦ କରି ବିଶାଳ ପ୍ରଜାମେଳି କରିଛନ୍ତି ସ୍ୱାଭିମାନ ଅଞ୍ଚଳର ୯ ଖଣ୍ଡ ଗାଁର ଲୋକେ । ନାକାମାମୁଡି ପଞ୍ଚାୟତର ମୁଦୁଲିଗୁଡା ଗାଁରେ ମଙ୍ଗଳବାର ଏହି ମେଳିର ଆୟୋଜନ କରାଯାଇଥିଲା । ଏଥିରେ ସାମିଲ୍ ହୋଇଥିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ । ପୁଲିସ ବିରୋଧରେ ସେମାନେ ଗର୍ଜିଥିଲେ । ଆଣିଥିଲେ ସଙ୍ଗୀନ ଅଭିଯୋଗ ।
ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ୧୩ ତାରିଖ ସନ୍ଧ୍ୟାରେ ମୁଦୁଲିଗୁଡା ଗାଁରେ ସେତା ହନ୍ତାଳ ନାମ୍ନୀ ବୃଦ୍ଧାଙ୍କ ଦେହ ଖରାପ ଥିଲା । ତାଙ୍କୁ ଏକ ମୋଟର ଲଞ୍ଚରେ ଅଣ୍ଡ୍ରାପାଲି ପଞ୍ଚାୟତର ଓରାପଦରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା । ଲଞ୍ଚରେ ୩ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ରହିଥିଲେ । ସେହି ସମୟରେ କମ୍ବିଂରେ ଯାଇଥିବା ପୁଲିସ ମାଓବାଦୀ ସନେ୍ଦହ କରି ଲଞ୍ଚ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା । ସେମାନେ ରୋଗୀ ନେଇ ଡାକ୍ତରଖାନା ଯାଉଥିବା କହିବା ପରେ ବି ପୁଲିସ କିଛି ଶୁଣିନଥିଲା । ଜୀବନ ବଞ୍ଚାଇବାକୁ ଯାଇ ଡ୍ରାଇଭର ଲଞ୍ଚଟିକୁ ଜଳଭଣ୍ଡାର ମଝିକୁ ଦେଇଯାଇଥିଲେ । ପୁଲିସ ଭୟରେ ଜଳଭଣ୍ଡାର ଭିତରେ ପୂରା ରାତି ଲଞ୍ଚରେ ବିତାଇଥିଲେ । ରାତି ପାହିବା ପରେ ନିଜ ଗାଁକୁ ଫେରିଥିଲେ । କେବଳ ସେତିକି ନୁହେଁ, ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୁଲିସ୍ ଗୁଳି ଚଳାଇବା ପରେ ମୁଦୁଲିଗୁଡା ଗାଁକୁ ଯାଇଥିଲା । ସେଠାରେ କେତେକ ଗ୍ରାମବାସୀଙ୍କୁ ମାଡ ମାରିଥିଲା । ବିଭିନ୍ନ ସମୟରେ ଯବାନମାନେ ସେମାନଙ୍କ ଉପରେ ଏଭଳି ଅତ୍ୟାଚାର କରିଆସୁଥିବା ମେଳିରେ ସେମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାରୀ ପୁନରାବୃତ୍ତି ହେଲେ ସ୍ୱାଭିମାନ ଅଞ୍ଚଳର ପିପିଲିପଦରରେ ଥିବା ବିଏସଏଫ୍ କ୍ୟାମ୍ପ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ପ୍ରଜାମେଳିରେ ମୁଦୁଲିଗୁଡା,ଆମ୍ବିଲିମେଢା, ଟିକରପଡା, ବାକୁଲି, ଲାଡିଗୁଡା, ନାରିଙ୍ଗିଝୋଲା, ରାବା, ଟାଇମାଲ ଓ ଖଜୁରୀଗୁଡା ପ୍ରଭୃତି ୯ଟି ଗାଁର ଲୋକ ସାମିଲ ହୋଇଥିଲେ । ସେମାନେ ଗାଁ ମୁଣ୍ଡରୁ ଶୋଭାଯାତ୍ରାରେ ବାହାରି ମୁଦୁଲିଗୁଡା ଡଙ୍ଗାଘାଟ ନିକଟରେ ମେଳି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons