ବଜାରରେ ଲାଞ୍ଚ ନେଉଥିଲେ, ଗିରଫ ହେଲେ ପୁଲିସ ଏସଆଇ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ଜଗତସିଂହପୁର ଟାଉନ୍ ଥାନାର ସବ୍ଇନ୍ସପେକ୍ଟର(ଏସ୍ଆଇ) ଜଣେ ଅଭିଯୋଗକାରୀଙ୍କୁ କଟକ କନ୍ଦରପୁର ବଜାରକୁ ଡକାଇ ତାଙ୍କଠାରୁ ନଗଦ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ୍ ତାଙ୍କୁ ରଂଗେହାତ୍ ମାଡ଼ି ବସିଛି । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଅଭିଯୁକ୍ତ ପୁଲିସ ଏସ୍ଆଇଙ୍କ ନାଁ ବିଶ୍ୱଜିତ ଗଡ଼ନାୟକ ବୋଲି ସୂଚନା ମିଳିଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, କଟକ ସଦର କାଚରାମାଳ ଅଞ୍ଚଳର ପ୍ରୀତମ୍ ମହାନ୍ତିଙ୍କ ସହ ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ମିଶି ଫୁଲନଖରାରେ ଫର୍ଣ୍ଣିଚର ବ୍ୟବସାୟ କରୁଥିଲେ । ବ୍ୟବସାୟର ପାର୍ଟନର ଜଗତସିଂହପୁରର ଯୁବକ ଜଣକ ପ୍ରୀତମଙ୍କଠାରୁ ନଗଦ ୧୮ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲା । ଟଙ୍କା ନେଇ ଧରାଛୁଆଁ ନଦେବାରୁ ପ୍ରୀତମ ଅଭିଯୁକ୍ତ ବ୍ୟବସାୟିକ ପାର୍ଟନରର ଗାଁକୁ ଟଙ୍କା ମାଗିବା ପାଇଁ ଗତବର୍ଷ ଯାଇଥିଲେ । ପ୍ରୀତମ ଠିକଣା ଯୋଗାଡ଼ କରି ପାର୍ଟନର ଘରେ ପହଞ୍ଚି ଟଙ୍କା ମାଗିବା ପରେ ଅଭିଯୁକ୍ତ ଓ ତାର ପରିବାର ଲୋକେ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ମାଡ଼ ଖାଇ ଫେରିବା ପରେ ପ୍ରୀତମ ଘଟଣା ବାବଦରେ ଜଗତସିଂହପୁର ଥାନାରେ ଗତବର୍ଷ ଏତଲା ଦେଇଥିଲେ । ଥାନା ଏସ୍ଆଇ ଶ୍ରୀ ଗଡ଼ନାୟକ ଏତଲା ରଖି ଅଭିଯୁକ୍ତକୁ ଥାନାକୁ ଡକାଇ ତା ସହ ପରବର୍ତ୍ତୀ ସମୟରେ ବୁଝାମଣା କରାଇଥିଲେ । ଟଙ୍କା ନେଇଥିବା ଅଭିଯୁକ୍ତ ବ୍ୟବସାୟିକ ପାର୍ଟନର ୧୮ ଲକ୍ଷ ଟଙ୍କା ବଦଳରେ ୯ ଲକ୍ଷ ଟଙ୍କା ଦେବ ବୋଲି ଏସ୍ଆଇ ସ୍ଥିର କରିଥିଲେ । ବୁଝାମଣା ହେବାର ୨ ମାସ ଭିତରେ ଅଭିଯୁକ୍ତ ପାର୍ଟନର ପ୍ରୀତମଙ୍କୁ ୬ ଲକ୍ଷ ଟଙ୍କା ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆଉ ବକେୟା ୩ ଲକ୍ଷ ଟଙ୍କା ସେ ଦେଇନଥିଲା କିମ୍ବା ପ୍ରୀତମଙ୍କୁ ଧରାଛୁଆଁ ମଧ୍ୟ ଦେଇନଥିଲା । ଟଙ୍କା ପାଇବା ଆଶାରେ ପ୍ରୀତମ ପୁନର୍ବାର ଅଭିଯୁକ୍ତର ଗାଁରେ ପହଞ୍ଚି ଟଙ୍କା ମାଗିବାରୁ ପୂର୍ବ ପରି ପୁଣି ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ଏଥିରେ ନିରାଶ ହୋଇ ପ୍ରୀତମ ପୁନର୍ବାର ଜଗତସିଂହପୁର ଥାନାରେ ପହଞ୍ଚି ଏସ୍ଆଇ ଗଡ଼ନାୟକଙ୍କୁ ଜଣାଇଥିଲେ । ଟଙ୍କା ଫାଙ୍କୁଥିବା ଅଭିଯୁକ୍ତଠାରୁ ଟଙ୍କା ଫେରସ୍ତ ଆଣିବାର ବନେ୍ଦାବସ୍ତ କରିବା ବଦଳରେ ପୁଲିସ୍ ଅଧିକାରୀ ଜଣକ ପ୍ରୀତମଙ୍କୁ ନିରାଶ କରିଥିଲେ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ୬ ଲକ୍ଷ ଟଙ୍କା ପାଇଲା ବେଳେ ଟଙ୍କାଟିଏ ଦେଲୁନାହିଁ, ତେଣୁ ୩ ଲକ୍ଷ ଟଙ୍କା ପାର୍ଟନରଠାରୁ ଆଣିବାର ବନେ୍ଦାବସ୍ତ କରାଇଲେ ମୁଁ ୨ ଲକ୍ଷ ଟଙ୍କା ଆଗୁଆ ନେବି ବୋଲି ଏସ୍ଆଇ ଶ୍ରୀ ଗଡ଼ନାୟକ ପ୍ରୀତମଙ୍କ ପାଖରେ ମୂଲଚାଲ୍ କରିଥିଲେ ବୋଲି ପ୍ରୀତମ ଭିଜିଲାନସ ନିକଟରେ ଅଭିଯୋଗ କରିଛନ୍ତି । ଏମିତିକି ଅଗ୍ରୀମ ଆକାରରେ ୨ ଲକ୍ଷ ଟଙ୍କା ନେବା ପାଇଁ ପ୍ରୀତମଙ୍କ ପାଖରେ ଅଭିଯୁକ୍ତ ପୁଲିସ୍ ଏସ୍ଆଇ ଶ୍ରୀ ଗଡ଼ନାୟକ କିଛି ଦିନ ହେଲା ଦାବି କରିଆସୁଥିଲେ ।
ଆଜି ସନ୍ଧ୍ୟା ସୁଦ୍ଧା କନ୍ଦରପୁର ବଜାରକୁ ୨ ଲକ୍ଷ ଟଙ୍କା ଆଣି ଆସିବା ପାଇଁ ଅଭିଯୁକ୍ତ ଏସ୍ଆଇ ପ୍ରୀତମଙ୍କୁ କହିଥିଲେ । ଏକ ସମୟରେ ୨ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ, ଏବେ ପାଖରେ ୫୦ ହଜାର ଟଙ୍କା ଅଛି, ବାକି ଆଉ ଦେଢ଼ ଲକ୍ଷ ଟଙ୍କା ଯୋଗାଡ଼ କରି ପରେ ଦେବା ପାଇଁ ପ୍ରୀତମ ଏସ୍ଆଇ ଗଡ଼ନାୟକଙ୍କୁ ସମୟ ମାଗିଥିଲେ । ମାତ୍ର ଏଥିରେ ଏସ୍ଆଇ ଗଡ଼ନାୟକ ବିରକ୍ତ ହେବା ସହ ପାଖରେ ଯେଉଁ ୫୦ ହଜାର ଟଙ୍କା ଅଛି ତାକୁ ତୁରନ୍ତ ଆଣି କନ୍ଦରପୁର ବଜାରରେ ମୋ ପାଖରେ ପହଞ୍ଚ ବୋଲି ଧମକ ଦେଇଥିଲେ । ପୁଲିସ୍ ଏସ୍ଆଇଙ୍କ ଏପରି ଶୋଷଣରେ ହତାଶ ହୋଇ ପ୍ରୀତମ ଆଜି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ଲାଞ୍ଚୁଆ ପୁଲିସ୍ ଅଫିସରଙ୍କୁ ଧରିବା ପାଇଁ ଟଙ୍କା ଦିଆନିଆ ପୂର୍ବରୁ କନ୍ଦରପୁର ବଜାରରେ ପହଞ୍ଚି ଜଗି ରହିଥିଲେ । ପ୍ରୀତମ ବଜାର ନିକଟରେ ୫୦ ହଜାର ଟଙ୍କା ଏସ୍ଆଇ ଶ୍ରୀ ଗଡ଼ନାୟକଙ୍କୁ ହାତଗୁଞ୍ଜା ଦେବା ମଧ୍ୟରେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ଲାଞ୍ଚୁଆ ପୁଲିସ୍ ଅଫିସରଙ୍କୁ ଘଟଣାସ୍ଥଳରେ ମାଡ଼ିବସିଥିଲେ । ଅଭିଯୁକ୍ତ ଏସ୍ଆଇ ଗଡ଼ନାୟକଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେ ୨୦୧୭ରେ ପୁଲିସ୍ ଚାକିରିରେ ନୂଆ କରି ଯୋଗ ଦେଇଥିଲେ । ଆଜି ସନ୍ଧ୍ୟାରେ ଅଭିଯୁକ୍ତ ଏସ୍ଆଇ ଗଡ଼ନାୟକ ଭିଜିଲାନ୍ସ ହାତରେ ଧରାପଡିବା ପୂର୍ବରୁ ଜଗତସିଂହପୁରର ଜଣେ ଠିକାଦାରଙ୍କ ଗାଡ଼ିରେ ସନ୍ଧ୍ୟାରେ ବୁଲୁଥିବାର କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭିଜିଲାନ୍ସ ଟିମ୍ ଏବେ ତାଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons