
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): କେନ୍ଦ୍ରାପଡା ପୌରାଞ୍ଚଳ ଅଧୀନ ବଡ଼ହାଟ ଇମାମବାଡ଼ା ମୌଜାରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଘରେ ଶୋଇଥିବା ୫ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡରେ ୩ ପରିବାରର ପ୍ରାୟ ୩୦ ସଦସ୍ୟ ବାସହରା ହୋଇଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । ପିନ୍ଧାବସ୍ତ୍ର ବ୍ୟତୀତ ବିପନ୍ନଙ୍କ ପାଖରେ ଆଉ କିଛି ନାହିଁ । ନିଅାଁର ଅାଁରେ ସବୁ କିଛି ଜଳି ଛାରଖାର୍ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସହରର ଇମାମବାଡ଼ାରେ ତାଜୁ ଖାଁ, ସେକ ବାବୁ, ସେକ ସମିରୁଦ୍ଧିନ, ଫକୀର ଖାନ, ସେକ ହୋସନ, ଅଫସାନା ବିବି ପ୍ରମୁଖଙ୍କ ପରିବାର ବସବାସ କରିଆସୁଛନ୍ତି । ରବିବାର ରାତି ପ୍ରାୟ ୪ଟା ବେଳେ ବିଦୁ୍ୟତ୍ ସଟ୍ସର୍କିଟରୁ ଅଗ୍ନିକାଣ୍ଡ ଘଟି ସେମାନଙ୍କ ୮ବଖରା ଚାଳଛପର ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିିଥିଲେ ବି ସେତେବେଳକୁ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ସାରିଥିଲା । ଘରେ ଶୋଇଥିବା ବେଳେ ସେକ୍ ଶୋଭନଙ୍କ ପୁଅ ସେକ୍ ହୋସନ(୨୫), ସେକ୍ ତଫିରୁଦ୍ଧିନଙ୍କ ପୁଅ ସେକ ବାବୁ(୪୮), ସେକ୍ ସମିରୁଦ୍ଧିନଙ୍କ ପତ୍ନୀ ଅଫସାନା ବିବି(୨୫), ସେକ୍ ବାବୁଙ୍କ ପୁଅ ସେକ୍ ସମିରୁଦ୍ଧିନ(୨୩) ଓ ସେକ୍ ସମିମ୍ଉଦ୍ଧିନ(୨୩) ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିବିପନ୍ନମାନେ ଗରିବ ଦିନମଜୁରିଆ ହୋଇଥିବାରୁ ସେମାନଙ୍କୁ ମାଗଣା ଚିକିତ୍ସା ସହ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।
Comments are closed, but trackbacks and pingbacks are open.