ରେସନକାର୍ଡରୁ ବଞ୍ଚିତ ଦୁଇ ପରିବାର

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ରେସନକାର୍ଡ ପାଇଁ ସେମାନେ ବହୁବାର ଆବେଦନ କରିଛନ୍ତି । କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ତଥାପି ଦୀର୍ଘ ୬ ବର୍ଷ ହେଲା ରେସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତ ବାତ୍ରୀଗୁଡା ଗାଁର ଦୁଇ ପରିବାର । ସେମାନେ ହେଲେ ପଦୁ ନନ୍ଦିବାଲି, ଶୁକାର ନନ୍ଦିବାଲି, କମଲୁ ନନ୍ଦିବାଲି ଓ ଲଳିତା ନନ୍ଦିବାଲିଙ୍କ ଦୁଇ ସନ୍ତାନ ।
ହିତାଧିକାରୀମାନଙ୍କ କହିବାନୁଯାୟୀ, ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସେମାନଙ୍କୁ ସାମିଲ କରିବା ଲାଗି ଆବଶ୍ୟକ ପ୍ରମାଣପତ୍ର ଓ କାଗଜପତ୍ର ଦେଇ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟରେ ଆବଦେନ କରିଛନ୍ତି । ଥରେ କିମ୍ବା ଦୁଇଥର ନୁହେଁ, ଦୀର୍ଘ ୬ ବର୍ଷ ଭିତରେ ବହୁବାର ଆବେଦନ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ରେସନକାର୍ଡ ପ୍ରଦାନ କରାଯାଉନାହିଁ । ଫଳରେ ପିଡିଏସ୍ ସାମଗ୍ରୀଠାରୁ ଆରମ୍ଭ କରି ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ କାହିଁକି ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।
ସେମାନେ ଗରିବ ପରିବାର । ପୈତୃକ ସମ୍ପତି ନଥିବାରୁ ଗାଁଠାରୁ ୮ କିମି ଦୂର ଦାମନଯୋଡିର ଆଲୁମିନା କାରଖାନାରେ ଠିକାଦାର ଅଧୀନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ସେଥିରୁ ଯାହା ରୋଜଗାର କରୁଛନ୍ତି, ସେଥିରେ ସେମାନଙ୍କ ତେଲଲୁଣର ସଂସାର ଚଳୁଛି । ରେସନକାର୍ଡ ପାଇଁ ପିଇଓ ସନ୍ନ୍ୟାସୀ ନାୟକଙ୍କୁ ବାରମ୍ବାର ଫର୍ମ ପୂରଣ କରି ଦେଇଛନ୍ତି । ଯୋଗାଣ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନିରାଶ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ରେସନକାର୍ଡ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଆମେ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଭାତ ରଞ୍ଜନ ଶତପଥୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲୁ । ସେ ଫୋନ୍ ଉଠାଉନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons