
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଦୀର୍ଘ ୧୧ ଘଣ୍ଟାର ପରିଶ୍ରମ ପରେ ଜୈନ ଗାର୍ମେଣ୍ଟସ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ । ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସହକାରୀ ଷ୍ଟେସନ୍ ଅଫିସର ସୁବାଶିଷ ମୁଦୁଲି କହିଛନ୍ତି ଯେ, ମାଲିକଙ୍କ ଅସହଯୋଗ କାରଣରୁ ନିଆଁ ଆୟତ୍ତ କରିବାରେ ବିଳମ୍ବ ହେଲା । ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଦୋକାନ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ ।
ସୂଚନାଥାଉକି, ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟାରେ ଲୁଗା ଦୋକାନର ଉପର ମହଲାରୁ ଧୂଅାଁ ବାହାରୁଥିବା ଲୋକେ ଦେଖିଥିଲେ । ଏ ସମ୍ପର୍କରେ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯିବା ପରେ ୩ଟି ଗାଡିÿ ସହ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ । କୋଠାର ଉପର ମହଲାର ୭ଟି କୋଠରୀରେ ନିଆଁ ବ୍ୟାପିଯାଇଥିବାରୁ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି ଏବଂ ଡାବୁଗାଁ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀଙ୍କୁ ଡକାଯାଇଥିଲା । କର୍ମଚାରୀମାନେ ୬ଟି ଗାଡିÿ ନେଇ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ । ଅଗ୍ନିକାଣ୍ଡ ଯୋଗୁ ୨୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ପୁଲିସ୍କୁ ନାକେଦମ ହେବାକୁ ପଡିÿଥିଲା । ଖବରପାଇ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଧବାର ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଏ ସମ୍ପର୍କରେ ଅଗ୍ନିଶମ ସହକାରୀ ଷ୍ଟେସନ ଅଫିସର ଶ୍ରୀ ମୁଦୁଲି କହିଛନ୍ତି, ଦୋକାନ ମାଲିକଙ୍କ ଅସହଯୋଗରୁ ନିଆଁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା । ମାଲିକ କୋଠାରୁ ଲୁଗାପଟା ବାହାର କରିବା ଲାଗି ଦୀର୍ଘ ସମୟ ନେଇଥିଲେ । ସୋ’ରୁମ୍ର କାଚଗୁଡିକୁ ଭାଙ୍ଗିବା ପାଇଁ ମନା କରି ଦେଇଥିଲେ । ଧୂଆଁ ଯୋଗୁ ବିଭାଗୀୟ କର୍ମଚାରୀମାନେ କୋଠାର ଉପର ମହଲା ଯିବାକୁ ବାଟ ପାଇନଥିଲେ । କୁହୁଳୁଥିବା ନିଆଁ ଶେଷକୁ ଉଗ୍ରରୂପ ନେଇଥିଲା । ନବରଙ୍ଗପୁର ଅଗ୍ନିଶମ କର୍ମଚାରୀଙ୍କ ସହ ଅନ୍ୟମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ ।
ଅନ୍ୟପକ୍ଷରେ ସହରର ଅଧିକାଂଶ ସପିଙ୍ଗମଲ ଓ ବଡ଼ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଅଧିକାଂଶ ଦୋକାନ ଗୋଟିଏ ଫେଜ୍ ବିଦୁ୍ୟତ୍ ଲାଇନ୍ରେ ଅଧିକ ଲୋଡ୍ ଦିଆଯାଉଛି । ଫଳରେ ସଟ୍ସର୍କିଟ୍ ହେବା ସମ୍ଭାବନା ରହୁଛି । ପ୍ରଶାସନ ପକ୍ଷରୁ ଏ ଦିଗରେ ଗୁରୁତ୍ୱ ଦେଇ ଅଗ୍ନି ନିରାପତ୍ତା ଯାଞ୍ଚ କରି ଆଗୁଆ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.