
ଭଞ୍ଜନଗର,(ବି.ବି.ନୁ୍ୟଜ): ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ନୂଆ ଦୁରିଙ୍ଗି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଆଜି ୩୨ଟି ପରିବାରର ସର୍ବସ୍ୱାନ୍ତ ହୋଇଯାଇଛି । ନିଅାଁର ଅାଁରେ ଗୋଟିଏ ପରେ ଗୋଟିଏ ଘର ଜଳିବାକୁ ଲାଗିଲା । ବିପନ୍ନ ପରିବାର ପିଲା ଛୁଆଙ୍କୁ ଧରି ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ।
ବୁଧବାର ମଧ୍ୟାହ୍ନ ଘଟଣା । ଗାଁର ଅଧିକାଂଶ ପୁରୁଷ ଓ ମହିଳା ଦିନ ମଜୁରିଆ ହୋଇଥିବାରୁ ସୋମାନେ ଏକ ରାସ୍ତା କାମକୁ ଚାଲିଯାଇଥିଲେ । ଆଉ କିଛି ପରିବାର ଗାଁରେ ରହିଥିଲେ । ସଂପୃକ୍ତ ସାହିର ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ନିଅାଁ ବାହାରିଥିଲା । ତା’ପରେ ଗୋଟିଏ ପରେ ଗୋଟିଏ ଘରକୁ ନିଅାଁ ବ୍ୟାପିବାରେ ଲାଗିଲା । ଗ୍ରାମବାସୀ ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ । ନିଅାଁର ପ୍ରକୋପ ଏତେ ଜୋର ରହିଥିଲା ଯେ ଲିଭାଇବା ସମ୍ଭବ ହୋଇନଥିଲା । ପାଣିର ମଧ୍ୟ ସୁବିଧା ନଥିଲା । ଘର ଭିତରୁ କୌଣସି ଜିନିଷ ଉଦ୍ଧାର କରିବା ସମ୍ଭବ ହୋଇ ପାରିଲାନି । ଲୁଗା ଠାରୁ ବାସନ କୁସନ, ଧାନ, ଚାଉଳ, ବହି, ଜରୁରି କାଗଜ, ଟଙ୍କା ଆଦି ସବୁ ପୋଡ଼ି ନଷ୍ଟ ହୋଇଗଲା । ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛି । ସନ୍ଧ୍ୟା ସୁଦ୍ଧା ରାଜସ୍ୱ ନୀରିକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପଞ୍ଚାୟତ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଛି । ଏହି ଗାଁର ରାମେଶ୍ୱର ମଳିକ, ଶତ୍ରୁଘନ ମଳିକ, ବିପ୍ର ମଳିକ, ଗଙ୍ଗାଧର ମଳିକ, ସିମାଞ୍ଚଳ ମଳିକ, ଡମ୍ବରୁଧର ମଳିକ, ବିଧାୟକ ମଳିକ, ଜିଶୁ ମଳିକ, ପୂର୍ଣ୍ଣଚନ୍ଦ୍ର ମଳିକ, ପ୍ରତାପ ଜାନୀ, ରୋହିତ ଜାନୀ, ବାଳକୃଷ୍ଣ ଜାନୀ, ଦ୍ୱିତୀକୃଷ୍ଣ ମଳିକ, ରାଧାକୃଷ୍ଣ ମଳିକ, ସୁନାଧର ମଳିକ, ପ୍ରଦୀପ ମଳିକ, ଜେମା ମଳିକ, ଶରତ ମଳିକ, ବିଦ୍ୟାଧର ପ୍ରଧାନ ଓ ବିପିନ ମଳିକ ପ୍ରମୁଖଙ୍କ ଘରପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ସମସ୍ତେ ଗରିବ ଶ୍ରେଣୀର ହୋଇଥିବାରୁ, ଏମାନଙ୍କ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।


Comments are closed, but trackbacks and pingbacks are open.