
ବାଲିଗୁଡ଼ା,(ବି.ବି.ନୁ୍ୟଜ): ରବିଙ୍ଗିଆ ଜଙ୍ଗଲ ମାଟିତଳୁ ନରକଙ୍କାଳ ଠାବ ଘଟଣାର ପର୍ଦ୍ଧାଫାସ କରିଛି ବାଲିଗୁଡ଼ା ପୁଲିସ । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜାଣିବାକୁ ପାଇଛି । ସମ୍ପୃକ୍ତ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ କୋଡ଼ି, ପିକାଶ ଓ ଏକ କାଠ ଫାଳିଆକୁ ପୁଲିସ ଜବତ କରିଛି । ଗିରଫମାନେ ହେଲେ ରେବିଙ୍ଗିଆ ପଞ୍ଚାୟତ ପଡ଼ିଗାଁର ଗ୍ରାମର ଅଜୁ ବର୍ଗତି, ବିପିନ ବଗର୍ତ ଓ ଭଇରା ଗୌଡ଼ ବୋଲି ବୁଧବାର ବାଲିଗୁଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଏସ୍ଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ ।
ପୁଲିସ ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ଅଧୀନ ରେବିଙ୍ଗିଆ ପଞ୍ଚାୟତ କୁଟିଗୁଡ଼ା ଗ୍ରାମର ଟିକୁନୁ ଗୌଡ଼ ଫେବ୍ରୁଆରୀ ୨୨ ତାରିଖରୁ ରେବିଙ୍ଗିଆକୁ ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ମାର୍ଚ୍ଚ ୪ ତାରିଖରେ ବାଲିଗୁଡ଼ା ଥାନାରେ ଟିକୁନୁଙ୍କ ପୁଅ ଫିରୋଜ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ୫୮/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ହେଲେ ମାର୍ଚ୍ଚ ୨୫ ତାରଖ ଦିନ ରେବିଙ୍ଗିଆ ଜଙ୍ଗଲର ମାଟିଭିତରୁ ଏକ ନରକଙ୍କାଳ ଠାବ କରିଥିଲା ପୁଲିସ । ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଁଞ୍ଚô ତାହା ଟିକୁନୁଙ୍କ ବୋଲି ଚିହ୍ନଟ କରିଥିଲେ । ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆଗକୁ ନେଇଥିଲା । ପରେ ଘଟଣାରେ ସମ୍ପୃକ୍ତ ତିନିଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଜୟ ବର୍ଗତି ଓ ବିପିନ ବର୍ଗତି ଦୁଇ ଭାଇ ରହିଥିବା ବେଳେ ଏମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟିକୁନୁକୁ ହତ୍ୟା କରିଥିବା କହିଛନ୍ତି । ସେମାନେ ଭଇରା ଗୌଡ଼ ପାଖରୁ କୋଡ଼ି, ପିକାଶ ନେଇ ହତ୍ୟା କରିଥିବା ସେମାନେ ପୁଲିସ ଆଗରେ ବୟାନ ଦେଇଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.