
କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ବଟି ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାବୁଲି ପଲେଇ, ରଞ୍ଜିତ ବାରିକ, ଲକ୍ଷ୍ମଣ ବାରିକ ଓ ପ୍ରହ୍ଲାଦ ବାରିକ । ବାବୁଲି ବାଂଶପାଳ ବ୍ଲକ୍ର ଉପାଧ୍ୟକ୍ଷ ଏବଂ ଶାସକ ଦଳ ସମର୍ଥକ ହୋଇଥିବା ବେଳେ ରଣଜିତ ଓ ଲକ୍ଷ୍ମଣ ବିଜେପି ସମର୍ଥକ । ଓଏମ୍ସି ଖଣିରୁ ଲୋଡିଂ ଦାୟିତ୍ୱ ନେଇଥିବା ଗନ୍ଧମାର୍ଦ୍ଧନ ଏଜେନ୍ସିରୁ ସେମାନେ ବଳପୂର୍ବକ ଭୟଭୀତ କରି ସମ୍ପାଦକ ଉକ୍ରଳ ଦାସଙ୍କ ଠାରୁ ଶ୍ରମିକ ପାରିଶ୍ରମିକ ପାଇଁ ୩୦ ଲକ୍ଷ ଟଙ୍କାର ଚେକ୍ ନେଇ ଯାଇଥିବାରୁ ସଦର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବଟି ମାଗି ଉଭୟ ବିଜେଡି ଓ ବିଜେପିର ସମର୍ଥକ ଗିରଫ ହେବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି ।
ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିର ସମ୍ପାଦକ ଉକ୍ରଳ ଦାସଙ୍କ ଅଭିଯୋଗ ଅନୁଯାୟୀ ସେ ଅଫିସ୍ରେ ବସି କାମ କରୁଥିବା ବେଳେ ପଞ୍ଚାନନ ବାରିକ, ରଞ୍ଜିତ ବାରିକ, ଲକ୍ଷ୍ମଣ ବାରିକ ସମେତ ଅନ୍ୟ ୧୦ ଜଣ ଶ୍ରମିକ ପାଉଣା ବାବାଦକୁ ୩୦ ଲକ୍ଷ ଟଙ୍କା ମାଗିଥିଲେ । ଯେହେତୁ ୨ ଦିନ ପୂର୍ବରୁ ଶ୍ରମିକମାନଙ୍କ ପାଉଣା ପ୍ରଦାନ କରାଯାଇଛି ସମ୍ପାଦକ ଶ୍ରୀ ଦାସ ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ । ଏହି ଘଟଣା ପରେ ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେବା ସହିତ ଜୀବନରୁ ମାରି ଟାଙ୍ଗି ଦେବେ ବୋଲି ଚେତାବନୀ ଦେଇଥିଲେ । କେଉଁ କାରଣରୁ ସେ ଟଙ୍କା ଦେବେ ଉପଯୁକ୍ତ ଯଥାର୍ଥ ନଥିଲେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଶ୍ରୀ ଦାସ କରିଥିଲେ । ଏହି ଘଟଣା ପରେ ଅଭିଯୁକ୍ତମାନେ ଦାଦାବଟି ବାବଦକୁ ପ୍ରତି ମାସରେ ଟଙ୍କା ନ ମିଳିଲେ ଘରୁ ପଦାକୁ ବାହାରିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇ ୪ଟି ସେଲ୍ଫ ଚେକ୍ରେ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଁଏ ଲେଖି ଦସ୍ତଖତ କରିବାକୁ ଧମକ ଦେଇଥିଲେ । ମାତ୍ର ସେଲ୍ଫ ଚେକ୍ ଦେବା ସମ୍ଭବ ନୁହେଁ ବୋଲି କହିବା ପରେ ବ୍ଲକ ଉପାଧ୍ୟକ୍ଷ ବାବୁଲି ପଲେଇ ଓ ବିଜେପିର ଦୁଇ ନେତା ରଞ୍ଜିତ ବାରିକ, ଲକ୍ଷ୍ମଣ ବାରିକ ଏବଂ ପ୍ରହ୍ଲାଦ ବାରିକଙ୍କ ନାମରେ ୪ଟି ଚେକ୍ କାଟି ଜବରଦସ୍ତ ଦସ୍ତଖତ କରାଇ ନେଇଥିଲେ । ଏହି ଘଟଣାକୁ ନେଇ ଶୁଆକାଟି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସମ୍ପାଦକ ଶ୍ରୀ ଦାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୨୫ା୨୧ ରେ ମାମଲା ରୁଜୁ କରି ଦଫା ୩୪୧, ୩୮୬, ୨୯୪, ୩୪ ଆଇପିସିରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଗତ ୫ ମାସ ହେବ ଲୋଡିଂ ଏଜେନ୍ସିର ଅର୍ଥ ବେଆଇନ ଭାବେ ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି । ସମବାୟ ବିଭାଗ ପକ୍ଷରୁ ଏହାର ତଦାରଖ ପାଇଁ ଜଣେ ଆଡମିନିଷ୍ଟେ୍ରଟର ନିଯୁକ୍ତ ହୋଇଥିଲେ ମଧ୍ୟ ସେ ଏଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । ଶୁଆକାଟୀସ୍ଥିତ ପାଟେଶ୍ୱର ମହାବିଦ୍ୟାଳୟର ଜଣେ କର୍ମଚାରୀ ମଧ୍ୟ ଶୁଆକାଟୀ ଲୋଡିଂ ଏଜେନ୍ସିରେ କ୍ୟାସିୟର ଭାବେ କାମ କରୁଛନ୍ତି । ଜଣେ ସରକାରୀ କର୍ମଚାରୀ ୨ଟି ସ୍ଥାନରେ କିପରି କାମ କରୁଛନ୍ତି ତାହାର ତଦନ୍ତ କରିବାକୁ ଡିଆର୍ସିଏସ୍ଙ୍କ ନିକଟରେ ଦାବି ହେବା ସହ ଗତ ୫ ମାସରେ ଆୟବ୍ୟୟର ସ୍ୱତନ୍ତ୍ର ଅଡିଟ୍ ସମବାୟ ବିଭାଗ ଦ୍ୱାରା କରାଯାଇ ଅନିୟମିତତାର ପର୍ଦ୍ଧାଫାସ ସହ ଆର୍ଥିକ ଅନିୟମିତତା କରିଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


Comments are closed, but trackbacks and pingbacks are open.