ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

Get real time updates directly on you device, subscribe now.

ବନ୍ଧୁଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): କାମରେ ଆସୁନି ୧୦ଲକ୍ଷ ଟଙ୍କାର ଜଳପ୍ରକଳ୍ପ । ଗ୍ରୀଷ୍ମଋତୁରେ ପାନୀୟଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ତୁରନ୍ତ ଅଚଳ ଜଳପ୍ରକଲ୍ପ ଓ ନଳକୂଅଗୁଡିକର ମରାମତି କରିବାକୁ ଦାବି କରିଛନ୍ତି ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତବାସୀ । ଆଜି ବିଜେଡି ନେତା ଜି.ଗୁରୁମୂର୍ତ୍ତି, ଏସ୍.ତାତାବାବୁ, ବିଜେପି ବ୍ଲକ ସଭାପତି ମଧୁ ଘାଣ୍ଟା, ଚାଷୀ ମୂଲିଆ ନେତା ମାଲି କେଣ୍ଡୃକା, ଗାଣ୍ଟା ରମେଶ, ପି.ଗଣପତିଙ୍କ ସମେତ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପାନୀୟଜଳ ସୁବିଧା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଡିଓ ରଜନୀକାନ୍ତ ଦାସ ଦାବିପତ୍ର ଗ୍ରହଣ କରି ସପ୍ତାହକ ମଧ୍ୟରେ ଜଳ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ଶେଷ ପଞ୍ଚାୟତ ହେଉଛି ଆରମଣ୍ଡା । ଏଠାରେ ଆଦିବାସୀ ଓ ଦଳିତ ବର୍ଗର ୨ହଜାରରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁରେ ପାନୀୟଜଳ ଆସୁବିଧା ଲାଗିରହିଛି । ଜମିଦାର ଓ ବ୍ୟବସାୟୀମାନେ ନିଜେ ଟଙ୍କା ଖର୍ଚ୍ଚ କରି ଘରକୁ ପାଇପ ଜଳ ଯୋଗାଣ କରିଛନ୍ତି । ହେଲେ ଗରିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସାହୁକାରମାନଙ୍କ ଘରକୁ ଯାଇ ଗରିବ ଲୋକେ ପାଣି ଆଣୁଛନ୍ତି । ଏଠାରେ ୪ଟି ନଳକୂଅ ଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁନି । କମ ପାଣି ବାହାରୁଥିବାରୁ ଲୋକେ ହଇରାଣ ହେଉଛନ୍ତି । ଅନ୍ୟପକ୍ଷେ ପାନୀୟଜଳ ସୁବିଧା ପାଇଁ ଗାଁରେ ୧୦ହଜାର ଲିଟର ବିଶିଷ୍ଟ ଦୁଇଟି ପାଣି ଟାଙ୍କି ନିର୍ମାଣ କରାଯାଇଛି । ୧୫ବର୍ଷ ତଳେ ତିଆରି ହୋଇଥିବା ଏହି ପାଣି ଟାଙ୍କି ଏବେ ଲୋକଙ୍କ କାମରେ ଲାଗିପାରୁନି । ମରାମତି ଅଭାବରୁ ଟାଙ୍କିରେ ପାଣି ରହିପାରୁନି । ଏସମ୍ପର୍କରେ ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କୁ ବହୁବାର ଗୁହାରି କରାଯାଇଛି । ହେଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି । ତୁରନ୍ତ ଏହି ଦୁଇଟି ପାଣି ଟାଙ୍କି ଓ ନଳକୂଅଗୁଡିକୁ ମରାମତି କରାଯାଇ ପାଇପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଲୋକଙ୍କ ଦାବିପତ୍ର ଗ୍ରହଣ କରି ବିଡିଓ ଶ୍ରୀ ଦାସ ସପ୍ତାହକ ମଧ୍ୟରେ ପାନୀୟଜଳ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons