
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବର୍ଷକ ମଧ୍ୟରେ ରାଜ୍ୟରେ ୭୫ଟି ହାତୀଙ୍କ ମୃତୁ୍ୟ ଘଟିଥିବା ବେଳେ ୨୦ଟି କଲରା ପତରିଆ ବାଘଙ୍କୁ ଶିକାର କରାଯାଇଛି । କେତେବେଳେ ଶିକାରୀ ଗୁଳିକରି ଓ ତୀରମାଡ଼ କରି ତ କିଏ କଦଳୀ ଗଛରେ, ପାଚିଲା ପଣସରେ ବିଷ ଇଞ୍ଜେକ୍ଟ କରି ହାତୀଙ୍କ ଜୀବନ ନେଉଛନ୍ତି । ଟ୍ରେନ୍ ଓ ସଡ଼କ ଦୁର୍ଘଟଣା ସହିତ ବିଦୁ୍ୟତ୍ ଆଘାତରେ ହାତୀଙ୍କ ଜୀବନ ଯାଉଛି । ହାତୀଙ୍କ ଜୀବନ ପ୍ରତି ବିପଦ ଘନଉଥିବା ବେଳେ ଯେଉଁଭଳି ବାଘ ଶିକାର ଚାଲିଛି ସେଥିରେ ଓଡ଼ିଶା ଜଙ୍ଗଲରେ ବାଘ ବଂଶ ଲୋପ ପାଇଯିବ ବୋଲି ଆଶଙ୍କା ଉପୁଜିଛି । ଯାହାକୁ ନେଇ ପରିବେଶପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
ଓଡ଼ିଶାରେ ଗତ ବର୍ଷକ ମଧ୍ୟରେ ବିଭିନ୍ନ କାରଣରୁ ୭୫ଟି ହାତୀଙ୍କ ମୃତୁ୍ୟ ଘଟିଛି । ସେଥିମଧ୍ୟରୁ ୨୫ ହାତୀଙ୍କର ସ୍ୱାଭାବିକ ମୃତୁ୍ୟ ଘଟିଛି । ୯ ହାତୀ ବିଦୁ୍ୟତ୍ ଆଘାତରେ ମରିଥିବା ବେଳେ ଟ୍ରେନ୍ ଧକ୍କାରେ ୨, ରାସ୍ତା ଦୁର୍ଘଟଣାରେ ୨, ବିଷକ୍ରିୟା କାରଣରୁ ୯ ଓ ୪ଟି ହାତୀଙ୍କୁ ଶିକାରୀ ମାରିଛନ୍ତି । ୨୪ ହାତୀଙ୍କ ମୃତୁ୍ୟର କାରଣ ଜଣା ପଡ଼ିନାହିଁ । ଏହି ୨୪ ହାତୀଙ୍କୁ ଶିକାର କରା ଯାଇଥିବା ଅନୁମାନ କରାଯାଉଛି । ଏଥିରୁ କେଉଁ ହାରରେ ହାତୀ ଜଙ୍ଗଲରୁ ନିର୍ମୂଳ ହେଉଛନ୍ତି ତାହା ଅନୁମେୟ । ଶିକାରୀମାନେ ବେଧଡ଼କ ଭାବେ ହାତୀକୁ ହତ୍ୟା କରୁଥିଲେ ବି ଜଙ୍ଗଲ ବିଭାଗ ଶୋଇଛି । ହାତୀ ସୁରକ୍ଷା ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ପାଟ୍ରୋଲିଂ ପାଇଁ ସ୍ୱତନ୍ତ୍ର ବନ କର୍ମଚାରୀ ଅଛନ୍ତି । ହାତୀ କରିଡ଼ର ଚିହ୍ନଟ ହୋଇଛି । ଏତେ ସବୁ ବ୍ୟବସ୍ଥା ଥାଇ ବି ବନ ବିଭାଗ ହାତୀ ମୃତୁ୍ୟ ରୋକିବାରେ ଫେଲ୍ ମାରୁଛି ।
ସେହିପରି ଗତ ବର୍ଷକ ମଧ୍ୟରେ ରାଜ୍ୟରେ ୨୦ଟି କଲରାପତରିଆ ବାଘ ଚମଡ଼ା ଜବତ ହେଲାଣି । ମେ’ ମାସ ୯ ତାରିଖରେ ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ଜୁନ୍ ୭ରେ ନୟାଗଡ଼ ଦଶପଲ୍ଲା ରେଞ୍ଜରୁ ୨ଟି ଓ ଜୁନ୍ ୧୨ରେ ଖୋର୍ଦ୍ଧା ରଣପୁର ରେଞ୍ଜରୁ ୨ଟି ଚମଡ଼ା ଜବତ ହୋଇଥିଲା । ସେପ୍ଟେମ୍ବର ୩ରେ ମୟୂରଭଞ୍ଜ ରାଇରଙ୍ଗପୁର ଡିଭିଜନରୁ ଗୋଟିଏ, ସେହିମାସ ୧୩ରେ ନବରଙ୍ଗପୁରରୁ ୩ଟି ଓ ଗଞ୍ଜାମ ବ୍ରହ୍ମପୁର ଡିଭିଜନ ବାଲିପଡ଼ାରୁ ଗୋଟିଏ, ୧୯ରେ ନୂଆପଡ଼ା ଖରିଆର ଡିଭିଜନରୁ ଗୋଟିଏ ଚମଡ଼ା ଜବତ ହୋଇଥିଲା । ସେହିପରି ଅକ୍ଟୋବର ୧୩ରେ ସୋନପୁରରୁ ଗୋଟିଏ, ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁର ଡିଭିଜନରୁ ଗୋଟିଏ, ୨୧ରେ କନ୍ଧମାଳ ସୁଦ୍ରୁକୁମ୍ପା ରେଞ୍ଜ ଗୁଡ଼ାରୀରୁ ଗୋଟିଏ ଚମଡ଼ା ଜବତ ହୋଇଥିଲା । ନଭେମ୍ବର ୧୮ରେ ଭୁବନେଶ୍ୱର କାଳୀମନ୍ଦିର ନିକଟରୁ ଗୋଟିଏ, ୨୫ରେ ବରଗଡ଼ ଭଟଲି ଛକରୁ ଗୋଟିଏ ଓ ଡିସେମ୍ବର ୬ ତାରିଖରେ ଢେଙ୍କାନାଳ କପିଳାସରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା । ମାର୍ଚ୍ଚ ୨୩ରେ ଦେବଗଡ଼ରୁ ଗୋଟିଏ ଓ ଗତକାଲି ଖୋର୍ଦ୍ଧା ବୋଲଗଡ଼ରୁ ଗୋଟିଏ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି । ସେହିପରି ୩ଟି କଲରାପତରିଆଙ୍କର ଅନ୍ୟାନ୍ୟ କାରଣରୁ ମୃତୁ୍ୟ ଘଟିଛି । ଏପ୍ରିଲ ୬ରେ ମହାନଦୀ ୱାଇଲ୍ଡ ଲାଇଭ୍ ଡିଭିଜନରେ ଏକ ଆହତ କଲରାପତରିଆର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିବା ବେଳେ ସମ୍ବଲପୁର ବର୍ମା ଡିଭିଜନରେ ଜୁନ୍ ୨୪ ତାରିଖରେ ଏକ କଲରାପତରିଆର ମୃତଦେହ ଜବତ ହୋଇଥିଲା । ସୁନ୍ଦରଗଡ଼ ହେମଗିରି ରେଞ୍ଜରେ ଅଗଷ୍ଟ ୬ ତାରିଖରେ ଟ୍ରେନ୍ ଧକ୍କାରେ ଏକ କଲରାପତରିଆ ବାଘର ମୃତୁ୍ୟ ଘଟିଥିଲା ।
ଉପରୋକ୍ତ ହିସାବ କେବଳ ବାଘ ଚମଡ଼ା ଜବତ ଘଟଣାରୁ ଜଣାପଡ଼ିଛି । ଏଥିରୁ ଜଙ୍ଗଲରେ କେଉଁ ହିସାବରେ ବାଘ ଶିକାର ଚାଲିଛି ତାହା ସହଜେ ଅନୁମେୟ । ରାଜ୍ୟରେ ଏବେ ବାଘ ଶିକାରୀ ସକ୍ରିୟ ହୋଇ ପଡ଼ିଥିବା ଏହା ସ୍ପଷ୍ଟ ସୂଚନା ଦେଉଛି । ବାଘ ଶିକାର କରି ଚମଡ଼ା ରାଜ୍ୟ ତଥା ଦେଶ ବିଦେଶକୁ ଚାଲାଣ କରୁଛନ୍ତି । କିନ୍ତୁ ବନବିଭାଗ କିଛି ଜାଣି ପାରୁନାହିଁ ।
ମୁଖ୍ୟମନ୍ତ୍ରୀ ୨୦୦୮ରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ ପାଇଁ ଘୋଷଣା କରିଥିଲେ । ଘୋଷଣାକୁ ୧୩ ବର୍ଷ ବିତିଲାଣି, ହେଲେ ଆଜି ପର୍ଯ୍ୟନ୍ତ ଏହା ଗଠନ ହୋଇ ପାରିଲା ନାହିଁ । ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ ହୋଇଥିଲେ ହାତୀ ଓ ବାଘ ଶିକାରୀମାନଙ୍କୁ ସାବାଡ୍ କରିବା ଦିଗରେ ସହାୟକ ହୋଇଥାନ୍ତା ବୋଲିି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।


Comments are closed, but trackbacks and pingbacks are open.