
ସୋରଡ଼ା , (ବି.ବି.ନୁ୍ୟଜ): ସୋରଡ଼ା ଥାନା ଅନ୍ତର୍ଗତ ବରାଡ଼ି ସାହିରେ ଗତ ୨୪ ତାରିଖରେ ଏକ ଘରୁ ବଡ଼ ଧରଣର ଚୋରିରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ଜବତ କରିଛି ତରଳା ଯାଇଥିବା ୫୨ ଗ୍ରାମ ସୁନା, ଗୋଟିଏ ଏଲ୍ଇଡି ଟିଭି, ୨ଟି ମୋବାଇଲ୍, ନଗଦ ୧୦୧୭୦ ଟଙ୍କା, ଗୋଟିଏ ଟିଭିଏସ୍ ସ୍କୁଟି (ଓଡି୩୨ଇ-୭୨୨୧) ଓ ଚୋରିରେ ବ୍ୟବହୃତ ଲୁହା ଶାବଳ । ଗିରଫ ୩ ଜଣ ହେଲେ ବରାଡ଼ିର ଶୁଭଙ୍କର ପଣ୍ଡା (୨୧) ଓ ମହାଦେବ ଆଚାରୀ (୨୫)ଙ୍କ ସମେତ ନୀଳାଦ୍ରିପୁରର ରାମହରି ଆଚାରୀ (୪୦) । ରବିବାର ମଧ୍ୟାହ୍ଣରେ ସୋରଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଭଞ୍ଜନଗର ଏଏସ୍ପି ବିଜୟ କୁମାର ମଲ୍ଲିକ, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ରମେଶ କୁମାର ପ୍ରଧାନ ଉପସ୍ଥିତ ଥିଲେ ।
ପୁଲିସ ସୂଚନା ଅନୁଯାୟୀ ବରାଡ଼ି ସାହିର ସତୀଶ କୁମାର ଦାସ ମାର୍ଚ୍ଚ ୨୧ରେ ବାପା ଦିଲ୍ଲୀପ କୁମାର ଦାସଙ୍କ ଶରୀର ଅସୁସ୍ଥ ଥିବାରୁ ବ୍ରହ୍ମପୁର ସପରିବାର ଯାଇଥିଲେ । ୨୭ ତାରିଖରେ ଫେରିବା ପରେ ଘରର ପଛପଟ କବାଟ ଭଙ୍ଗା ହୋଇ ସୁନା ଅଳଙ୍କାର, ଟିଭି, ନଗଦ ଟଙ୍କା ଚୋରି ହୋଇଥିବା ଜାଣିପାରିଥିଲେ । ସେ ଥାନାରେ ଏତଲା ଦେବା ପରେ ପୁଲିସ କେଶ୍ ନମ୍ବର ୯୦/୨୦୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ରମେଶ କୁମାର ପ୍ରଧାନ, ଏସ୍ଆଇ ସୁନୀଲ କଣ୍ଡାଗାରୀ ଛାନ୍ଭିନ୍ କରିଥିଲେ । ଛତ୍ରପୁରରୁ ସନ୍ଧାନୀ କୁକୁର ମଧ୍ୟ ଆସି ତଦନ୍ତରେ ସାମିଲ୍ ହୋଇଥିଲା । ବିଭିନ୍ନ ଦିଗରୁ ଖୋଳତାଡ଼ ପରେ ପୁଲିସ ସଫଳତା ପାଇଥିଲା । ଘର ତାଲା ପଡ଼ିଥିବା ସୁଯୋଗ ନେଇ ୨୪ ମାର୍ଚ୍ଚ ମଧ୍ୟରାତ୍ରରେ ଚୋରି କରିଥିଲେ । ଚୋରମାନେ ଚୋରୀ ଅଳଙ୍କାରକୁ ତରଳାଇ ଦେଇଥିଲେ । ତେବେ ପୁଲିସ ମାତ୍ର ୬ ଦିନରେ ସେମାନଙ୍କୁ ଧରିବାରେ ସଫଳତା ପାଇଛି ।


Comments are closed, but trackbacks and pingbacks are open.