
ଖମାର,(ବି.ବି.ନୁ୍ୟଜ): ପାଳଲହଡା ବ୍ଲକ୍ ତଥା ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତ ଇଲାକାରୁ ଗତ ରାତିରେ ଏଲ୍ଏଣ୍ଡ୍ଟିର ପାଣି ପାଇପ୍ ଚୋରି କରିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗୋଟିଏ ୧୨ ଚକିଆ ଟ୍ରକ୍ ସମେତ ୱାଗନର୍ କାର୍ ଜବତ କରାଯାଇଛି । ଚୋରି ହୋଇଥିବା ୧୫ଟି ପାଇପ୍ ଉଦ୍ଧାର ହୋଇଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଗଡ଼ପଳାଶୁଣି ଗ୍ରାମର ସନ୍ତୋଷ ସ୍ୱାଇଁ, ସୁରେଶ ସାମଲ, ମୋହନ ସାମଲ, ବ୍ରହ୍ମାନନ୍ଦ ସେଠ ଓ ମଳୟ ସେଠ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏହି ମାମଲାରେ ଅନ୍ୟ ତିନି ଜଣ ଫେରାର୍ ଅଛନ୍ତି । ଜବତ ଟ୍ରକ୍ଟି ସନ୍ତୋଷ ସ୍ୱାଇଁଙ୍କ ନାମରେ ଥିବା ଜଣାପଡ଼ିଛି । ଅଭିଯୁକ୍ତ ମଳୟ ନାମରେ ପରଜଙ୍ଗ ଥାନାରେ ଚୋରି ମାମଲା ରହିଥିବା ପୁଲିସ ପ୍ରକାଶ କରିଛି ।
ପ୍ରକାଶ ଯେ, ରେଙ୍ଗାଲି ଜଳଭଣ୍ଡାରରୁ ଅନୁଗୁଳ ଜିଲ୍ଲାର ପାଳଲହଡ଼ା ବ୍ଲକ୍, କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ମେଗା ପ୍ରକଳ୍ପ ନିର୍ମାଣାଧୀନ ରହିଛି । ଏଲ୍ଆଣ୍ଡ୍ଟି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି । ଗତ ରାତିରେ ଇଂଜିଡ଼ି ଅଞ୍ଚଳରୁ କେତେକ ଦୁର୍ବୃତ୍ତ ଟ୍ରକ୍ରେ ପାଇପ୍ ଉଠାଇ ନେଇଥିବା ଖମାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଖମାର ଥାନା ଅଧିକାରୀ ନିରୋଦ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଖୋଜାଖୋଜି କରି ପଙ୍ଗାତିରା ଓ ଗଡ଼ପଳାଶୁଣି ମଧ୍ୟଭାଗରେ ଥିବା ମୂଳାଭଞ୍ଜ ଜଙ୍ଗଲରେ ଚୋରା ପାଇପ୍ ଠାବ କରିଥିଲେ । ଏକ ୧୨ ଚକିଆ ଟ୍ରକ୍ରେ ପାଇପ୍ ବୋଝେଇ ହୋଇଥିଲା । ଦୁର୍ବୃତ୍ତଙ୍କ ଦ୍ୱାରା ୱାଗନର କାର ମଧ୍ୟ ବ୍ୟବହୃତ ହୋଇଥିଲା । ଘଟଣାସ୍ଥଳରୁ ତିନି ଜଣ ଫେରାର୍ ହୋଇଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ପୁଲିସ କାବୁ କରିଥିଲା । ଜବତ ପାଇପ୍ର ମୂଲ୍ୟ ୧.୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।


Comments are closed, but trackbacks and pingbacks are open.