୩ ମାସ ପରେ ସମାଧିରୁ କଢ଼ାଗଲା ଶବ
ବରଗଡ଼,(ବି.ବି.ନ୍ୟୁଜ୍): ରାଜନୈତିକ ଶତ୍ରୁତା ରଖିଥିଲେ । ମଦରେ ବିଷ ମିଶାଇ ମୋ ସ୍ୱାମୀଙ୍କୁ ମାରିଦେଲେ । ଏନେଇ ଆପତ୍ତି କରିବାରୁ ତୋର ପରିବାରର ବାକି ସଦସ୍ୟଙ୍କୁ ମଧ୍ୟ ଗୁଣିଆ କରି ମାରିଦେବେ ବୋଲି କିଛି ଶୁଭେଚ୍ଛୁ କହିବା ପରେ ଚୁପ୍ ରହିଥିଲୁ । ସ୍ୱାମୀଙ୍କ ଶବକୁ ପୋତିଦେଇ ଅନ୍ତିମ ସଂସ୍କାର କରିଦେଲୁ । ଏଥିସହ ଭୋଜିଭାତ କରି ସ୍ୱାମୀଙ୍କ ଶ୍ରାଦ୍ଧକାର୍ଯ୍ୟ ସମାପନ କରିଥିଲି । ହେଲେ ମନ ନମାନିବାରୁ ଏବେ ଦୁଇ ଦିନ ତଳେ ଥାନାକୁ ଆସି ଅଭିଯୋଗ କରିଥିଲି । ଯାହାକୁ ନେଇ ପୋତା ଶବ ଉଦ୍ଧାର କରି ପୁଣି ଥରେ ତଦନ୍ତ ଆରମ୍ଭ କରାଯାଇଛି । ମୋତେ ଏବେ ନ୍ୟାୟ ମିଳିବ ବୋଲି ବିଧବା ମହିଳା ଇଲା ତାଣ୍ଡିଙ୍କ ସ୍ୱୀକାରୋକ୍ତି ଦୁଇ ମାସ ତଳୁ ଚପେଇ ଦିଆଯାଇଥିବା ରାଜନୈତିକ ହିଂସାକାଣ୍ଡ ଚର୍ଚ୍ଚାର କେନ୍ଦ୍ର ସାଜିଛି ।
ଘଟଣାଟି ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାଞ୍ଚଳରେ । ଅମାମୁଣ୍ଡା ଗାଁ ବାସିନ୍ଦା ଉଦୟ ତାଣ୍ଡି (୫୨)ଙ୍କ ପୋତା ଶବକୁ ଆଜି ଖୋଳି ବାହାର କରାଯାଇଛି । ମୃତକଙ୍କ ପତ୍ନୀ ଇଲା ତାଣ୍ଡି ମେଲଛାମୁଣ୍ଡା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ଏପ୍ରିଲରେ ବରଗଡ଼ ଜିଲ୍ଲାରେ ହୋଇଥିବା ସାଧାରଣ ନିର୍ବାଚନର ଭୋଟ୍ ଗ୍ରହଣର ଦୁଇ ଦିନ ପୂର୍ବେ ଅର୍ଥାତ ଏପ୍ରିଲ ୧୮ ତାରିଖ ରାତିରେ ଉଦୟ ତାଣ୍ଡିଙ୍କୁ କୌଣସି କାରଣକୁ ନେଇ ରାଜନୈତିକ ଆକ୍ରୋଶରୁ ବିଷ ମିଶା ମଦ ପିଆଇ ଦିଆଯାଇଥିଲା । ଘରକୁ ଫେରିବା ପରେ ଉଦୟଙ୍କୁ ପ୍ରବଳ ଝାଡ଼ା ହୋଇଥିଲା । ଗୁରୁତର ଅସୁସ୍ଥ ହୋଇପଡିଥିବା ଉଦୟଙ୍କୁ ୧୯ ତାରିଖ ପଦ୍ମପୁର ଡାକ୍ତରଖାନା ନିଆଯାଇଥିଲା । ସେଠୁ ଫେରିବା ରାସ୍ତାରେ ମହୁଲପାଲି ନିକଟରେ ତାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଏ ସମ୍ପର୍କରେ ସମ୍ୟକ ଧାରଣା ଥିବାରୁ ଇଲା ଏହାର ପ୍ରତିବାଦ ମଧ୍ୟ କରିଥିଲେ । ହେଲେ ପୁଲିସ୍କୁ ନଜଣାଇବା ପାଇଁ କିଛି ବ୍ୟକ୍ତିଙ୍କ ଚାପ ଓ ଧମକ ଚମକରୁ ନରମି ଯାଇଥିଲେ । ଏପରିକି ଇଲା ଯେପରି ଗାଁ ବାହାରକୁ ଯାଇ ନପାରନ୍ତି, ସେନେଇ କିଛି ଇଲାଙ୍କ ଉପରେ ଦୃଷ୍ଟି ରଖିବା ପରେ ଭୟପାଇ ଓହରି ଯାଇଥିଲେ । ଦୀର୍ଘ ଦିନ ଧରି ଘଟଣାକୁ ଚପାଇବା ପରେ ଇଲା ଆଉ ନିଜ ଭିତରେ ରଖି ନପାରି ଦୁଇ ଦିନ ତଳେ ମେଲଛାମୁଣ୍ଡା ଥାନାକୁ ଆସି ଏନେଇ ଅଭିଯୋଗ କରିଥିଲେ । ଗତ ୧୭ ତାରିଖ ଇଲା ସ୍ୱାମୀ ଉଦୟଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ମଦରେ ବିଷ ମିଶାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଗୁରୁବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ସ୍ଥାନରୁ ଶବକୁ ଖୋଳି ବାହାର କରିଥିଲେ । ଗଳିତ ଶବର ନମୂନା ରାଜ୍ୟ ଫୋରେନସିକ ଲେବୋରାଟାରିକୁ ପଠାଯିବାକୁ ଥିବା ବେଳେ ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇପାରେ ବୋଲି ତଦନ୍ତକାରୀ ପୁଲିସ୍ ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତ ସୂଚନା ଦେଇଛନ୍ତି । ଏହି ମାମଲାରେ ଇଲା ୧୦ ଜଣଙ୍କ ନାଁରେ ଅଭିଯୋଗ କରିଥିବାରୁ ମାମଲାଟି ଗମ୍ଭୀର ହୋଇପଡ଼ିଛି । ପଚା ଶବରୁ ବାହାରିବାକୁ ଥିବା ସତ୍ୟକୁ ନେଇ ସଚେତନଙ୍କ ମଧ୍ୟରେ ଉତ୍ସୁକତା ଖେଳିଯାଇଛି । ମେଲେଛାମୁଣ୍ଡା ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.