ଜୀବନ ହାରିବାକୁ ଆସିଥିଲେ, ଜୀବନସାଥୀ ପାଇଲେ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ): ଘରୋଇ କଳି ଅସହ୍ୟ ହେଲା । ସେଥିପାଇଁ ୭ କିମି ଦୂର ଚାଲି ଚାଲି ଜଣେ ଯୁବତୀ ଆସି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଦୈବ ଲୀଳା ବଡ଼ ବିଚିତ୍ର । ଯୁବତୀଙ୍କ ପ୍ରାଣ ବଞ୍ଚିଗଲା, ତାଙ୍କୁ ଜୀବନ ସାଥୀ ବି ମିଳିଗଲା । ପ୍ରାଣ ଉଦ୍ଧାର କରିଥିବା ଯୁବକଙ୍କ ସହିତ ସଂପୃକ୍ତ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଭଳି ରୋଚକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି । ଏମିତି ଘଟଣା କେବଳ ଫିଲ୍ମରେ ସମ୍ଭବ ହୋଇଥାଏ । ତେବେ ବାସ୍ତବ ଜୀବନରେ ଘଟିଥିବା ଏହି ଘଟଣାକୁ ନେଇ ସୋର ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।
ଘଟଣା ଅନୁସାରେ, ସୋର ବ୍ଲକ୍ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ନାରାୟଣ ଦାଶଙ୍କ ଝିଅ ତପସ୍ୱିନୀଙ୍କ ବିବାହକୁ ନେଇ ଘରେ କଳି ଉପୁଜିଥିଲା । ଏହାକୁ ସହି ପାରିଲେନି ତପସ୍ୱିନୀ । ସେଥିପାଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଘରଠାରୁ ୭ କିମି ଦୂର ଆସି ମୁଳିସିଂ ଲେବଲ୍ କ୍ରସିଂ ଗେଟ୍ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଟ୍ରେନ୍କୁ ଅପେକ୍ଷା କରିଥିଲେ । ଏହା ଜାଣି ପାରି କେତେକ ଲୋକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେ କାହାରି କଥା ମାନିବାକୁ ନାରାଜ ଥିଲେ । ଏତିକିବେଳେ ସେହିବାଟ ଦେଇ କେଦାରପୁର ଅଞ୍ଚଳର ପୁରୁଷୋତ୍ତମ ସେଠୀଙ୍କ ପୁଅ ଖଗେନ୍ଦ୍ର ଯାଉଥିଲେ । ଏହାଦେଖି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ତପସ୍ୱିନୀଙ୍କୁ ଖଗେନ୍ଦ୍ର ଟ୍ରେନ୍ ଆଗରୁ ଉଦ୍ଧାର କରିଥିଲେ । ମୃତୁ୍ୟ ମୁଖରୁ ବଞ୍ଚିଯିବା ପରେ ତପସ୍ୱିନୀ ଖଗେନ୍ଦ୍ରଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ । ନହେଲେ ପୁଣି ଆତ୍ମହତ୍ୟା କରିବାକୁ ତପସ୍ୱିନୀ ଜିଦ୍ କରିଥିଲେ । ନିଜ ଜାତିଗୋତ୍ର ସଂପର୍କରେ ଖଗେନ୍ଦ୍ର କହିଥିଲେ । ତଥାପି ଜାତିଗୋତ୍ର ଭେଦଭାବ ଭୁଲି ବିବାହ କରିବାକୁ ତପସ୍ୱିନୀ ନିଜ ଜିଦ୍ରେ ଅଟଳ ରହିଥିଲେ । ଏହାପରେ ତପସ୍ୱିନୀଙ୍କୁ ଧରି ନିଜ ଘରକୁ ଖଗେନ୍ଦ୍ର ଯାଇଥିଲେ । ଉଭୟ ପରିବାର ସଦସ୍ୟଙ୍କ ସମେତ ଭଦ୍ରଲୋକଙ୍କ ଉପସ୍ଥିତିରେ ବୁଝାମଣା ପରେ ଖଗେନ୍ଦ୍ର ଓ ତପସ୍ୱିନୀ ବିବାହ ସ୍ଥିର ହୋଇଥିଲା । ସେହି ଅନୁସାରେ ଗତ ରବିବାର ସ୍ଥାନୀୟ କ୍ଷେମେଶ୍ୱର ମନ୍ଦିରରେ ଉଭୟଙ୍କ ବିବାହ ବୈଦିକ ରୀତିମତେ ସଂପନ୍ନ ହୋଇଛି । ତପସ୍ୱିନୀଙ୍କ ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୂର ଦେଇ ନିଜର ଜୀବନସାଥୀ ଭାବେ ଖଗେନ୍ଦ୍ର ଗ୍ରହଣ କରିଛନ୍ତି । ଏହାକୁ ନେଇ ଉଭୟ ପରିବାର ଖୁସି ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons