
ଦିଗପହଣ୍ଡି,(ବି.ବି.ନୁ୍ୟଜ): ଦିଗପହଣ୍ଡି ତହସିଲ୍ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ୱ ନୀରିକ୍ଷକ (ଆର୍ଆଇ) ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ଆର୍.ଆଇ ଏ.ଶ୍ରୀକାନ୍ତ ଦୋରାଙ୍କୁ କାବୁ କରିନେଇଛନ୍ତି । ତାଙ୍କ ସାର୍ଟ ବାମ ପାଶ୍ୱର୍ ପକେଟ୍ରୁ କେମିକାଲ୍ ଯୁକ୍ତ ୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସେ ରହୁଥିବା ବ୍ରହ୍ମପୁର ଗୋଷାଣିନୂଆଗାଁ ସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରାଯାଇ ଯାଞ୍ଚ କରାଯାଉଛି । ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନଂ-୮/୨୧ ୟୁ/ଏସ୍ ୭ପି.ସି ସଂଶୋଧନ ଆଇନ ଅନୁଯାୟୀ ସମ୍ପୃକ୍ତ ଆର୍.ଆଇଙ୍କ ବିରୁଦ୍ଧରେ ମକଦ୍ଧମା ରୁଜୁ ହୋଇଛି । କେବଳ ଏତିକି ନୁହଁ ଗତ ୨୦୧୬ ମସିହାରେ ସେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ମଧ୍ୟ ଧରା ପଡିଥିଲେ ବୋଲି ବ୍ରହ୍ମପୁର ଏସ୍ପିଙ୍କ ଠାରୁ ସୂଚନା ମିଳିଛି ।
ଭୀଷ୍ମଗିରି ଗ୍ରାମର ସୁବାସ ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କର ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ପାଇଁ ଆବେଦନ କରିଥିଲେ । ଏଥିପାଇଁ ୫ ହଜାର ଟଙ୍କା ସମ୍ପୃକ୍ତ ରାଜସ୍ୱ ନୀରିକ୍ଷକ ଏ.ଶ୍ରୀକାନ୍ତ ଦୋରା ଦାବି କରିଥିଲେ । ଦାବି ମୁତାବକ ସୁବାସ ପଣ୍ଡା ଆଜି ମଧ୍ୟାହ୍ନ ୧.୪୦ ମି ସମୟରେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିଲେ । ପୂର୍ବଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ରାଜସ୍ୱ ନୀରିକ୍ଷକଙ୍କ ଉପରେ ଅତର୍କିତ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ସାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.