
କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ବୁଡ଼ି ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପଛପାଖରେ ମୋରମ ଖାଲରେ ବୁଡ଼ି ଯାଇ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତୁ୍ୟ ଘଟିଛି । ଅ୍ୟପଟେ ପୋଖରୀରେ ବୁଡ଼ିଯାଇ ହାଟଡିହି ବ୍ଲକ୍ ଶାସଙ୍ଗ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ଶାସଙ୍ଗ ଗାଁର ଛୋଟା ବେହେରା(୪୭) । ମୃତ ଇଞ୍ଜିନିୟରିଂ ଛାତ୍ର ହେଉଛନ୍ତି ଶାଶ୍ୱତ ମହାପାତ୍ର । ଘର ରାଉରକେଲା ସେକ୍ଟର-୮ ଅଞ୍ଚଳରେ । ତାଙ୍କ ବାପା ରାଜେନ୍ଦ୍ର ମହାପାତ୍ର ବଣେଇ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାମୁନାଳିଆସ୍ଥିତ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପଛରେ ରହିଛି ଏକ ଖାଲ । ସେଥିରେ ପାଣି ଭର୍ତ୍ତି ହୋଇ ରହିଛି । ଉକ୍ତ କଲେଜ ହଷ୍ଟେଲରେ ରହୁଥିବା ଇଞ୍ଜିନିୟରିଂ କଲେଜର ମେକାନିକାଲ ୨ୟ ସେମିଷ୍ଟାର ଛାତ୍ର ଶାଶ୍ୱତ ତାଙ୍କର ଅନ୍ୟ ୨ ସାଙ୍ଗ ବିଜୟ ପାଲ ଓ ଅମନ ସ୍ୱସ୍ତିକ ରଥଙ୍କ ସହ ଉକ୍ତ ପାଣି ଭର୍ତ୍ତି ଖାଲକୁ ମଧ୍ୟାହ୍ନଭୋଜନ ପରେ ଗାଧୋଇବାକୁ ଯାଇଥିଲେ । ଅସାବଧାନତାରୁ ଗଭରୀ ପାଣିରେ ଶାଶ୍ୱତ ଡୁବି ଯାଇଥିଲେ ବୋଲି ଶାଶ୍ୱତଙ୍କ ସାଙ୍ଗ ଅମନ ସ୍ୱସ୍ତିକ ରଥ କହିଛନ୍ତି । ଜାତୀୟ ରାଜପଥ ନିର୍ମାଣ ସମୟରେ କଲେଜ ପଛପାଖରେ ଏହି ଖାଲ ଖୋଳାଯାଇଥିଲା ବେଳେ ଏଥିରେ ଆଜି ବୁଡ଼ି ଶାଶ୍ୱତଙ୍କ ଜୀବନ ଯାଇଛି । ଅମନ ଓ ବିଜୟ ଶାଶ୍ୱତଙ୍କୁ ବାରଣ କରିଥିଲେ । ମାତ୍ର ପହଁରା ଶିଖିଛି କହି ଶାଶ୍ୱତ ସେମାନଙ୍କ କଥା ନ ଶୁଣି ଗାଧୋଇବାକୁ ପାଣିରେ ପଶିଯାଇଥିଲେ । ଭାରସାମ୍ୟ ହରାଇ ଧୀରେଧୀରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଦୁଇ ସାଙ୍ଗ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ଶାଶ୍ୱତ ପାଣିରେ ବୁଡିଯିବା ପରେ ଦୁଇ ସାଙ୍ଗ ସଙ୍ଗେସଙ୍ଗେ ହଷ୍ଟେଲକୁ ଜଣାଇବା ସହ ୧୧୨ ନମ୍ବରରେ ଡାଏଲ କରିଥିଲେ । ଖବରପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଶାଶ୍ୱତଙ୍କ ମୃତଦେହ ଉଦ୍ଧାର କରିଥିଲେ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଶାଶ୍ୱତଙ୍କୁ ମୃତ ଘୋଷଣା କରିଛନ୍ତି ।
ଟାଉନ ଥାନା ପୁଲିସ ଏନେଇ ୩୨/୨୧ରେ ଅପମୃତୁ୍ୟ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶାଶ୍ୱତଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ଶାଶ୍ୱତ ଘରର ବଡ଼ପୁଅ । ତାଙ୍କର ଆଉ ଜଣେ ଭାଇ ଅଛନ୍ତି । ଇଞ୍ଜିନିୟରିଂ ପଢୁଥିବା ପୁଅର ମୃତୁ୍ୟ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।
ହାଟଡିହି ବ୍ଲକ୍ ଶାସଙ୍ଗର ଛୋଟା ବେହେରା ଆଜି ଅପରାହ୍ନ ୨ଟାରେ ଗାଁ ନିକଟସ୍ଥ ବାଲିଆପୋଖରୀକୁ ସବୁଦିନ ଭଳି ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକ ଓ ଗ୍ରାମର କିଛି ଯୁବକ ପୋଖରୀରେ ଖୋଜାଖେଜି କରିବା ପରେ ଛୋଟାଙ୍କ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗ ପରେ ନନ୍ଦରପଦା ଥାନା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.