ଠାକୁରମୁଣ୍ଡା,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରୁ ୩୦କିଲୋମିଟର ଦୂର ମହୁଲଡ଼ିହା ଥାନା ଅନ୍ତର୍ଗତ ଶାଳଚୁଆ ଗ୍ରାମପଂଚାୟତ ନଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତିରେ ନଦା ଗ୍ରାମର ନାରାୟଣ ପାତ୍ର(୫୫)ଙ୍କୁ ପଡ଼ୋଶୀ ଗଜେନ୍ଦ୍ର ପାତ୍ର ୨ପୁଅଙ୍କ ସହ ମିଶି ଗୋଡ଼ାଇ ଗୋଡ଼ାଇ କୁରାଢ଼ିରେ ହାଣି ହତ୍ୟା କରିଥିବାର ଥାନାରେ ଆଜି ଅଭିଯୋଗ ହୋଇଛି ।
ସବିଶେଷ ଘଟଣା ଅନୁଯାୟୀ, ନାରାୟଣ ପାତ୍ର ଏବଂ ତାଙ୍କ ପଡ଼େଶୀ ଗଜେନ୍ଦ୍ର ପାତ୍ରଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଏଣୁ ନାରାୟଣଙ୍କ ଉପରେ ରାଗ ଶୁଝାଇବା ଲାଗି ଗଜେନ୍ଦ୍ର ସୁଯୋଗ ଅପେକ୍ଷାରେ ରହିଥିଲା । ଗତ ଫୋନି ବାତ୍ୟାବେଳେ ନଦା ଫରେଷ୍ଟ ବିଟ୍ ହାଉସ ପାଖରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲା । ଗଜେନ୍ଦ୍ରଙ୍କ ପରିବାର ଏହି ଗଛ ଗଣ୍ଡିକୁ କାଟି ଉଠାଇ ନେଇଥିଲେ । ପରେ ଜଙ୍ଗଲ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗଜେନ୍ଦ୍ରଙ୍କ ଘରେ ଚଢ଼ଉ କରି ସେହି କାଠ ଗଣ୍ଡିକୁ ଜବତ କରିଥିଲା । ଜଙ୍ଗଲ ବିଭାଗକୁ ନାରାୟଣ ଖବର ଦେଇଥିବେ ବୋଲି ଗଜେନ୍ଦ୍ର ଧରିନେଇଥିଲା । ନିଆଁରେ ଘିଅ ଢ଼ାଳିଲା ଭଳି ଏହି ଘଟଣାଟି କାମ କରିଥିଲା । ଜଙ୍ଗଲ ବିଭାଗ ଦ୍ୱାରା ଧରାପଡ଼ିବା କାରଣରୁ ଗଜେନ୍ଦ୍ର ଆହୁରି ଉତକ୍ଷିିପ୍ତ ହୋଇ ନାରାୟଣଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ସ୍ୱଚ୍ଛ ଭାରତ ଯୋଜନାରେ ନାରାୟଣଙ୍କ ଘରେ ପାଇଖାନା ନିର୍ମାଣ ଚାଲିଥିବାବେଳେ ଏବାବଦରେ ମିସ୍ତ୍ରୀ ଓ ଶ୍ରମିକଙ୍କୁ ମଜୁରି ଦେବାକୁ ସେ ସନ୍ଧ୍ୟାରେ ଯାଇଥିଲେ । ମଜୁରି ଦେଇ ରାତି ପ୍ରାୟ ୮ଟା ପାଖାପାଖି ଘରକୁ ଫେରିବା ବେଳକୁ ରାସ୍ତା କଡ଼ରେ ଛକି ରହିଥିବା ଗଜେନ୍ଦ୍ର ତାଙ୍କ ଉପରେ କୁରାଢିରେ ଅତର୍କିତ ଆକ୍ରମଣ କରିଥିଲା । ନାରାୟଣ ହଣା ଖାଇ ମଧ୍ୟ ଜୀବନ ବିକଳେ ଦୌଡ଼ି ନିଜ ଘର ପାଖରେ ପହଞ୍ôଚ ଯାଇଥିଲେ । ତେବେ ପିଣ୍ଡାକୁ ଉଠୁଥିବାବେଳେ ରକ୍ତମୁଖା ଗଜେନ୍ଦ୍ର ପୁନର୍ବାର ନାରାୟଣଙ୍କୁ ରାସ୍ତାକୁ ଘୋଷାଡ଼ି ଆଣି ବେକକୁ କୁରାଢ଼ିରେ ହାଣି ଦେଇଥିଲା । ଫଳରେ ନାରାୟଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ଆକ୍ରମଣରେ ଗଜେନ୍ଦ୍ରଙ୍କ ସହିତ ତାଙ୍କ ଦୁଇପୁଅ ସାମିଲ ଥିଲେ ବୋଲି ମୃତକ ନାରାୟଣ ପାତ୍ରଙ୍କ ପୁଅ ମହୁଲଡିଆ ଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।
ପ୍ରକାଶ ଥାଉକି, ଗଜେନ୍ଦ୍ର ପାତ୍ର ଙ୍କ ସହ ତାଙ୍କ ଭାଇଙ୍କ ମାରପିଟ୍ ମାମଲା କୋର୍ଟରେ ଚାଲିଥିବା ବେଳେ ନାରାୟଣ ପାତ୍ର ଗଜେନ୍ଦ୍ରଙ୍କ ବିପକ୍ଷରେ ସାକ୍ଷୀ ଦେଇଥିଲେ । ସେବେଠାରୁ ନାରୟଣଙ୍କ ଉପରେ ଗଜେନ୍ଦ୍ର ରାଗ ରଖିଥିଲେ ।
ମହୁଲଡିହା ପୁଲିସ କେସ ନଂ ୨୮/୨୦୧୯ରେ ଆଇପିସି ୩୦୨,୩୪ ବଳରେ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବାବେଳେ ପୁଲିସ ଅଭିଯୁକ୍ତ ଗଜେନ୍ଦ୍ର ପାତ୍ରକୁ ଅଟକ ରଖି ପଚରାଉଚରା ଚଳାଇଛି ।
Comments are closed, but trackbacks and pingbacks are open.