ହାଇଦ୍ରାବାଦରେ ହାଇଦର୍!

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ପୁଲିସ ଆଖିରେ ଧୂଳି ଦେଇ ଏସ୍ସିବିରୁ ଫେରାର୍ ହୋଇଯାଇଥିବା ଦୁର୍ଦ୍ଧାନ୍ତ ଗ୍ୟାଙ୍ଗ୍ଷ୍ଟର୍ ସେକ୍ ହାଇଦର୍ ସାଇବର୍ ସିଟି ହାଇଦ୍ରାବାଦ୍ ଇଲାକାରେ ଲୁଚିଛି । -ଏମିତି ଠୋସ୍ ସୁରାକ୍ ମିଳିଛି ହାଇଦର୍କୁ ଦରାଣ୍ଡୁଥିବା ସ୍ପେସାଲ୍ ପୁଲିସ ଟିମ୍କୁ । ତଦନୁସାରେ ଦୁଇଟି ଟିମ୍ ଏବେ ହାଇଦ୍ରାବାଦ୍ର କିଛି ସନ୍ଦିଗ୍ଧ ଅଞ୍ଚଳକୁ ଏକରକମ ଘେରାବନ୍ଦୀ କରି ରଖି ତନ୍ନତନ୍ନ କରି ଛାନ୍ଭିନ୍ ଚଳାଇଛନ୍ତି ।
ମିଳିଥିବା ସୂଚନା କହୁଛି, କଟକରୁ ସେଦିନ ବାହାରିଯିବା ପରେ ହାଇଦର୍ ଏକାଧିକ ଗାଡ଼ି ବଦଳାଇ ୨୪ ଘଣ୍ଟା ଭିତରେ ହାଇଦ୍ରାବାଦରେ ପହଞ୍ଚି ଯାଇଥିଲା । ନେପାଳ ଅଭିମୁଖେ ମୁହାଁଇଥିବା ହାଇଦର୍ ପୁଲିସକୁ ଚକ୍ମା ଦେବା ପାଇଁ ବାରମ୍ବାର ଗାଡ଼ି ଓ ରୁଟ୍ ବଦଳାଇଥିଲା । ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଏକ ସ୍ଥାନରେ ସେ ଛପି ରହି ନେପାଳ ଭାଗିଯିବାର ଯୋଜନାକୁ କାର୍ଯ୍ୟକାରୀ କରିବାର ଥିଲା । ତେବେ ସେଠାରେ ସେ ଡେରା ପକାଇଥିବା ନେଇ ସୁରାକ୍ ପୁଲିସକୁ ମିଳିବା ପରେ ପୁଲିସ ଟିମ୍ ହାଇଦ୍ରାବାଦ୍ ଅଞ୍ଚଳରେ ଛାନ୍ଭିନ୍ ଚଳାଇଥିବା ଜଣାପଡ଼ିଛି ।
ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହାଇଦର୍ର କେତେଜଣ ପୁରୁଣା ସହଯୋଗୀଙ୍କ ଲିଙ୍କ୍ରେ ଏ ସମଗ୍ର ଫେରାର୍ ଘଟଣାର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ହାଇଦର୍ର ପୁଅ ଏହି ସ୍ଥାନକୁ କିଛି ଦିନ ପୂର୍ବରୁ ଯାଇ ସବୁ କିଛି ରେକି କରି ଫେରିବା ପରେ ଏବେ ହାଇଦର୍କୁ ସେଠାରେ ନେଇ ଲୁଚାଇ ରଖାଯାଇଛି । ତେବେ ସେଠାରେ ଅଳ୍ପ ଦିନ ରହି ହାଇଦର୍ ଆଣ୍ଡ କୋ’ ସେଠାରୁ ପୁଣି ଚମ୍ପଟ ମାରିବାକୁ ଯୋଜନା ସ୍ଥିର କରିଥିବା ଜଣାପଡ଼ିଛି । ଏଭଳି ଠୋସ୍ ସୂଚନା ପାଇବା ପରେ କଟକ ପୁଲିସ ତପôରତା ଦେଖାଇଛି । ପ୍ରକୃତପକ୍ଷେ ହାଇଦର୍ ଫେରାର୍ ହେବାର କିଛି ଘଣ୍ଟା ଭିତରେ ହିଁ ତଦନ୍ତକାରୀ ଟିମ୍ ତାର ପଳାୟନ ରୁଟ୍ ବିଷୟରେ ସଂପୂର୍ଣ୍ଣ ଅବଗତ ହୋଇସାରିଥିଲା । ତଦନୁସାରେ କଟକର ଜଣେ ଯୁବ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ରାତିରେ ହିଁ ହାଇଦ୍ରାବାଦ ବାହାରି ଯାଇଥିଲା । ପରେ ପରେ ଆଉ ଏକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଛି । ଏହି ଦୁଇ ଟିମ୍ ହାଇଦ୍ରାବାଦରେ ପହଞ୍ଚିବା ପୂର୍ବରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସକୁ ହାଇଦର୍ ଫେରାର୍ ବିଷୟ ଅବଗତ କରାଯାଇଛି । ସେଠାକାର ପୁଲିସ ଏକାଧିକ ସ୍ଥାନରେ ନାକାବନ୍ଦୀ କରି ହାଇଦର୍ ଯାଉଥିବା କାର୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ସଫଳତା ମିଳିନଥିଲା । ତେବେ ହାଇଦର୍ ହାଇଦ୍ରାବାଦରୁ ଅନ୍ୟଆଡ଼କୁ ବାହାରି ପାରିନଥିବା ଅନୁମାନ କରାଯାଉଛି । ଏଣୁ କଟକରୁ ଯାଇଥିବା ଦୁଇଟି ଟିମ୍ ହାଇଦ୍ରାବାଦ୍ରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଏକାଧିକ ସ୍ଥାନରେ ଚଢ଼ଉ କରୁଛି । ହେଲେ ଚଢ଼ଉରେ ଏଯାବତ ସଫଳତା ମିଳିନି । ଅନ୍ୟପଟେ ହାଇଦର୍ ସେଠାରେ ଅଧିକ ଦିନ ନ ଅଟକି ନେପାଳ ଅଭିମୁଖେ ଚମ୍ପଟ ହେବା ଯୋଜନାରେ ଥିବାରୁ ତାକୁ ତୁରନ୍ତ ଧରିବା ନିହାତି ଆବଶ୍ୟକ ହୋଇପଡ଼ିଛି ଓ ସେଥିଲାଗି ପୁଲିସର ଚିନ୍ତା ବଢ଼ିଯାଇଛି । ଯଦି ଥରେ ସେ ହାଇଦ୍ରାବାଦ୍ ଅଞ୍ଚଳରୁ ଖସି ବାହାରକୁ ଚାଲିଯାଏ, ତାହେଲେ ପୁଣି ତାକୁ ଠାବ କରିବା ବା ନୂଆ ଠିକଣା ଜାଣିବା କଷ୍ଟକର ହେବ । ତେଣୁ ହାଇଦ୍ରାବାଦ୍ ଅଞ୍ଚଳରେ ହିଁ ତାକୁ ଘେରି କାବୁ କରିବା ପାଇଁ ପୁଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ସୂଚନା ମିଳିଛି ।
ଅନ୍ୟପଟେ, ହାଇଦର୍ର ସହଯୋଗୀ ୟାକୁବ୍ ଓରଫ ସଲ୍ଲୁ ଖାନ୍କୁ ଆଜି ମଙ୍ଗଳାବାଗ ଥାନା ପୁଲିସ ଚାଉଳିଆଗଞ୍ଜ ଥାନାଠାରୁ ନିଜ ହେପାଜତକୁ ନେଇ ଗିରଫ କରିଛି । ତେବେ ୟାକୁବ୍ ଗିରଫ ହେବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ଟିମ୍କୁ ମିଳିଛି । ହାଇଦର ଫେରାର୍ ହେବା ବିଷୟ ୟାକୁବ୍ ଓ ତାର କିଛି ସାଥୀ ପୂର୍ବରୁ ଜାଣିଥିବା ପୁଲିସକୁ ସୂଚନା ମିଳିଛି । ତେଣୁ ସେ ତାର ଦୋଷ ଲୁଚାଇବା ପାଇଁ ପୁଲିସ ହାତରେ ଧରା ଦେଇଥିବା କଟକ ପୁଲିସର ଜଣେ ବରିÂ ଅଧିକାରୀ କହିଛନ୍ତି । ୟାକୁବ୍ଠାରୁ ମିଳିଥିବା କିଛି ତଥ୍ୟ ଆଧାରରେ ପୁଲିସ ତାର ତଦନ୍ତକୁ ଆଗକୁ ବଢ଼ାଉଥିବା ସୂଚନା ମିଳିଛି । ଏପରିକି ୟାକୁବର କିଛି ସହଯୋଗୀଙ୍କୁ ମଧ୍ୟ ପୁଲିସ ଖୋଜୁଛି । ମାତ୍ର ସେମାନେ ଏବେ କଟକ ଛାଡ଼ି ଫେରାର୍ ହୋଇଯାଇଛନ୍ତି । ୟାକୁବ୍ର ମୋବାଇଲ୍ ଡାଟା ଓ ତାର ହ୍ୱାଟ୍ସ୍ଆପ୍ ଡାଟାକୁ ପୁଲିସ ଯାଞ୍ଚ କରୁଛି । ଏଥିରୁ ହାଇଦର ଫେରାର୍ ଘଟଣା ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ସୁରାକ୍ ମିଳିବ ବୋଲି ପୁଲିସ ଆଶା ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons