୪ହଜାର ଲାଞ୍ଚ ନେଇ ଧରାପଡ଼ିଲେ ହାଇସ୍କୁଲ କିରାଣି

Get real time updates directly on you device, subscribe now.

ସାଲେପୁର,(ବି.ବି.ନୁ୍ୟଜ): ସାଲେପୁର ବ୍ଲକ୍ ଅନ୍ତର୍ଗତ ଛାଣିପୁର ହାଇସ୍କୁଲ କିରାଣି ଅରୁଣ କୁମାର ପରିଡ଼ା, ଜଣେ ଅଭିଭାବକଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଅଧିକାରୀମାନେ ସାଲେପୁର ବ୍ଲକ ଅନ୍ତର୍ଗତ ଭୀମଦାସପୁରରେ ଥିବା ଶ୍ରୀ ପରିଡାଙ୍କ ପୈତୃକ ଘର ଏବଂ ଛାଣିପୁରରେ ଥିବା ତାଙ୍କ ଭଡ଼ା ଘରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି ।
ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଛାଣିପୁର ହାଇସ୍କୁଲର କିରାଣି ଅରୁଣ କୁମାର ପରିଡ଼ା ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ମୋନାଲିସା ବିଶ୍ୱାଳଙ୍କର ଛାତ୍ରବୃତ୍ତି କରାଇଦେବା ପାଇଁ ତାଙ୍କ ବାପା ବିପିନ ବିହାରୀ ବିଶ୍ୱାଳଙ୍କୁ ବିଦ୍ୟାଳୟକୁ ଡାକି ବିଭିନ୍ନ ସମୟରେ ଅର୍ଥ ଦାବି କରିଥିଲେ । ଏ ସଂପର୍କରେ ଶ୍ରୀ ବିଶ୍ୱାଳ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ୪୫ରେ ଶ୍ରୀ ବିଶ୍ୱାଳ ଛାଣିପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି କିରାଣି ଅରୁଣ ପରିଡ଼ାଙ୍କୁ ୪ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ପ୍ରସ୍ତୁତ ରହିଥିବା କଟକ ଡିଭିଜନ୍ ଭିଜିଲାନ୍ସ ଅଧିକାରୀମାନେ ଅରୁଣଙ୍କ ନିକଟରୁ ୪ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କଟକ ନେଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଅପରପକ୍ଷରେ ଅରୁଣଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ତାଙ୍କ ଗ୍ରାମ ଭୀମଦାସପୁରକୁ ନେବା ସହ ଛାଣିପୁରସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି । ଶ୍ରୀ ପରିଡାଙ୍କୁ କଟକସ୍ଥିତ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହେପାଜତରେ ପଠାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି । କିରାଣି ଶ୍ରୀ ପରିଡା ବିଭିନ୍ନ ସମୟରେ ଶିକ୍ଷକଙ୍କ ବଦଳିଠାରୁ ଆରମ୍ଭ କରି ପେନ୍ସନ୍ ଅର୍ଥ କରାଇଦେବା ନାମରେ ଏକାଧିକ ବ୍ୟକ୍ତିଙ୍କଠାରୁ ବ୍ୟାପକ ଅର୍ଥ ଆଦାୟ କରିଥିବା ଏ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଭିଜିଲାନ୍ସ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କଲେ ବହୁ ଘଟଣା ପଦାକୁ ଆସିପାରନ୍ତା ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons