ଗାଁ ଦାଣ୍ଡରେ ଠିକାଦାରଙ୍କୁ ବୀଭତ୍ସ ହତ୍ୟା

Get real time updates directly on you device, subscribe now.

କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ): ସକାଳ ସମୟ । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମ ଥିଲା ଚଳଚଞ୍ଚଳ । ଗ୍ରାମବାସୀଙ୍କ ଯାତାୟାତ ସାଙ୍ଗକୁ ଗାଡ଼ି ଚଳାଚଳ ହେଉଥାଏ । ଏହି ସମୟରେ ଗାଁ ଦାଣ୍ଡରେ ଜଣେ ଠିକାଦାରଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଭାଟପଡ଼ା ଗ୍ରାମର ଠିକାଦାର ଟୁକୁନା ଛଟେଇ (୪୦)ଙ୍କୁ ବରିଡ଼ା ଗ୍ରାମର ଶ୍ରମିକ ରାଧାକୃଷ୍ଣ ସାହୁ(୧୯) ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ପେଟକୁ ଦୁର୍ବୃତ୍ତ ଜଣଙ୍କ ଭୁସିବାରେ ଲାଗିଥାଏ । ଶହଶହ ଲୋକଙ୍କ ଆଗରେ ଏହି ହତ୍ୟାକାଣ୍ଡ ଘଟିଥିଲା । ୧୫ ମିନିଟ୍ ଧରି ସ୍ତବ୍ଧ ପାଲଟିଗଲା ଗାଁ ଦାଣ୍ଡ । ରାସ୍ତାରେ ଭାସିଲା ରକ୍ତ । ଜଣେ ମଧ୍ୟ କେହି ବଞ୍ଚାଇବାକୁ ସାହାସ ଜୁଟାଇ ପାରିନଥିଲେ । ମାତ୍ର ଜଣେ ମହିଳା ହତ୍ୟାକାଣ୍ଡ ରୋକିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । କିଛି ଲୋକ ହତ୍ୟାକାଣ୍ଡ ଘଟଣାର ଭିଡିଓ କରି ଭାଇରାଲ କରିଛନ୍ତି ।
ଜଣାଯାଇଛି ଯେ, ଟୁକୁନା ଠିକାଦାର ଭାବେ କାମ କରି ଏ ଅଞ୍ଚଳରୁ ଆନ୍ଧ୍ରକୁ କାମ ପାଇଁ ଶ୍ରମିକଙ୍କୁ ପଠାଇଥାନ୍ତି । ଏ.ବରିଡା ଗ୍ରାମର ରାଧାକୃଷ୍ଣ ବର୍ଷ ବର୍ଷ ଧରି ତାଙ୍କ ପାଖରେ କାମ କରିଆସୁଥିଲେ । ୨୦୦୦ ଟଙ୍କା ପ୍ରାପ୍ୟ ପାଇବାକୁ ଥିବା ବେଳେ ଟୁକୁନାକୁ ବାରମ୍ବାର ମାଗି ନିରାଶ ହୋଇଥିଲେ । ଆଜି ସକାଳୁ ଟୁକୁନା ଶ୍ରମିକ ସଂଗ୍ରହ ପାଇଁ ଗୋବନ୍ଦପୁର ଆସିଥିଲେ । ଏହାଜାଣି ବରିଡା ଗ୍ରାମ ଜଗନ୍ନଥ ମନ୍ଦିର ନିକଟରେ ରାଧାକୃଷ୍ଣ ଜଗି ରହିଥିଲା । ସକାଳ ପ୍ରାୟ ସାଢେ଼ ୭ଟା । ଗୋବିନ୍ଦପୁରରୁ ଫେରିବା ସମୟରେ ଟୁକୁନାଙ୍କୁ ଅଟକାଇ ବକେୟା ଟଙ୍କା ମାଗିଥିଲା ରାଧାକୃଷ୍ଣ । ପରେ ଦେବି ବୋଲି ଠିକାଦାର ଜଣଙ୍କ କହିଥିଲେ । ଗାଁ ମଝିରେ ଲୋକଙ୍କ ଗହଳି ରହିଥିଲା । ତଥାପି ରାଧାକୃଷ୍ଣ ଛୁରି ବାହାର କରି ଠିକାଦାରଙ୍କୁ ଆକ୍ରମଣ କରିଛନ୍ତି । ଠିକାଦାର ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ରକ୍ଷା କରିବାକୁ କାକୁତି ମିନତୀ କରିଥିଲେ ମଧ୍ୟ କେହି ଆସିଲେ ନାହିଁ । ଶହ ଶହ ଲୋକ ଗାଁ ଦାଣ୍ଡରେ ରହିଥାନ୍ତି । କିଏ ଛାତ ଉପରେ ତ ଆଉ କିଏ ବାରଣ୍ଡାରେ ବସିଥାନ୍ତି । ଆଉ କିଏ କବାଟ ପାଖରେ ତ ଆଉ କିଏ ଟିକେ ଦୂରରେ ଠିଆ ହୋଇ ଦେଖୁଥାନ୍ତି । ଖାଲି ସେତିକି ନୁହେଁ ଆଉ କିଏ ଲୁଚିଛପି ଭିଡିଓ ରେକଡିଂ କରୁଥିଲେ । ମାତ୍ର ବଞ୍ଚାଇବାକୁ କେହି ସାହାସ କରିପାରିନଥିଲେ । ଜଣେ ମହିଳା ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।
୧୫ ମିନିଟ୍ ଧରି ସ୍ତବ୍ଧ ପାଲଟିଗଲା ଏ ବରିଡ଼ା ଗ୍ରାମ । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳେ ହିଁ ଠିକାଦାରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ, ଏଏସ୍ଆଇ ଆର. ଶଙ୍କର ରାଓ ପହଞ୍ଚି ଅଭିଯୁକ୍ତ ରାଧାକୃଷ୍ଣଙ୍କୁ ଗିରଫ କରିବା ପରେ ବ୍ୟବହୃତ ଛୁରିକୁ ଜବତ କରିଛି । ମୃତକଙ୍କ ବାପା ଜୟରାମ ଛଟାଇ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଭାଟପଡ଼ା ଗ୍ରାମର ଠିକାଦାର ଟୁକୁନାର ପୁଅ ଓ ଝିଅ ଥିବା ବେଳେ ରାଧାକୃଷ୍ଣ ଅବିବାହିତ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons