ଗଡ଼ିଲା ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ୧୩ ମାସ ପରେ ପୁଣି ଥରେ ଜୟପୁରରୁ ରାଜଧାନୀକୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହୋଇଛି । ଟ୍ରେନ୍ ନମ୍ବର ୦୮୪୪୬ ଜଗଦଲପୁରରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଟ୍ରେନ୍ଟି ଭାୟା ଜୟପୁର, କୋରାପୁଟ, ରାୟଗଡ଼ା, ବିଜୟନଗରମ୍ ଏବଂ ବ୍ରହ୍ମପୁର ଦେଇ ଚଳାଚଳ କରିବ । ଏଥିରେ କେବଳ ଟିକେଟ୍ ସଂରକ୍ଷଣ କରିଥିବା ଯାତ୍ରୀ ଯାତାୟାତ କରିପାରିବେ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଗତ ୨୦ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ୦୮୪୪୫ ଭୁବନେଶ୍ୱରରୁ ଯାତ୍ରୀ ନେଇ ଜଗଦଲପୁର ବାହାରିଥିଲା । ଆଜି ଜୟପୁର ଷ୍ଟେସନରେ ହାତଗଣତି କେତେକ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇଥିଲେ । ପରେ ଟ୍ରେନଟି ଜଗଦଲପୁର ଅଭିମୁଖେ ବାହାରିଥିଲା । ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି । କରୋନା କଟକଣା ଲାଗି ୨୦୨୦ ମାର୍ଚ୍ଚ ୨୦ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଚଳାଚଳ ବନ୍ଦ କରାଯାଇଥିଲା । ଆଜି ଠିକ୍ ୧୩ ମାସ ପରେ ହୀରାଖଣ୍ଡ ନହେଲେ ବି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳକୁ ସାଧାରଣରେ ସ୍ୱାଗତ କରାଯାଇଛି ।
ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ବିଜୟନଗରମ୍ ଦେଇ ଚଳାଚଳ କରିବା ଲାଗି ରେଳବାଇ ନିଷ୍ପତ୍ତି ନେଇଥିଲା । ଏ ସମ୍ପର୍କରେ ଗତ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏପ୍ରିଲ ୨୦ ଏବଂ ୨୧ରୁ ଟ୍ରେନ୍ ନମ୍ବର ୦୮୪୪୭/୦୮୪୪୮ ଚଳାଚଳ କରିବ ବୋଲି ଉଲ୍ଲେଖ ରହିଥିଲା । ପରେ ଉପରୋକ୍ତ ଟ୍ରେନ୍ ନମ୍ବର ବଦଳାଯାଇ ୦୮୪୪୫ ଏବଂ ୦୮୪୪୬ କରାଯାଇଥିଲା । ନିଷ୍ପତ୍ତି ମୁତାବକ ଗତ ୨୦ ତାରିଖ ରାତି ୭ଟା ୩୫ରେ ୦୮୪୪୫ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଜଗଦଲପୁର ଅଭିମୁଖେ ବାହାରିଥିଲା । ଆଜି ୭ ମିନିଟ୍ ବିଳମ୍ବ ଅର୍ଥାତ୍ ପୂର୍ବାହ୍ନ ୧୦ଟା ୨୦ରେ ଜୟପୁର ଷ୍ଟେସନରେ ପହଞ୍ଚିଥିଲା । ମାତ୍ର ୪୦ରୁ ୫୦ ଜଣ ଯାତ୍ରୀ ଗାଡ଼ିରୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅପରାହ୍ନରେ ଟ୍ରେନ୍ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ଆସିବା ଅପେକ୍ଷା ଯିବା ବେଳେ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ଦେଖାଯାଇଥିଲା ।
ସୂଚନାଥାଉକି, ଟ୍ରେନ୍ଟି ଜଗଦଲପୁରରୁ ପ୍ରତିଦିନ ଅପରାହ୍ନ ସାଢେ ୪ରେ ବାହାରି ଜୟପୁରରରେ ୫ଟା ୪୨ ଏବଂ କୋରାପୁଟରେ ସନ୍ଧ୍ୟା ୬ ଟା ୫୫ରେ ପହଞ୍ଚିବ । ରାସ୍ତାରେ କେବଳ ଦାମନଯୋଡ଼ି, ଟିକିରି ଷ୍ଟେସନରେ ଅଟକି ରାୟଗଡ଼ାରେ ରାତି ୧୦ଟା ୫୦ରେ ପହଞ୍ଚିବ । ପାର୍ବତୀପୁର, ବବିଲି ଷ୍ଟେସନରେ ଅଟକି ରାତି ଗୋଟାଏ ୧୫ରେ ବିଜୟନଗରମ୍ରେ ଅଟକିବ । ସେଠାରୁ ଚିପୁରପାଲ୍ଲୀ, ଶ୍ରୀକାକୁଲମ୍ ରୋଡ୍, ପଲାସା, ସୋମପେଟା, ଇଚ୍ଛାପୁରମ୍, ବ୍ରହ୍ମପୁର, ଛତ୍ରପୁର, ଖଲ୍ଲିକୋଟ, ବାଲୁଗାଁ, କାଳୁପଡାଘାଟ, ନିରାକାରପୁର ଏବଂ ଖୋର୍ଦ୍ଧାରୋଡ୍ ଜଂକସନରେ ରହି ପରଦିନ ପୂର୍ବାହ୍ନ ୮ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଫେରିବା ରାସ୍ତାରେ ଉପରୋକ୍ତ ଷ୍ଟେସନରେ ଗାଡ଼ି ରହିବ । ଗାଡ଼ିରେ ମୋଟ ୧୨ଟି କୋଚ୍ ରହିଛି । ସାଧାରଣ ଯାତ୍ରୀଙ୍କ ଚଳାଚଳ ଉପରେ କଟକଣା ରହିଛି । କେବଳ ସଂରକ୍ଷିତ ଟିକେଟ୍ ପାଇଥିବା ଯାତ୍ରୀ ଏଥିରେ ଯାତାୟାତ କରିପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons