ଛୁଆକୁ ନପାଇ ରକ୍ତମୁଖା ମାଈ ହାତୀ: ୪ ଜଣଙ୍କୁ ଦଳିଦେଲା

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଓ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ୍ରେ ଏକ ମାଈହାତୀ ନିଜ ଛୁଆକୁ ଖୋଜି ତାଣ୍ଡବ ରଚାଇଛି । ଛୁଆକୁ ନପାଇ ହାତୀଟି ହିଂସ୍ର ହୋଇ ୪ଜଣଙ୍କୁ ଦଳି ମାରି ଦେଇଛି । ବର୍ତ୍ତମାନ ହାତୀଟି ଛେଲିଆ ଜଙ୍ଗଲରେ ରହିଥିବା ଜଣାପଡିଛି । ଗତକାଲି ରାତିରେ ହାତୀଟି ଗାଇସିଲେଟ ବ୍ଲକ ଦେଇ ରାଇସଲପଦର ପଞ୍ଚାୟତ ଉମରାଡ ଆସୁଥିଲା । ସେହି ସମୟରେ ମାଲ ସେଟ (୫୫), ବିରଞ୍ଚି କୁମ୍ଭାର (୬୧) ଶୌଚ ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଥିଲେ । ବିରଞ୍ଚିଙ୍କୁ ମାରିବା ପରେ ହାତୀଟି ଉକ୍ତ ଗାଁର ମାଲ ସେଠଙ୍କୁ ଦଳିଚକଟି ମାରିଦେଇଥିଲା । ତା’ପରେ ହାତୀଟି ଜ୍ୱାଇଁ ଘର ନାଥପାଲିକୁ ଆସିଥିବା ବଲାଙ୍ଗୀର ଜିଲ୍ଲା ସରଗାଡ଼ର ଶିବ ସେଠ (୬୫)ଙ୍କୁ ଆକ୍ରମଣ କରିଥିଲା । ଶିବ ସେଠ ମଧ୍ୟ ଘଟଣା ସ୍ଥଳରେ ଆଖିବୁଜିଥିଲେ । ସେହିପରି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ର ଭରସୁଜା ପଞ୍ଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁର ବିରଞ୍ଚି ସାହୁ (୫୨) ଆଜି ଭୋରରେ କ୍ଷେତକୁ ଆମ୍ବ ଗୋଟାଇ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ । ହାତୀଟି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ମାରିଥିଲା । ଏହା ପରେ ରକ୍ତମୁଖା ହୋଇ ଏଣେତେଣେ ଦୌଡ଼ିବା ସହ ଚାରିଆଡେ଼ ଆତଙ୍କ ଖେଳାଇଥିଲା ।
ରାଇସଲପଦର ପଞ୍ଚାୟତବାସୀ ବନ ବିଭାଗ ଓ ପୁଲିସ୍କୁ ଜଣାଇବା ପରେ ପଦ୍ମପୁର ରେଞ୍ଜ ଅଫିସର ହରିଶଙ୍କର ନାଏକ, ପୂର୍ଣ୍ଣଚନ୍ଦ୍ର ମହନ୍ତ, ଗାଈସିଲାଟ ଫରେଷ୍ଟର ଘାସିରାମ ବିଭାର, ଫରେଷ୍ଟଗାର୍ଡ ଦେବେନ୍ଦ୍ର ପ୍ରଧାନ, ସୀମା ଭୁଏ, ଏଲିଫେଣ୍ଟ ସ୍କ୍ୱାଡ୍ର ବାସୁଦେବ ସାହୁ, ନିରାକାର ନାଏକ, ଦିଲ୍ଲୀପ ବଢେ଼ଇ, ଦାମୋଦର ବିଶ୍ୱାଳ, ସୁଧୀର ପ୍ରଧାନ, ତହସିଲଦାର ପୁଷ୍ପକ ପ୍ରଧାନ, ଜିଲ୍ଲା ଉପାଧ୍ୟକ୍ଷ ମଦନ ଦୀପ, ବିଜେପି ନେତା ଗୋବର୍ଦ୍ଧନ ଭୋଏ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ଓ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ତଦନ୍ତ କରିଥିଲେ । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଇଥିଲେ । ବନ ବିଭାଗର କହିବା ଅନୁସାରେ ଯେଉଁ ରାସ୍ତା ଦେଇ ହାତୀଟି ଯାଇଛି ତାହା ହାତୀର ଚଳାପଥ ନୁହେଁ । ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତକଙ୍କ ପରିବାରକୁ ଦଶ ଲକ୍ଷ ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।
ସେହିପରି ଖବରପାଇ ସାଲେଭଟା ଫରେଷ୍ଟର ଗଡୁଆ, ହାତୀ ଘଉଡାଳି ଦଳ ସହ ଦର୍ଲିପାଲି ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଛେଲିଆ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଖବର ପାଇ ଲୋଇସିଂହା ରେଞ୍ଜରଙ୍କ ସମେତ ବଲାଙ୍ଗିର ଡିଏଫଓ ସମୀର ଶତପଥି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେହିପରି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଦର୍ଲିପାଲି ଯାଇ ମୃତ ବିରଞ୍ଚିିଙ୍କ ପରିବାର ବର୍ଗଙ୍କୁ ଶାନ୍ତ୍ୱ୍ୱନା ଦେବା ସହ ସରକାରୀ ସହାୟତା ପାଇଁ ଡିଏଫଓଙ୍କ ସହିତ କଥା ହୋଇଥିବା ପ୍ରକାଶ । ହାତୀଟିର ବୟସ ୨୦ ବର୍ଷ ହେବ ଏବଂ ସେ କିଛିଦିନ ହେଲା ନିଜ ଛୁଆକୁ ଖୋଜୁଥିବା ସାଲେଭଟା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଉଛି । ଛେଲିଆ ଜଙ୍ଗଲରେ ଥିବା ଏହି ରକ୍ତମୁଖା ହାତୀର ଚଲାପଥ ସାଲେଭଟା-ଝାରବନ୍ଧଲି ଗାଇଖାଇ ଦେଇ ବକଟି ବେନ୍ଦ୍ରା ରାସ୍ତାରେ ପାଣ୍ଡରିଡୁଙ୍ଗୁରୀ-ଖୁଣ୍ଟୁଲିମୁଣ୍ଡା ରମାଇଁ ପାହାଡ ସୁବର୍ଣ୍ଣପୁର ଜିଲ୍ଲାର ମାଟିଆପାଲି, ଚହଟାଖୋଲ ହାଦୀଚଲା ପଥଦେଇ ଆଗକୁ ଯିବା ସମ୍ଭାବନା ରହିଛି । ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ରହିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ୬ ଦିନ ପୂର୍ବରୁ ଗତ ୧୩ ତାରିଖ ରାତି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଖଲିଆମୁଣ୍ଡା ଗାଁରେ ଅନ୍ୟ ଏକ ହାତୀ ପଶିଆସି ଗାଁର ଦେବେନ୍ଦ୍ର ବଢେ଼ଇଙ୍କୁ ଦଳିଦେଇଥିଲା । ଏବେ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ହାତୀଟି ରକ୍ତମୁଖା ହୋଇଥିବାରୁ ଲୋକେ ସଚେତନ ରହିବା ସହ ଘରୁ ନବାହାରିବାକୁ ମାଇକ ଯୋଗେ ସଚେତନ କରୁଥିବା କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons