ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣା

Get real time updates directly on you device, subscribe now.

ସମ୍ବଲପୁର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ର ମଙ୍ଗଳବାର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିଥିଲେ । ବୁଧବାର ତାଙ୍କ ଶବ ଆସି ବୁର୍ଲାରେ ପହଞ୍ଚିବା ପରେ ଜ୍ୟୋତିବିହାରରେ ମରଶରୀର ରଖି ଧାରଣା ଦିଆଯାଇଥିଲା । ଏହାପରେ ସ୍ୱର୍ଗତ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର ତାଙ୍କ ବାପାଙ୍କ ସୁଇସାଇଡ୍ ନୋଟ୍ ଆଧାରରେ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ, ପିଇଓ ଅବିନାଶ କର ଓ ପ୍ରଫେସର ବିଶ୍ୱଜିତ ଶତପଥୀଙ୍କୁ ମୃତୁ୍ୟ ପାଇଁ ଦାୟୀ କରିବା ସହ ବୁର୍ଲା ଥାନାରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଉକ୍ତ ଏତଲା ଆଧାରରେ ବୁର୍ଲା ପୁଲିସ୍ କୁଳପତି ପ୍ରଫେସର ମିତ୍ତଲଙ୍କ ସମେତ ସମ୍ପୃକ୍ତ ୩ ଜଣଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଧାରା ୩୦୬ ଅନୁସାରେ ମାମଲା ରୁଜୁ କରିଛି । ଜଣେ ଡିଏସ୍ପି ର୍ୟାଙ୍କ୍ର ଅଧିକାରୀ ଏହି ମାମଲାର ତଦନ୍ତ କରିବା ପରେ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
ବୁଧବାର ସ୍ୱର୍ଗତ ମିଶ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ଦିନ ୨ଟାରେ ମରଶରୀରକୁ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖକୁ ଅଣାଯାଇଥିଲା । ଯେଉଁଠି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ, ପୁରାତନ କର୍ମଚାରୀ ସଂଘ, ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ସିଦ୍ଧାର୍ଥ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଶବ ପହଞ୍ଚିବା ପରେ ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ଆନେ୍ଦାଳନରେ ବସିଥିଲେ । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଆଇନ୍ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସ୍ରେ ୨ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଥିବା ବେଳେ ଏସ୍ପି ବାତୁଲା ଗଙ୍ଗାଧର, ଅତିରିକ୍ତ ଏସ୍ପି ଅମରେଶ ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ପରିବାରର ଜଣେ ସଦସ୍ୟଙ୍କୁ ତୁରନ୍ତ ଚାକିରି ଦେବା ନେଇ କର୍ମଚାରୀ ସଂଘ ଦାବି କରିଥିଲା । ଏହି ଘଟଣା ପରେ କୁଳପତି ପ୍ରଫେସର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଯେଉଁଠି ସମ୍ବଲପୁର ଏସ୍ପି, ଉପ ଜିଲ୍ଲାପାଳ, ତହସିଲଦାର, ବିଶ୍ୱବିଦ୍ୟାଳୟ କୁଳସଚିବ, ସିଣ୍ଡିକେଟ୍ ସଦସ୍ୟ, କର୍ମଚାରୀ ସଂଘର ସଦସ୍ୟ, ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ତେବେ ବୈଠକ ପରେ ତୁରନ୍ତ ଶବ ଦାହ ପାଇଁ ରେଡକ୍ରସ୍ ପାଣ୍ଠିରୁ ନଗଦ ୧୦ ହଜାର ଟଙ୍କା ଓ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସିଣ୍ଡିକେଟ୍ ବୈଠକ ପରେ ନିଷ୍ପତ୍ତି ନିଆଯାଇ ଆଉ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହାବାଦ୍ ସ୍ୱର୍ଗତ ମିଶ୍ରଙ୍କ ପୁଅକୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସ୍ୱର୍ଗତ ମିଶ୍ର ଯେଉଁ ସରକାରୀ କ୍ୱାର୍ଟରରେ ରହୁଥିଲେ ତାଙ୍କ ପରିବାର ବର୍ଗ ମଧ୍ୟ ଉକ୍ତ କ୍ୱାର୍ଟରରେ ହିଁ ରହିବେ ବୋଲି କୁହଯାଇଥିଲା । ଏହାପରେ ସନ୍ଧ୍ୟା ୭ଟା ବେଳକୁ ଶବ ଉଠିଥିଲା ।
ସ୍ମରଣଯୋଗ୍ୟ, ମଙ୍ଗଳବାର ସକାଳ ୯ଟାରେ ସ୍ୱର୍ଗତ ମିଶ୍ର ବିଶ୍ୱବିଦ୍ୟାଳୟକୁ ଆସିଥିବା ବେଳେ ଏକ ଚୋରି ଘଟଣାର ତଦନ୍ତ ପାଇଁ କହିବାରୁ କୁଳପତି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ଳେଖିଥିଲେ । ଏହାପରେ କୁଳସଚିବଙ୍କୁ ସେ ଉକ୍ତ ସୁଇସାଇଡ୍ ନୋଟ୍ ଦେବା ପରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ କିରୋସିନ୍ ଢ଼ାଳି ଆତ୍ମାହୁତି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅଧାବାଟରେ ହିଁ ଅନୁଗୁଳ ଜିଲ୍ଲା ଜରପଡ଼ା ନିକଟରେ ସେ ଆଖି ବୁଜିଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons