
ଯାଜପୁର : ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ଘଟଣା ଉପରୁ ପରଦା ହଟିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ ସ୍ବାଇଁ । ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ଅଭିଯୁକ୍ତ ରାକେଶ । ଘଟଣାର ସମସ୍ତ ଅଭିଯୁକ୍ତ ଗିରଫ ହେବା ପରେ ରହସ୍ୟ ଉପରୁ ପରଦା ଉଠାଇଛି ଯାଜପୁର ପୋଲିସ । ଝରାଫୁଲ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ୱାଇଁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ରହସ୍ୟର ଉନ୍ମୋଚନ କରିଛି । ଯାଜପୁର ଏସପି ରାହୁଲ ପି. ଆର. ସାମ୍ବାଦିକ ସମ୍ମିଳନୀରେ ଝରାଫୁଲ ହତ୍ୟାକାଣ୍ଡ ନେଇ ସମସ୍ତ ସୂଚନା ଦେଇଛନ୍ତି ।
ଯାଜପୁର ଏସପିଙ୍କ ସୂଚନା ଅନୁସାରେ ଝରାଫୁଲଠାରୁ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ବିିଭିନ୍ନ ସମୟରେ ଟଙ୍କା ଧାର ସୁତ୍ରରେ ନେଇଥିଲା । କିନ୍ତୁ ଟଙ୍କା ଫେରାଉନଥିଲା । ଝରାଫୁଲ ଟଙ୍କା ଫେରାଇବାକୁ ଜିଦ୍ ଧରିବାରୁ ରାକେଶ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଗତ ଜାନୁଆରୀ ୨୬ ତାରିଖ ଦିନ ରାକେଶ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲକୁ ରଖିଥିଲା । ସେଠାରେ ଝରାଫୁଲକୁ ଜୋରଜବରଦସ୍ତ ମଦ ପିଇଆ ଦେଇଥିଲା । ସେ ବେହୋସ ହେବା ପରେ ତାକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା । ହତ୍ୟା ପରେ ଝରାଫୁଲଙ୍କ ଶବକୁ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟି ସାହାଯ୍ୟରେ ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟସ୍ଥ ରାସ୍ତା କଡରେ ଫିଙ୍ଗି ଉଭୟ ଫେରାର ହୋଇଯାଇଥିଲେ । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବଂ ଅମରେଶ ରାଉତ ଗିରଫ ହୋଇଥିଲେ । ବୁଧବାର ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ ସହାୟତାରେ ଯାଜପୁର ପୋଲିସ ଶକ୍ତି ସ୍ୱାଇଁକୁ ଗିରଫ କରିଛି ବୋଲି ଏସପି ରାହୁଲ ପି. ଆର. ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍ ଖୋଜିବା ପରେ ତାଙ୍କ ମୋବାଇଲ୍ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ପୋଲିସ ଜାଣିପାରିଥିଲା । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।


Comments are closed, but trackbacks and pingbacks are open.