
ଜଳେଶ୍ୱର,(ବି.ବି.ନୁ୍ୟଜ): ଦୀର୍ଘ ଦିନ ଧରି ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ୪୦ଜଣିଆ ହାତୀଦଳ ରାଇବଣିଆ ଅଞ୍ଚଳର ଲୁହାପଡ଼ାରେ ରହି ବ୍ୟାପକ ଅଞ୍ଚଳରେ ଚାଷଜମିକୁ ନଷ୍ଟ କରି ମୟୂରଭଞ୍ଜ ଜିଲ୍ଲା ଗାଁ ଅମର୍ଦ୍ଧା ପର୍ଯ୍ୟନ୍ତ ପଳାଇ ଯାଇଥିଲେ । ସେ ଅଞ୍ଚଳର ଚାଷୀମାନେ ଏକତ୍ର ହୋଇ ହାତୀପଲକୁ ପୁଣି ଲୁହାପଡ଼ା ଜଙ୍ଗଲକୁ ଘଉଡ଼ାଇଛନ୍ତି । ଲୁହାପଡ଼ା ଅଞ୍ଚଳର ବିଜୟ କୁମାର ମହାନ୍ତିଙ୍କ ଫାର୍ମ ନିକଟରେ ଏହି ହାତୀ ଦଳ ଦଳ ହୋଇ ବୁଲିବା ସହିତ ବ୍ୟାପକ ଧାନଜମି କ୍ଷତି କରୁଛନ୍ତି । ପୁନଶ୍ଚ ଅନ୍ୟ ଏକ ୨୦ଜଣିଆ ଝାଡ଼ଖଣ୍ଡି ହାତୀଦଳକୁ ପଶ୍ଚିମବଙ୍ଗର ଅଧିବାସୀମାନେ ଆମ୍ବିଶୋଳ ଦେଇ ସୁଖଜୋଡ଼ି ଜଙ୍ଗଲରେ ପୂରାଇ ଦେଇଛନ୍ତି । ଏବେ ଏହି ହାତୀପଲ କାଲାଯୋଡ଼ି, ଧାନଘେରା ପ୍ରଭୃତି ଅଞ୍ଚଳରେ ରହି ତାଣ୍ଡବ ଲୀଳା କରିବା ଫଳରେ ଲୋକମାନେ ଆଶଙ୍କାରେ ରହିଛନ୍ତି । ଦୁଇଟି ସ୍ଥାନରେ ପାଖାପାଖି ୬୦ଟି ହାତୀ ଇତସ୍ତତ ଘୂରି ବୁଲୁଥିବାରୁ ବନବିଭାଗର ଚିନ୍ତା ବଢିଯାଇଛି । ସ୍ପଳ୍ପ କେତେକ ବନ କର୍ମଚାରୀମାନଙ୍କୁ ନେଇ ଫରେଷ୍ଟର ଦୁଷ୍ମନ୍ତ ଜେନା ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହେଉଥିବା ଆଶଙ୍କା କରି ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିଦେ୍ର୍ଧଶ କ୍ରମେ ଜଳେଶ୍ୱର ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି ନୀଳଗିରିରୁ ଏକ ଟିମ୍ ନେଇ ଲୁହାପଡ଼ାରେ ପହଞ୍ଚିଛନ୍ତି । ହାତୀପଲ ଲୁହାପଡା କ୍ରସର ବାଟ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯିବାକୁ ଚାହୁଁଥିବା ବେଳେ ଲୁହାପଡ଼ା ଓ କେନ୍ଦୁଖୁଣ୍ଟା ଗ୍ରାମର ଲୋକମାନେ ତାଙ୍କର ଚାଷଜମି ବାରମ୍ବାର ନଷ୍ଟ ହେଉଥିବାରୁ ସେମାନେ ସେହି ରାସ୍ତାରେ ହାତୀଗୁଡ଼ିକୁ ଛାଡ଼ିବେ ନାହିଁ ବୋଲି ଜଗି ବସିଛନ୍ତି । ଏହି ପରିସ୍ଥିତିରେ ହାତୀମାନଙ୍କର ଉପଦ୍ରବକୁ ଭବିଷ୍ୟତରେ କେମିତି ରୋକାଯାଇପାରିବ, ସେଥିପାଇଁ ଏକ ମାଷ୍ଟର ପ୍ଲାନର ଆବଶ୍ୟକତା ରହିଛି ବୋଲି ସର୍ଦ୍ଧାରବନ୍ଧ ସରପଞ୍ଚ ଦିଲ୍ଲୀପ ସାମଲ, ବରଡିହା ପୂର୍ବତନ ସରପଞ୍ଚ ଅଜୟ ମହାନ୍ତି, କାଳିକ ସରପଞ୍ଚ ବିଜୟ ବେହେରା, ପୂର୍ବତନ ସରପଞ୍ଚ ଗଙ୍ଗାଧର ଦାସ, ଓଲମରା ସରପଞ୍ଚ ଯତୀନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ବ୍ରିଜେଶ ରଣା, ଶ୍ୟାମନଗର ପୂର୍ବତନ ସରପଞ୍ଚ ମନୋଜ କୁମାର ସାସମଲ, ରାଇବଣିଆ ପୂର୍ବତନ ସରପଞ୍ଚ ସନ୍ଦିପ ଘୋଷ, ସମିତି ସଦସ୍ୟ ଦିଗାମ୍ବର ଦାସ ପ୍ରମୁଖ ନେତୃବୃନ୍ଦ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.