ଓଏଏସ୍ ପାଇ ବି ଶିକ୍ଷକତା

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲାର ଅବହେଳିତ ତଥା ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ତାଙ୍କ ଜୀବନ । ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ରେ ସଫଳତା ପାଇ ବି ଶିକ୍ଷକତା ଜୀବନକୁ ଆପଣେଇ ନେଇଛନ୍ତି । ଯେଉଁଠି ବି ଶିକ୍ଷକତା କରିଛନ୍ତି ସେଠି ଦେଖାଇଛନ୍ତି ତାଙ୍କ ଉକ୍ରର୍ଷତା । ଜଣେ କିମ୍ବା ଦୁଇଜଣ ଛାତ୍ରଛାତ୍ରୀ ନୁହନ୍ତି, ତାଙ୍କ ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳତା ପାଇପାରୁଛନ୍ତି । ଅନେକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରି ଏବେ ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟୟନ କରୁଛନ୍ତି । ଏଭଳି ଜଣେ ଶିକ୍ଷକ ହେଲେ କୋରାପୁଟ ସଦର ବ୍ଲକ୍ ଦେବୀଘାଟ କନ୍ୟାଶ୍ରମ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ରିଷ୍ଟ ମାଝୀ । ସବୁଠୁ ବଡ଼କଥା ହେଲା ଚାକିରି କାଳରେ ସେ ଦିନଟିଏ ହେଲେ ଛୁଟି ନେଇନାହାନ୍ତି ।
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କୋମଳମତୀ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ଶ୍ରୀ ମାଝୀ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ । ଉଚ୍ଚକୋଟୀର ଚିନ୍ତାଧାରାକୁ ନେଇ ଶିକ୍ଷକତା ପେଶାକୁ ଆଦରି ନେଇଛନ୍ତି । ୨୦୦୦ ମସିହାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଥିଲେ ହେଁ ଉକ୍ତ ପଦକୁ ଆଡେ଼ଇ ଦେଇଥିଲେ । ଲକ୍ଷ୍ୟ ଥିଲା ତାଙ୍କ ପରି ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା । ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷକତା ଜୀବନକୁ ଆପଣାଇ ନେଇଥିବା ସେ କହିଛନ୍ତି । ନିଜ ଭବିଷ୍ୟତ ଗଢ଼ିବା ଅପେକ୍ଷା ପଛୁଆ ଶ୍ରେଣୀର ପିଲାଙ୍କୁ ମଣିଷ କରିବା ଅତି ଜରୁରୀ ବୋଲି ସେ କହିଛନ୍ତି ।
୨୦୦୩ ମସିହାରେ ଶ୍ରୀ ମାଝୀଙ୍କ ଶିକ୍ଷକତା ଜୀବନ ଆରମ୍ଭ ହୋଇଥିଲା ଦଶମନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ସେହିବର୍ଷ ଏହି ବିଦ୍ୟାଳୟର ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ତାଙ୍କ ନିÂାପର ଉଦ୍ୟମ ଓ ପରିଶ୍ରମକୁ ସାଧୁବାଦ ଜଣାଇ ସମ୍ମାନିତ କରାଯାଇଥିଲା । ଏହି ବିଦ୍ୟାଳୟକୁ ଶିକ୍ଷା ବିଭାଗ ତରଫରୁ ଗ୍ରେଡେସନଭୁକ୍ତ କରାଯାଇଥିଲା । ଫଳରେ ସ୍କୁଲ୍ର ସୁନାମ ଆସିଥିଲା । ବିଦ୍ୟାଳୟର ଉନ୍ନତି ପାଇଁ ଶ୍ରୀ ମାଝୀ ସବୁବେଳେ ପିଲାଙ୍କ ସହ ବିଭିନ୍ନ ବିଷୟରେ ଚର୍ଚ୍ଚା କରିବା ସହ ସେ ନିଜେ ମଧ୍ୟ ଅଧ୍ୟୟନ କରୁଥିଲେ । ୨୦୧୧ରେ ତାଙ୍କୁ ଦଶମନ୍ତପୁର ବ୍ଲକ୍ରୁ ନବରଙ୍ଗପୁର ହାଇସ୍କୁଲ୍କୁ ବଦଳି ହୋଇଥିଲା । ସେଠାରେ ମଧ୍ୟ ଏହି ହାଇସ୍କୁଲ୍ର ଦଶମ ଶ୍ରେଣୀର ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳତା ସହ ପାସ୍ କରିଥିଲେ । ୨୦୧୩ରେ ତାଙ୍କୁ ସେମିଳିଗୁଡ଼ା ବ୍ଲକ୍ ସରକାରୀ ହାଇସ୍କୁଲ୍କୁ ବଦଳି କରାଯାଇଥିଲା । ସେଠାରେ ସେହିବର୍ଷ ଅଧ୍ୟୟନରତ ଦଶମ ଶ୍ରେଣୀର ୧୧୩ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ତଥା ରାଜ୍ୟସ୍ତରରେ ସୁନାମ ଆଣିଥିଲେ । ତାଙ୍କୁ ସେହିବର୍ଷ ରାଜ୍ୟସ୍ତରରେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷାପ୍ରତି ତାଙ୍କ ଅନୁରାଗ ଓ ନିÂାପର ଉଦ୍ୟମ ପାଇଁ ରାଜ୍ୟ ଆଦିବାସୀ କଲ୍ୟାଣମନ୍ତ୍ରୀ ତାଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ ।
କେବଳ ଶିକ୍ଷା ନୁହେଁ, ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶ୍ରୀ ମାଝୀ ସବୁବେଳେ କାର୍ଯ୍ୟ କରିଆସୁଛନ୍ତି । ସର୍ଗିଫୁଲ କାର୍ଯ୍ୟକ୍ରମରେ ବିଭାଗୀୟ ନିଦେ୍ର୍ଧଶକ ରଘୁପ୍ରସାଦ ତାଙ୍କୁ ସମ୍ମାନିତ କରିଥିଲେ । ସେହିପରି ନନ୍ଦପୁର ବ୍ଲକ ସୁବାଇ ବିଦ୍ୟାଳୟର ସୁନାମ ପାଇଁ ତାଙ୍କୁ କୋରାପୁଟ ଜିଲ୍ଲାପାଳ, ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଉକ୍ରଳ ସାମ୍ବାଦିକ ସଂଘ ତାଙ୍କୁ ସମ୍ମାନିତ କରିଥିଲା । ଶ୍ରୀ ମାଝୀ ଯେଉଁ ସ୍କୁଲ୍ରେ ଥିଲେ ମଧ୍ୟ ପରିବେଶ ପ୍ରତି ତାଙ୍କ ନିÂା ଓ କାର୍ଯ୍ୟ ପିଲାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଥିଲା । ଗଛ ଲଗାଇବା, ପରିବେଶକୁ ପରିଚ୍ଛନ୍ନ କରିବା ଦିଗରେ ତାଙ୍କର ଉଦ୍ୟମ ଅତି ପ୍ରଶଂସନୀୟ । ନିକଟରେ ତାଙ୍କର ଏହି କାର୍ଯ୍ୟ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ପ୍ରକୃତିମିତ୍ର ସମ୍ମାନରେ ସମ୍ମାନିତ କରିଥିଲେ । ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଶ୍ରୀ ମାଝୀଙ୍କୁ ୧୪ଟି ମାନପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଛି । ବର୍ତ୍ତମାନ ସେ ଦେବୀଘାଟ ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ନିଜ ପ୍ରତିକ୍ରିୟାରେ ଶ୍ରୀ ମାଝୀ କହିଛନ୍ତି, ଏହି ବିଦ୍ୟାଳୟକୁ ରାଜ୍ୟର ଏକ ମାନ୍ୟତାପୂର୍ଣ୍ଣ ବିଦ୍ୟାଳୟ ଭାବେ ଗଢ଼ି ତୋଳିବାକୁ ସେ ସଂକଳ୍ପ କରିବା ସହ ପ୍ରୟାସ ଜାରି ରଖିଛନ୍ତି । ଆଦର୍ଶ ଶିକ୍ଷକ ଶ୍ରୀ ମାଝୀଙ୍କ ଏହି ମହାନ୍ ଉଦ୍ୟମ ଫଳବତୀ ହେଉ ଏହା ହିଁ କାମନା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons