ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବିଶାଖାପାଟଣାରୁ ରାୟପୁର ଯାଉଥିବାବେଳେ କୋରାପୁଟ ଘାଟିରେ ଓଲଟି ପଡ଼ିଲା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଏଥିରେ ଗାଡ଼ି ଡ୍ରାଇଭରଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ଘର ଆନ୍ଧ୍ରପ୍ରଦେଶ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନି । ମୃତଦେହ ଉଦ୍ଧାର ପରେ କୋରାପୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲ୍କୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଟାଙ୍କି କ୍ଷତିଗ୍ରସ୍ତ ହୋଇଥିବାରୁ ଦୁର୍ଘଟଣା ଆଶଙ୍କାରେ ଜାତୀୟ ରାଜପଥ-୨୬ରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ଏବଂ ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି । ରାୟଗଡ଼ାରୁ ଏକ ବିଶେଷଜ୍ଞ ଦଳ ପହଞ୍ଚିଥିବା ବେଳେ ବିଶାଖାପଟଣାରୁ ଅନ୍ୟ ଏକ ଟିମ୍ ବାହାରି ସାରିଛନ୍ତି । ସେମାନଙ୍କ ଉପସ୍ଥିତିରେ ଏଠାରେ ଅନ୍ୟ ଏକ ଟ୍ୟାଙ୍କର ପହଞ୍ଚିବା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଗ୍ୟାସ୍ ସ୍ଥାନାନ୍ତର କରାଯିବ । ଖବର ଲେଖା ହେବା ଅର୍ଥାତ୍ ରାତି ୭ଟା ପର୍ଯ୍ୟନ୍ତ ଉଦ୍ଧାର କାମ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଶାଖାପଟଣାରୁ ଗ୍ୟାସ୍ ବୋଝେଇ କରି ଟ୍ୟାଙ୍କର(ଏପି୧୫ୱାଇ-୩୪୮୮) ରାୟପୁର ଅଭିମୁଖେ ବାହାରିଥିଲା । ମଧ୍ୟାହ୍ଣରେ କୋରାପୁଟ ଘାଟିର ପ୍ରଥମ ବୁଲାଣି ଓହ୍ଲାଇବା ବେଳେ ରାସ୍ତାରେ ଏକ ବ୍ରେକ୍ଡାଉନ୍ ଟ୍ରକ୍ ଅଟକି ରହିଥିଲା । ଟ୍ରକ୍କୁ ସାଇଡ୍ କରି କରି ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଗ୍ୟାସ୍ ଟ୍ୟାଙ୍କର ଗାର୍ଡୱାଲ୍କୁ ଧକ୍କା ଦେଇଥିଲା । ଗାର୍ଡୱାଲ୍ ଭାଙ୍ଗି ଟ୍ୟାଙ୍କରଟି ପ୍ରାୟ ୨୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଖବରପାଇ ଅଗ୍ନିଶମ ଏବଂ କୋରାପୁଟରୁ ଓଡ୍ରାଫ ଟିମ୍ ପହଞ୍ଚିଥିଲା । ମୃତ ଡ୍ରାଇଭରଙ୍କ ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଥିଲା । ସଦର, ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚଳାଚଳ ବନ୍ଦ କରିଥିଲେ । ଅଗ୍ନିଶମ ଏସ୍ପି, ଡିଏସ୍ପି, ଉପଜିଲ୍ଲାପାଳ ହେମକାନ୍ତ ସୟ, ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ଓଏସ୍ଏପି ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ୍ ପ୍ରଭାତ କିଶୋର ଦାସ, ତହସିଲଦାର ପ୍ରଧାନ ଟୁଲିଆମ୍ମା, ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଅଗ୍ନିଶମ ଅଧିକାରୀ କୁନୁ ନାୟକ ପ୍ରମୁଖ ପହଞ୍ଚି ସ୍ଥତି ଉପରେ ନଜର ରଖିଛନ୍ତି । ଟାଙ୍କିରେ ମାଡ଼ ବାଜିଥିବାରୁ ଗ୍ୟାସ୍ ଲିକ୍ ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଟ୍ୟାଙ୍କରକୁ ଫୋମିଂ କରାଯାଇଛି । କୋରାପୁଟରୁ ବୋରିଗୁମ୍ମା ଯିବାକୁ ଥିବା ଗାଡ଼ିମୋଟର ରାଣୀଗଡ଼ ରାସ୍ତାରେ ଯିବା ଆସିବା କରୁଛି । ଏକ୍ସପର୍ଟ ଟିମ୍ ରିପୋର୍ଟ ମିଳିବା ପରେ ଏନ୍ଏଚ୍ରେ ଗାଡ଼ି ଚଳାଚଳ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଅନ୍ୟ ଟ୍ୟାଙ୍କରକୁ ଗ୍ୟାସ୍ ସ୍ଥାନାନ୍ତର ପରେ ଗୁରୁବାର ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉଦ୍ଧାର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons