ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ପୁଲିସର ମାଡ଼

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବଡ଼ଦାଣ୍ଡରେ ବୁଧବାର ଫଳ ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛି ପୁଲିସ । ଏନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟବସାୟୀମାନେ ବଡ଼ଶଙ୍ଖଠାରେ ଧାରଣା ଦେଇଥିଲେ । ପୁଲିସ ମାଡ଼ରେ ଆହତ ସାମ୍ବାଦିକ ଦତ୍ତାତ୍ରେୟ ନାୟକ ମଧ୍ୟ ଧାରଣା ଦେଇଥିଲେ । ପୁଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ସେପଟେ ଦୀପକ କୁମାର ସାହୁ ନାମକ ଜଣେ ଫଳ ବ୍ୟବସାୟୀ ପୁଲିସ ମାଡ଼ରେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି । ପରେ ସାମ୍ବାଦିକଙ୍କ ସହ ପୁଲିସର ଆପୋସ ସମାଧାନ ହୋଇଛି । କୋଭିଡ ନିୟମକ ପାଳନ ତଦାରଖ ପାଇଁ ବଡଶଙ୍ଖକୁ ପୁଲିସ ଏନଫୋର୍ସମେଣ୍ଟ ଟିମ୍ ଯାଇଥିଲା । ବଡ଼ଶଙ୍ଖ ମାର୍କେଟ୍ରେ କଟକଣା ଉଲ୍ଲଙ୍ଘନ କରି ବ୍ୟବସାୟ କରିବାକୁ ପୁଲିସ ବାରଣ କରିଛି । କଟକଣା ଉଲ୍ଲଙ୍ଘନ କରି ବ୍ୟବସାୟ କରୁଥିବା କିଛି ବେପାରୀ ପୁଲିସକୁ ଦେଖି ଦୌଡିବାବେଳେ କେତେକ ତଳେ ପଡି ଆହତ ହୋଇଥିବା ପୁଲିସ କହୁଛି । କିନ୍ତୁ ଦୀପକଙ୍କୁ ପୁଲିସ ମାଡ଼ ମାରି ଆହତ କରିଥିବା ସେ ଅଭିଯୋଗ କରିଛନ୍ତି ।
ଆହତମାନେଙ୍କୁ ପୁଲିସ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ଉଦ୍ୟମ କରିବାବେଳେ ବ୍ୟବସାୟୀମାନେ ଏକତ୍ର ହୋଇ ଆହତମାନଙ୍କୁ ଛାଡି ନଥିଲେ । କରୋନା ସମୟରେ ଜୀବନ ଜୀବିକା ପ୍ରଭାବିତ ହେଉଥିବା ଦାବି କରି ପୁଲିସର କାର୍ଯ୍ୟକୁ ସେମାନେ ବିରୋଧ କରିଥିଲେ । ଆହତମାନଙ୍କୁ ଅଟକାଇ ବଡ଼ଦାଣ୍ଡରେ ଆନେ୍ଦାଳନ କରିଥିଲେ । ଏହି ସମୟରେ ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ପୁଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ କରାଯାଇଥିଲା । ଏହି ସମୟରେ ଖବର ସଂଗ୍ରହ କରୁଥିଲେ ସାମ୍ବାଦିକ ଶ୍ରୀ ନାୟକ । ସେ ମଧ୍ୟ ପୁଲିସ ମାଡର ଶିକାର ହୋଇଥିଲେ । ପୁଲିସ ତାଙ୍କୁ ଟେକି ନେଇ ଭ୍ୟାନ୍ରେ ଭର୍ତ୍ତି କରି ଦେଇଥିଲା । ଏହି ସମୟରେ ଅନ୍ୟ ସାମ୍ବାଦିକମାନେ ପ୍ରତିବାଦ କରିବାରୁ ପୁଲିସ ତାଙ୍କୁ ଭ୍ୟାନ୍ରୁ ଓହ୍ଲାଇ ଦେଇଥିଲା । ଏହାପରେ ଘଟଣାକୁ ତୀବ୍ର ବିରୋଧ କରାଯାଇଥିଲା । ସାମ୍ବାଦିକ ଶ୍ରୀ ନାୟକଙ୍କ ସହ ବ୍ୟବସାୟୀମାନେ ବଡଶଙ୍ଖଠାରେ ଧାରଣାରେ ବସିଥିଲେ । ବ୍ୟବସାୟୀଙ୍କ ସହ ଧସ୍ତାଧସ୍ତିବେଳେ ୨ ଜଣ ହୋମ୍ଗାର୍ଡ ଆହତ ଥିବା କହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏସ୍ପି କେ.ବିଶାଲ ସିଂହଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଏସ୍ପି ମିହିର୍ ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଧନ ପାଢୀ, କୁମ୍ଭାରପଡା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ ସେଠାରେ ପହଞ୍ଚି ବୁଝାଶୁଝା କରିଥିଲେ । ପରିସ୍ଥିତି ଆୟତ୍ତ ନହେବାରୁ ସାମ୍ବାଦିକ ଶ୍ରୀ ନାୟକଙ୍କୁ ବୁଝାଶୁଝା କରି ଅନ୍ୟ ସାମ୍ବାଦିକଙ୍କ ସହ କୁମ୍ଭାରପଡାକୁ ନିଯାଇଥିଲା । ସେଠାରେ ସାମ୍ବାଦିକ ଓ ପୁଲିସ ମଧ୍ୟର ଆପୋସ ସମାଧାନ ହୋଇଥିବା ଜଣାପଡିଛି । ସାମ୍ବାଦିକଙ୍କୁ ଜାଣି ନପାରି ଏହି ଆକ୍ରମଣ କରିଥିବା ପୁଲିସ କହିଛି । ଆଇଆଇସି ଶ୍ରୀ ସେଠୀ କହିଛନ୍ତି ଯେ, ସାମ୍ବାଦିକ ଶ୍ରୀ ନାୟକଙ୍କୁ ଆମେ ସିନା ଜାଣିଛୁ । ହେଲେ ତଳିଆ କର୍ମଚାରୀ ଜାଣି ପନପାରିବାରୁ ଏଭଳି ଅଘଟଣ ଘଟିଗଲା । ସେପଟେ ବ୍ୟବସାୟୀ ଦୀପକ ତା’ ବାପାଙ୍କ ସହ ମଙ୍ଗଳବାର ବଡ଼ଶଙ୍ଖରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ଫଳ ବେପାର କରୁଥିଲା । ସେମାନଙ୍କୁ ଥାନାକୁ ଆଣି ଲେଖାପଢା କରି ଛଡା ଯାଇଥିଲା । ବୁଧବାର ପୁଣି ସେଠାରେ କୋଭିଡ କଟକଣା ନମାନି ବେପାର କରୁଥିଲା । ପୁଲିସକୁ ଦେଖି ସେ ଦୌଡିଥିଲା । ସେହି ସମୟରେ ତଳେ ପଡି ଦୀପକ ରକ୍ତାକ୍ତ ହୋଇଥିବାବେଳେ ପୁଲିସ ବିରୋଧରେ ମିଥ୍ୟା ଆରୋପ ଲଗାଉଛି ବୋଲି ଆଇଆଇସି କହଛନ୍ତି । ଏପରିକି କୋଭିଡ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ କରିଥିବା ନେଇ ୨୦ରୁ ଅଧିକ ବ୍ୟବସାୟୀଙ୍କ ବିରୋଧରେ ମାମଲା ହୋଇଛି ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons