ଗୋଷ୍ଠୀ ସଂଘର୍ଷରେ ୮ ଆହତ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ବାହାରେ ଜୋର୍ରେ ପାଟି କରିବା ଭଳି ମାମୁଲି କାରଣକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ଘଟି ୮ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ଜଣ ଗୁରୁତର ଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ୍ ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତ ହଳଦିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଦର ଥାନା ଅଧୀନ ହଳଦିଆ ଗ୍ରାମରେ ସେକ୍ ତୟବ ଆଲାମଙ୍କ ପରିବାର ବସବାସ କରିଆସୁଛନ୍ତି । ତୟବ ସବୁଦିନ ରାତିରେ ପ୍ରାୟ ଘରେ କଳିଗୋଳ କରୁଥିବା ବେଳେ ଗତକାଲି ରାତିରେ ମଧ୍ୟ ଜୋର୍ରେ ପାଟିକରି ତାଙ୍କ ପତ୍ନୀଙ୍କୁ ଗାଳି ଦେଉଥିଲେ । ଯାହାକୁ ନେଇ ସାହିପଡ଼ିଶା ଅସନ୍ତୁଷ୍ଟ ଥିଲେ । ଏଥିଯୋଗୁ ଅଞ୍ଚଳରେ ଶାନ୍ତିଭଙ୍ଗ ହେଉଥିବା ଅଭିଯୋଗ ହେଉଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ପତ୍ନୀ ପାଖ ନଳକୂଅରୁ ପାଣି ଆଣୁଥିବା ବେଳେ ତୟବ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିଲେ । ବାରମ୍ବାର ତାଗିଦ୍ ସତ୍ୱେ କୌଣସି ଫରକ ନ ପଡ଼ିବାରୁ ପଡେ଼ାଶୀ ପଚିଆ ବେହେରା ଏହାର ବିରୋଧ କରିଥିଲେ । ଯାହାକୁ ନେଇ ତୟବ ଓ ପଚିଆଙ୍କ ମଧ୍ୟରେ ଉଚ୍ଚବାଚ ଆରମ୍ଭ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ତୟବଙ୍କ ପୁଅ ଅଫତାବ ଆଲାମ ପଚିଆଙ୍କୁ ଧକ୍କା ମାରିଥିଲେ । ପଚିଆ ଏ ବାବଦରେ ତାଙ୍କ ପରିବାର, ଆତ୍ମୀୟସ୍ୱଜନଙ୍କୁ ଜଣାଇବା ପରେ ସେମାନେ ଉତ୍କ୍ଷିପ୍ତ ହୋଇ ତୟବ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । କଟୁରି ଚୋଟରେ ତୟବଙ୍କ ବାମ ହାତର ଆଙ୍ଗୁଠି କଟି ଯାଇଥିବା ବେଳେ ତାଙ୍କ ପତ୍ନୀ ଆସମା ବେଗମଙ୍କ ମୁଣ୍ଡରେ ଆଘାତ ଲାଗିଛି । ଆକ୍ରମଣରେ ତୟବଙ୍କ ପରିବାରରୁ ପୁଅ ସେକ୍ ଅଫତାବ ଆଲମ(୨୫) ଜବାହିର ଆଲମ(୨୩) ଓ ସୋଏବ ଆଲମ(୧୯) ମଧ୍ୟ ଆହତ ହୋଇଛନ୍ତି । ସେହିପରି ଅପରପକ୍ଷର ଆକ୍ରମଣ ଯୋଗୁଁ ପଚିଆ ଓ ତାଙ୍କ ପରିବାର ଲୋକମାନେ ମଧ୍ୟ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତୟବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ନେଇ ଥାନାରେ ପଚିଆ ବେହେରା, ପେଚ ସେଠୀ, ପ୍ରକାଶ ବେହେରା, ରବି ବେହେରା, କାଳିଆ ବେହେରା, ନନୁ ସେଠୀ, ରବି ବେହେରା, ବାଇନ ସେଠୀ ଓ ପିଣ୍ଟୁ ସେଠୀ ପ୍ରମୁଖଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେହିପରି ପଚିଆଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଏକ ଏତଲା ହୋଇଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଆଇଆଇସି ପବିତ୍ର ମହାରଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons