ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ: ଯୁବକଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ଲୁଟ୍ ଉଦ୍ୟମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥରେ ଆତଙ୍କ ଚଳାଇଛନ୍ତି ଲୁଟେରା । ଗୁରୁବାର ବିଳମ୍ବିତ ରାତିରେ ଜାତୀୟ ରାଜପଥର ହ୍ୟୁଣ୍ଡାଇ ସୋ’ରୁମ୍ ସମ୍ମୁଖରେ ଜଣେ ଯୁବକଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ବାଇକ୍ ଲୁଟ୍ ଉଦ୍ୟମ କରିଥିଲେ ୨ ଲୁଟେରା । ହେଲେ ଲୋକେ ପହଞ୍ଚିଯିବାରୁ ଦୁଇ ଲୁଟେରା ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଖସି ପଳାଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ତମାଣ୍ଡୋ ଥାନା ପୁଲିସ ତନାଘନା ଚଳାଇଥିଲେ ମଧ୍ୟ ଦୁଇ ବନ୍ଧୁକଧାରୀ ଲୁଟେରାଙ୍କ ପତ୍ତା ପାଇନାହିଁ ।
ଘଟଣାରୁ ଜଣାଯାଇଛି, ନୟାଗଡ଼ର କାହ୍ନୁ ଗୋଛି(୨୭) ତମାଣ୍ଡୋରେ ଭଡ଼ାରେ ରହି ଅଟୋ ଚଲାନ୍ତି । ସେ ଗତକାଲି ବିଳମ୍ବିତ ରାତିରେ ଏକ ହୋଟେଲକୁ ଖାଇବାକୁ ଯାଇ ବାଇକ୍ରେ ଘରକୁ ଫେରୁଥିଲେ । ହ୍ୟୁଣ୍ଡାଇ ସୋ’ରୁମ୍ ସମ୍ମୁଖ ବାଉଁଶ ଶଙ୍ଖ ନିକଟରେ ୨ ଲୁଟେରା ଏକ କଳା ରଙ୍ଗର ବାଇକ୍ରେ ଆସି ତାଙ୍କୁ ଅଟକାଇଥିଲେ । କାହ୍ନୁ କିଛି ବୁଝିବା ପୂର୍ବରୁ ଦୁଇ ଲୁଟେରା ଦୁଇଟି ବନ୍ଧୁକ ବାହାର କରି ତାଙ୍କ ଠାରୁ ବାଇକ୍ ଛଡ଼ାଇଥିଲେ । ହେଲେ କାହ୍ନୁ ବାଇକ୍ ଚାବି ଖୋଲି ପକେଟରେ ପୂରାଇ ଦେଇଥିଲେ । ଲୁଟେରାଦ୍ୱୟ ତାଙ୍କ ପକେଟରୁ ବାଇକ୍ ଚାବି ଛଡ଼ାଇଥିଲେ । ସେମାନଙ୍କ ସହ କାହ୍ନୁଙ୍କର ଠେଲାପେଲା ହୋଇଥିଲା । ରାଗରେ ଦୁଇ ଲୁଟେରା ବନ୍ଧୁକ ବଟ୍ରେ କାହ୍ନୁଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ମୁଣ୍ଡ ଫାଟି ରକ୍ତ ଜୁଡୁବୁଡୁ ହୋଇଥିଲେ ମଧ୍ୟ କାହ୍ନୁ ବାଇକ୍ ଚାବି ଦେଇ ନଥିଲେ । ଏହି ସମୟରେ କାହ୍ନୁଙ୍କ ୨ଜଣ ସାଙ୍ଗ ସେଠାରେ ପହଞ୍ଚିଯିବାରୁ ଦୁଇ ଲୁଟେରା ସେମାନଙ୍କୁ ବନ୍ଧୁକ ଦେଖାଇଥିଲେ । ଆଉ କିଛି ଲୋକ ପହଞ୍ଚି ଯିବାରୁ ୨ ଲୁଟେରା ସେମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରି ସେଠାରୁ ଖସି ଯାଇଥିଲେ । ବନ୍ଧୁ ଦ୍ୱୟ କାହ୍ନୁଙ୍କୁ ଏମ୍ସ ହସ୍ପିଟାଲକୁ ନେଇଥିଲେ । ଖବରପାଇ ତମାଣ୍ଡୋ ଥାନା ପୁଲିସ ଏମ୍ସ ହସ୍ପିଟାଲରେ ପହଞ୍ଚି କାହ୍ନୁଙ୍କୁ ଲୁଟେରାଙ୍କ ବିଷୟରେ ପଚରାଉଚରା କରିଥିଲା । ଆଜି ଏନେଇ କାହ୍ନୁ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଦୁଇ ବନ୍ଧୁକଧାରୀ ଲୁଟେରାଙ୍କ ପତ୍ତା ପାଇନାହିଁ ।
ଏଠାରେ ସୂଚନା ଥାଉକି, ଗତ କିଛିଦିନ ହେଲା ଲୁଟେରାମାନେ ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଠାରୁ ତଳଖେତା ଛକ ମଧ୍ୟରେ ଲୁଟ୍ପାଟ କରି ଆତଙ୍କ ଚଳାଇଛନ୍ତି । ମାସେ ଭିତରେ ଯାଁଳା ଫାଣ୍ଡି ଅଞ୍ଚଳରୁ ୬ଟି ଲୁଟ୍ପାଟ ଘଟଣା ଘଟିଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons