ବିଷ ପିଇ ଗୁରୁତର ଯୁବକ ମୃତ : ଡାକ୍ତରଖାନାରେ ଚାପା ଉତ୍ତେଜନା

Get real time updates directly on you device, subscribe now.

ଉଦଳା,(ବି.ବି.ନ୍ୟୁଜ୍):ପୁଣି ଉଦଳା ଡାକ୍ତରଖାନାକୁ ନେଇ ଉଠିଛି ବିବାଦ । ବାରମ୍ବାର ଡାକ୍ତର ଅଭାବ ଏବଂ ଡାକ୍ତରଙ୍କ ଚିକିତ୍ସା ଅବହେଳା ଭଳି ଅଭିଯୋଗ ଆସିଥିଲେ ସୁଦ୍ଧା ଏଥିରେ ସୁଧାର ଆସିନାହିଁ । ତେବେ ପୁଣି ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଉଦଳା ଡାକ୍ତରଖାନା ବିରୋଧରେ ।
ଖବର ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଭଣ୍ଡାରୀପୋଖରୀ ଥାନା ଅଞ୍ଚଳର ଯୁବକ ଦିଲ୍ଲୀପ ଘଡେଇ(୨୬) ନାମକ ଜଣେ ଯୁବକ ଉଦଳା ବସ୍ଷ୍ଟାଣ୍ଡରେ ବିଷ ପିଇ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ତାକୁ ଏକ ଅଟୋ ସହାୟତାରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଯୁବକ ଦିଲ୍ଲୀପ ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ ସୁଦ୍ଧା ଉକ୍ତ ସମୟରେ ଆଉଟଡୋର ଦାୟିତ୍ୱରେ ଥିବା ଡାକ୍ତର ଦିଲ୍ଲୀପଙ୍କୁ ଦେଖିବାକୁ ଆସି ନ ଥିଲେ । ଦିଲ୍ଲୀପ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଅନ୍ୟ କର୍ମଚାରୀ ଆସି ତାଙ୍କୁ ଅକ୍ସିଜେନ୍ ଲଗାଇବା ସହିତ ସାଲାଇନ୍ ଲଗାଇଥିଲେ । ହେଲେ କିଛି ସମୟ ପରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । ଚିକିତ୍ସା ଅବହେଳାରୁ ଦିଲ୍ଲୀପର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଅନ୍ୟପଟେ ଡାକ୍ତରଖାନାରେ ବାରମ୍ବାର ଏପରି ଅଘଟଣକୁ ନେଇ ଉତ୍ତ୍ୟକ୍ତ ଲୋକେ ହୋହାଲ୍ଲା ମଧ୍ୟ କରିଥିଲେ । ଏହାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲେ । ଖବର ପାଇ ଉଦଳା ପୁଲିସ୍ ଡାକ୍ତରଖାନା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଏହା ସହିତ ମୃତଦେହକୁ ଜବତ କରିଥିଲା । ଶୁକ୍ରବାର ଦିନ ମୃତଦେହକୁ ବ୍ୟବଚ୍ଛେଦ କରାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହେବା ଘଟଣା ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ବିଷ ପିଇ ଯୁବକ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କୁ ବଞ୍ଚାଇ ହୋଇ ନ ଥିଲା ବୋଲି କହିଛନ୍ତି । କିନ୍ତୁ ଚିକିତ୍ସାରେ ଅବହେଳା ହେବା କଥାକୁ ଉପଖଣ୍ଡ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons