ଖୋର୍ଦ୍ଧା,(ବି.ବି.ନ୍ୟୁଜ୍): ଖୋର୍ଦ୍ଧା ଅଞ୍ଚଳ ଏବେ ଖଣି ଏବଂ ନିଶାମାଫିଆଙ୍କ ସାମ୍ରାଜ୍ୟରେ ପରିଣତ ହୋଇଛି । ପ୍ରାୟ ଏକ ମାସ ହେବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ସ୍ଥାନୀୟ ଅଞ୍ଚଳରେ ଚଢାଉ ଜାରି ରଖିଥିବା ବେଳେ ଗିରଫ ଭୟରେ ନିଶା ଓ ଖଣିମାଫିଆ ଆତ୍ମଗୋପନ କରିବାରେ ଲାଗିଛନ୍ତି ।
ସେହିପରି ଡକାୟତଙ୍କ ମଧ୍ୟରେ ମଧ୍ୟ ଭାଳେଣି ପଡିଯାଇଛି । ସେମାନେ ବର୍ତ୍ତମାନ ଜାତୀୟ ରାଜପଥ ଏବଂ ନିଜ ଆଡ଼ାସ୍ଥଳୀରେ ଡକାୟତି ଯୋଜନା କରିବା ଉଚିତ ମନେ କରୁନଥିବା କୁହାଯାଉଛି । ତେଣୁ ଧାର୍ମିକ ଅନୁଷ୍ଠାନ ଓ ଏହା ଆଖପାଖ ଅଞ୍ଚଳକୁ ସୁରକ୍ଷିତ ସ୍ଥାନ ଭାବେ ବାଛିନେଇଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରରେ ଖୋର୍ଦ୍ଧା-ବାଜପୁର ରାସ୍ତାର ଜୟଗୁରୁ ଆଶ୍ରମ ବାମପାଶ୍ୱର୍ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ୫ ଡକାୟତକୁ ଆଦର୍ଶ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ରାଧାବଲ୍ଳଭ ସାହିର ଗଙ୍ଗା ପଣ୍ଡା, ଜଟଣୀ ଉତ୍ତରାୟଣୀସ୍ଥିତ ଦିଲ୍ଲୀପ ପ୍ରଧାନ ଓରଫ ବୁଲୁ, ଜାଁଳା ହରିଜନ ସାହିର ଅଭୟ କୁମାର ନାୟକ, ସୁମନ ନାୟକ ଏବଂ ଅନ୍ୟ ଜଣେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦୀପକ ପାଣ୍ଡବ । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨ ଗୋଟି ଭୁଜାଲି, ଗୋଟିଏ ଖଣ୍ଡା, ୨ ଖଣ୍ଡ ଲୁହାରଡ୍ ଓ ସେମାନେ ବ୍ୟବହୃତ କରୁଥିବା ଓଡି୦୨ଏଏଚ୍ ୬୧୪୬ ନମ୍ବର ବିଶିଷ୍ଟ ଅଟୋକୁ ପୁଲିସ ଜବତ କରିଛି ।
ଆଦର୍ଶ ଥାନା ତଦନ୍ତକାରୀ ସବ୍ ଇନ୍ସପେକ୍ଟର ବିଜୟ କୁମାର ବେହେରାଙ୍କ ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରରେ ପୁଲିସ ସହରରେ ପାଟ୍ରୋଲିଙ୍ଗ କରୁଥିଲା । ଏହି ସମୟରେଖୋର୍ଦ୍ଧା-ବାଜପୁର ରାସ୍ତାର ଜୟଗୁରୁ ଆଶ୍ରମର ବାମପାଶ୍ୱର୍ ଏକ ଜଙ୍ଗଲିଆ ସ୍ଥାନରେ ଏକ ଅଟୋରେ ୫ ଦୁର୍ବୃତ୍ତ ଥିବା ସେମାନେ ଦେଖିବା ପରେ ତାକୁ ଅଟକାଇ ପଚରାଉଚରା କରିଥିଲେ । କିନ୍ତୁ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଅଟୋ ଯାଞ୍ଚ କରିଥିଲେ । ଉକ୍ତ ସମୟରେ ସେମାନଙ୍କ ନିକଟରୁ ଡ଼କାୟତିରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସମେତ ଘଟଣାସ୍ଥଳରୁ ୫ ଜଣଙ୍କୁ ଧରି ଥାନାକୁ ଆଣିଥିଲେ । ଥାନାରେ ସେମାନେ ସ୍ଥାନୀୟ ଅଞ୍ଚଳରୁ ଡ଼କାୟତି ନେଇ ଯୋଜନା କରୁଥିବା କଥାକୁ ସ୍ୱୀକାର କରିଥିଲେ । ପୁଲିସ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.