ନାବାଳିକା ଅପହରଣକାରୀ ଦିବ୍ୟାଙ୍ଗ ଯୁବକ ଗିରଫ

Get real time updates directly on you device, subscribe now.

ନୟାଗଡ : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ଶୁକ୍ରବାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି ପୋଲିସ । ଏଥିସହିତ ଅପହରଣ କରି ନାବାଳିକାମାନଙ୍କୁ ଭିକ୍ଷାବୃତ୍ତିରେ ଲଗାଉଥିବା ଦିବ୍ୟାଙ୍ଗ ଯୁବକକୁ ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଶଙ୍କର ଭୋଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ନାଁରେ ସଂଘାତିକ ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ହେବାର ଫାଇଦା ଉଠାଇ ବିଭିନ୍ନ ଅଞ୍ଚଳରୁ ଛୋଟଛୋଟ ଝିଅମାନଙ୍କର ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଇ ସହଜ ଉପାୟରେ ପଇସା ରୋଜଗାର କରୁଥିଲା ଶଙ୍କର । ଶଙ୍କର ନାମରେ ରାଜ୍ୟର ବିଭିନ୍ନ ଥାନାରେ ୬ରୁ ଅଧିକ ନାବାଳିକା ଅପହରଣ ମାମଲା ରହିଛି ।
ଗତ ୬ ତାରିଖରେ ନୟାଗଡ ଜିଲ୍ଲା ଚାନ୍ଦପୁର ସହରରେ ଭାଇ ସହ ଖେଳୁଥିବା ସମୟରେ ଜଣେ ନାବାଳିକାକୁ ଅପହରଣ କରିନେଇଥିଲା ଶଙ୍କର । ନାବାଳିକାର ପରିବାର ଲୋକେ ଖୋଜାଖୋଜି କରି ନପାଇବାପରେ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଏକ ବିଦ୍ୟାଳୟର ସିସିଟିଭିରୁ ତଥ୍ୟ ପାଇବା ପରେ ପୋଲିସ ୪ଟି ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ନାବାଳିକାକୁ ଧରି ଭିକ୍ଷା ମାଗୁଥିବା ସମୟରେ ନୟାଗଡ ପୋଲିସ ଶଙ୍କରକୁ ଧରିଥିଲା ।
ବିଭିନ୍ନ ରେଳଷ୍ଟେସନ, ବସଷ୍ଟାଣ୍ଡ, ଡାକ୍ତରଖାନା ପରିସରରେ ସେ ଭିକ୍ଷାବୃତ୍ତି କରିଥାଏ ବୋଲି ଏସପି କହିଛନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଏବଂ ସାଥିରେ ଜଣେ ନାବାଳିକା ରହୁଥିବାରୁ ଶଙ୍କର ଲୋକଙ୍କ ଅନୁକମ୍ପା ପାଇବାରେ ସକ୍ଷମ ହେଉଥିଲା ।
ଅପହରଣରେ ଅନ୍ୟ କାହାର ହାତ ରହିଛି କି ନାହିଁ ଅପହରଣ ପଛରେ କେବଳ ଭିକ୍ଷାବୃତ୍ତି ନା ଆଉ କିଛି ରହିଛି ତାହାର ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons