କୋରାପୁଟ,(ବି.ବି.ନ୍ୟୁଜ୍): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଉତ୍ପାଦିତ ଜୈବିକ ହଳଦୀ କନ୍ଧମାଳ ହଳଦୀର ମାନଠାରୁ ଢେର୍ ଗୁଣ ଭଲ । ଦିଲ୍ଲୀର ଏଗ୍ଗାଓଁ ନାମକ ଏକ ବ୍ୟବସାୟିକ ସଂସ୍ଥା ଏହି ହଳଦୀ ମାନ ପରୀକ୍ଷା କରିବା ପରେ ଏହା କହିଛି । ତେଣୁ ଲକ୍ଷ୍ମୀପୁର ହଳଦୀକୁ ଦିଲ୍ଲୀ ନେବା ଲାଗି ଆଗ୍ରହ ପ୍ରକାଶ କରିଛି । କୋରାପୁଟ ବନ ବିଭାଗ ସହାୟତାରେ ୨୦ ଟନ୍ ହଳଦୀ ସେଠାକୁ ପଠାଯିବ । ଏବେସୁଦ୍ଧା ବନ ବିଭାଗ ସହାୟତାରେ ଲକ୍ଷ୍ମୀପୁର ଟିମାଝୋଲା ବନସୁରକ୍ଷା ସମିତି କ୍ଲଷ୍ଟର ଅଞ୍ଚଳର ୧୭ଟି ଗାଁର ଚାଷୀଙ୍କଠାରୁ ୧୦ ଟନ ହଳଦୀ କିଣାସରିଛି । ବଳକା ହଳଦୀ ସଂଗ୍ରହ ଲାଗି ଚାଷୀମାନଙ୍କ ସହିତ ଆଲୋଚନା ସରିଛି । ଆସନ୍ତା ବର୍ଷରୁ ଚାଷୀଙ୍କଠାରୁ ଅଧିକ ହଳଦୀ କିଣାଯିବ ବୋଲି କହିଛନ୍ତି ଡିଏଫ୍ଓ ପୂର୍ଣ୍ଣିମା ପାଣ୍ଡିଆନ ।
କୁନ୍ଦୁଲି ଅଦା ଭଳି ଏବେ ଲକ୍ଷ୍ମୀପୁରର ଜୈବିକ ହଳଦୀର ଚାହିଦା ବଢୁଛି । ଫୁଲବାଣୀ ଚାଷୀଙ୍କଠାରୁ ହଳଦୀ କେଜି ୬୫ ଟଙ୍କାରେ କିଣାଯାଉଥିବା ବେଳେ ଲକ୍ଷ୍ମୀପୁରର ଚାଷୀ ପାଇବେ ୧୧୦ ଟଙ୍କା । ଏବେ ଚାଷୀଙ୍କଠାରୁ କେଜି ୯୦ ଟଙ୍କାରେ ବନ ବିଭାଗ ହଳଦୀ କିଣିଛି । ଦିଲ୍ଲୀର ବ୍ୟବସାୟିକ ସଂସ୍ଥା ହଳଦୀ ନେବା ପରେ ବଳକା ଅର୍ଥ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଫେରିବ ବୋଲି କହିଛନ୍ତି ଡିଏଫ୍ଓ । ଲକ୍ଷ୍ମୀପୁର ଅଞ୍ଚଳର ଚାଷୀମାନେ ପାରମ୍ପରିକ ଜୈବିକ ପଦ୍ଧତିରେ ଏହି ଚାଷ କରି ଆସୁଛନ୍ତି । ତେଣୁ ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାକାର ହଳଦୀର ଗୁଣବତ୍ତା ଏବଂ ସ୍ୱାଦ ଅଧିକ । ଲକ୍ଷ୍ମୀପୁର ବ୍ଲକର ଟିମାଝୋଲା ଅଞ୍ଚଳରେ ହଳଦୀ ଚାଷକୁ ଏକ ପ୍ରମୁଖ ଲାଭଦାୟକ ଚାଷ ଭାବେ ଗ୍ରହଣ କରିଛନ୍ତି ଚାଷୀ । ଆଗରୁ ସେମାନଙ୍କୁ ଉଚିତ ଦର ମିଳୁନଥିଲା । ଚଳିତବର୍ଷ ବନ ବିଭାଗ ଏହି ହଳଦୀର ବାହାର ବଜାର ସୁବିଧା ପାଇଁ ଅଣ୍ଟା ଭିଡ଼ିଛି । ଚାଷୀମାନେ ମଧ୍ୟ ହଳଦୀ ବିକ୍ରି କରିବାକୁ ବନ ବିଭାଗ ସହ ଯୋଗାଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.