ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି

Get real time updates directly on you device, subscribe now.

ଭୁବନେଶ୍ୱର: ବିଶ୍ୱବଜାରରୁ ଟିକା କିଣିବାକୁ ବାଟ ବାହାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ନେଇ ସେ ଉଦ୍ୟମ କରିବା ସହ ସମସ୍ତଙ୍କ ପାଖକୁ ଚିଠି ଲେଖିଛନ୍ତି । ଯେଉଁ ରାଜ୍ୟ ଟିକା କିଣିବାକୁ ଚାହୁଁଛି, ସେଥିରେ କେନ୍ଦ୍ର ସହଯୋଗ କରୁ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡ଼ିକୁ ବଣ୍ଟନ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟଗୁଡ଼ିକ ସହମତ ହେଲେ ଟିକାକରଣ ବ୍ୟାପକ ହୋଇପାରିବ । ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଏହାଛଡ଼ା ଟିକାକରଣକୁ ଅଧିକ ସରଳୀକରଣ କରିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରମାନେ ନିଅନ୍ତୁ । ଦଳ ମତ ନିର୍ବିଶେଷରେ ରାଜ୍ୟଗୁଡ଼ିକ ସହମତ ହୋଇ କେନ୍ଦ୍ରକୁ ଏ ପ୍ରସ୍ତାବ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି, ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ଦ୍ୱିତୀୟ ଲହରରେ କିଏ ପରିବାର ସଦସ୍ୟଙ୍କୁ ହରାଇଛି ତ କିଏ ଆତ୍ମୀୟସ୍ୱଜନଙ୍କୁ । କିଏ ଚାକିରି ହରାଇଛି, କିଏ ବ୍ୟବସାୟରେ କ୍ଷତି ସହିଛି । ଲୋକମାନେ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ । ଭବିଷ୍ୟତରେ ଆସିବାକୁ ଥିବା କରୋନର ଲହର ଓ ଜୀବନକୁ ସୁରକ୍ଷା ଦେବାକୁ ଏକମାତ୍ର ଅସ୍ତ୍ର ହେଉଛି ଟିକା । ବିଦେଶୀ ରାଷ୍ଟ୍ରଗୁଡ଼ିକ ଟିକାକରଣକୁ ଅଗ୍ରାଧିକାର ଦେଇ କୋଭିଡ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଯୁଦ୍ଧକାଳୀନ ଭାବେ ଟିକାକରଣ ଅଭିଯାନ ଆରମ୍ଭ ନକରିଛନ୍ତି, ସେ ଯାଏ ଲୋକମାନେ ସୁରକ୍ଷିତ ନୁହନ୍ତି । ତେଣୁ ରାଜ୍ୟ ସରକାରମାନେ ଟିକାକରଣକୁ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ଅପେକ୍ଷା ଯଥାଶୀଘ୍ର କିଭଳି ସମସ୍ତଙ୍କୁ ଟିକା ମିଳିବ ସେ ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୧୮ ରୁ ଉଧ୍ୱର୍ ବୟସର ବ୍ୟକ୍ତିଙ୍କ ଟିକାକରଣ ବାବଦରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଟିକାର ଆବଶ୍ୟକତା ବଢିଛି । ଆମ ଦେଶରେ ଉପôାଦିତ ଟିକା ଏ ଚାହିଦା ପୂରଣ କରିବାରେ ଅସମର୍ଥ । ଟିକାର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । ତେବେ ଟିକା ପ୍ରସ୍ତୁତ କରୁଥିବା ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ସହିତ ଟିକା କାରବାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଓ ଗ୍ୟାରେଣ୍ଟି ଚାହୁଁଛନ୍ତି । ଆନ୍ତର୍ଜାତିକ ଟିକା ଉପôାଦକାରୀ ସଂସ୍ଥା ସିଧାସଳଖ ରାଜ୍ୟ ସରକାରମାନଙ୍କ ସହ ଟିକା କାରବାର କରିବାକୁ ଚାହୁଁ ନାହାନ୍ତି । ତେଣୁ ଏ ସମସ୍ୟାର ସମାଧାନ ଏବେ କେନ୍ଦ୍ର ସରକାରଙ୍କ ହାତରେ । କେନ୍ଦ୍ର ବହୁରାଷ୍ଟ୍ରୀୟ ଟିକା ଉପôାଦନାକରୀ ସଂସ୍ଥାଠାରୁ ଟିକା କିଣି ରାଜ୍ୟଗୁଡ଼ିକୁ ଦିଅନ୍ତୁ । ଏହାଦ୍ୱାରା ରାଜ୍ୟଗୁଡ଼ିକ ଟିକାକରଣ ଅଭିଯାନକୁ ଆହୁରି ତେଜିପାରିବେ । ଓଡିଶା ମଧ୍ୟ ବିଶ୍ୱବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲା । ସେଥିରେ ବିଶେଷ ସଫଳତା ନମିଳିବାରୁ ରାଜ୍ୟ ପାଇଁ କେନ୍ଦ୍ର ବିଶ୍ୱବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇଦେବାକୁ ଗତକାଲି ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟରେ ଟିକାକରଣକୁ ସାର୍ବଜନୀନ କରିବାକୁ କେନ୍ଦ୍ର ସରକାର ସର୍ତ୍ତ କୋହଳ କରନ୍ତୁ । ଟିକାକରଣର ବିକେନ୍ଦ୍ରୀକରଣ ସହ ଏ ସଂପର୍କରେ ରାଜ୍ୟ ସରକାରମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଦୁର୍ଗମ, ପାହାଡ଼ିଆ ଅଞ୍ଚଳରେ ଟିକାକରଣ ହୋଇପାରିବ । ଟିକା ପାଇଁ ପଞ୍ଜୀକରଣକୁ ବାଦ୍ ଦେବାକୁ ମଧ୍ୟ ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ।
ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଦର୍ଶାଇଛନ୍ତି, ଏ ପ୍ରସଙ୍ଗରେ ରାଜ୍ୟ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି । ବ୍ୟକ୍ତିଗତ ଭାବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛି । ସ୍ୱାଧୀନତା ଆନେ୍ଦାଳନ ପରେ ଦେଶ ଏବେ ସବୁଠାରୁ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛି । ଲୋକମାନଙ୍କ ଜୀବନ ରକ୍ଷା ପାଇଁ ଆମେ ମାନେ ଏକାଠି ହେବାର ସମୟ ଆସିଛି । ସଂଘୀୟ ଗଣତନ୍ତ୍ରରେ ଆମେମାନେ ଏକ ନିର୍ଯାସରେ ପହଞ୍ଚିପାରିଲେ ଦେଶକୁ ବଡ଼ ସଂକଟରୁ ମୁକୁଳାଇ ପାରିବା ବୋଲି ନବୀନ ଆହ୍ୱାନ ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons