ଲମତାପୁଟ: କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର ଲମତାପୁଟର ଆଶାକିରଣ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି । ଏଠାରେ ୧୫ଟି କୋଭିଡ୍ ବେଡ୍ ବ୍ୟବସ୍ଥା ଥିବାବେଳେ ଉପାନ୍ତ ଅଞ୍ଚଳରେ ଚିକିତ୍ସା କିପରି ଚାଲିଛି ତାହା ବୁଲି ଦେଖିଥିଲେ । ଗୁରୁତର ରୋଗୀଙ୍କୁ କିଭଳି ଅକ୍ସିଜେନ୍ ଦିଆଯାଉଛି ଏବଂ କୋଭିଡ୍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ଜୟପୁର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲପାଳ ଶ୍ରୀ ଅଖତର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଡାକ୍ତର ମାଥୁ୍ୟ ଚୋକୋ, ଡାକ୍ତର ରବି, ଡାକ୍ତର ବିନୋଦ, ବିଡିଓ ସୌମ୍ୟସାର୍ଥକ ମିଶ୍ର, ଜିପିଓ ଶ୍ରୀନିବାସ ପଟ୍ଟନାୟକଙ୍କ ସହ ମିଳିତ ବୈଠକ କରିଥିଲେ । କୋଭିଡ୍ ରୋଗୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କେଉଁ ସବୁ ସହାୟତା ଦରକାର ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ସେଠାରୁ ଲମତାପୁଟ ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇ ଡିଜିଟାଲ୍ କ୍ଲାସ୍ରୁମ୍ ଦେଖିବା ସହ ବିଭିନ୍ନ କ୍ଲାସରୁମ୍ର ନୂଆ ଛପର ପକାଉଯାଉଥିବା କାମ ତଦାରଖ କରିଥିଲେ । ସେ ହାଇସ୍କୁଲ୍ର ଖେଳପଡ଼ିଆ ଓ ଲାଇବ୍ରେରୀ ରୁମ୍ ବୁଲି ଦେଖିଥିଲେ । ବିଦ୍ୟାଳୟ ପରିସରରେ ବିପଦପୂର୍ଣ୍ଣ କୋଠାକୁ ଭାଙ୍ଗିଦେବା ପାଇଁ ଜିଲ୍ଲାପାଳ ଅଖତର ନିଦେ୍ର୍ଧଶ ଦେଇଥିଲେ । ସେଠାରୁ ବାଙ୍ଗୁରୁପଡ଼ା ଓ ଖଡ଼ାପୁଟ ଯାଇ କୁକୁଡ଼ା ଓ ତରଭୁଜ ଚାଷ ଦେଖିଥିଲେ । ପ୍ରଦାନ ସ୍ୱେଚ୍ଛାସେବୀ ଏସବୁ ଚାଷକୁ ପ୍ରୋତ୍ସାହନ ଦେଉଥିବାରୁ ଶ୍ରୀ ଅଖତର ଜିଲ୍ଲାପ୍ରଶାସନ ତରଫରୁ ଯେ କୌଣସି ସହାୟତା ଦରକାର ହେଲେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.