ବାଲିଆପାଳ: ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର ଉପସଭାପତି ଭାବେ ପ୍ରମୋଦ କୁମାର ସିଂ ୨୦୦୭ ମସିହାରୁ ଏଠାରେ କାର୍ଯ୍ୟ କରିଆସୁଥିଲେ । ବନ୍ଦର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସହିତ ସମସ୍ତ ସରକାରୀ କାର୍ଯ୍ୟ ସେ ବୁଝାବୁଝି କରୁଥିଲେ । ଏବେ ବନ୍ଦର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଦ୍ରୁତଗତିରେ ଆଗଉଥିବା ବେଳେ ଶ୍ରୀ ସିଂ ଭୁବନେଶ୍ୱରଠାରେ ନାବାଳିକା ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ହୋଇ ଚନ୍ଦ୍ରଶେଖରପୁର ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ସିଂ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଗୃହରେ କାମ କରିବା ପାଇଁ ଜଳେଶ୍ୱର ଖାନ୍ନା ଅଞ୍ଚଳର ୧୨ ବର୍ଷର ଜଣେ ନାବାଳିକାଙ୍କୁ ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗ୍ରାମର ଗଙ୍ଗାଧର ଦାସଙ୍କ ମାଧ୍ୟମରେ ନେଇଥିଲେ । ୨୦୧୮ ମସିହା ଜୁନ ୩ ତାରିଖ୍ ତାଙ୍କ ପରିବାରର କେହିନଥିବା ସୁଯୋଗରେ ଶ୍ରୀ ସିଂ ଉକ୍ତ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ପୁଣି ସେହିଦିନ ରାତ୍ରିରେ ଝିଅଟିର ଇଚ୍ଛା ବିରୋଧରେ କୁକର୍ମ କରିଥିଲେ । କିଛିଦିନ ଧରି ବାରମ୍ବାର ଏଭଳି ଅଶ୍ଳୀଳ ଆଚରଣର ଶିକାର ହୋଇ ଝିଅଟି ଅତିଷ୍ଟ ହୋଇପଡ଼ିଥିଲା । ଦିନେ ଶ୍ରୀ ସିଂଙ୍କ ପରିବାରର ସମସ୍ତ ସଦସ୍ୟ ବାହାରକୁ ଯାଇଥିବା ବେଳେ ଝିଅଟି ସେଠାରୁ କୌଶଳରେ ଖସି ଆସି ନିକଟସ୍ଥ ଚନ୍ଦ୍ରଶେଖରପୁର ବସ୍ତିର କିଛି ମହିଳାଙ୍କ ପାଖରେ ସମସ୍ତ ବିଷୟ ବର୍ଣ୍ଣନା କରିଥିଲା । ବସ୍ତିର ରୁପା ସିଂ ଏବଂ ଅନ୍ୟ ମହିଳାମାନେ ଚନ୍ଦ୍ରଶେଖରପୁର ଥାନାକୁ ଝିଅଟିକୁ ନେଇ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନା କେଶ ନଂ ୨୨୮/୧୮ରେ ଏକ ମାମଲା ରୁଜୁ ହୋଇ ଝିଅଟିର ଡାକ୍ତରୀ ପରୀକ୍ଷା ହେବା ସହିତ ସମସ୍ତ ଲୁଗାପଟା ଜବତ ହୋଇଥିଲା । ତେବେ ଶ୍ରୀ ସିଂ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଉଚ୍ଚସ୍ତରରେ ତାଙ୍କର ବେଶ ଖାତିର ଥିବାରୁ ଏତେଦିନ ଧରି ପୁଲିସ ତାଙ୍କୁ ଗିରଫ କରିନଥିଲା । ଶେଷରେ ମେ ୩୦ ତାରିଖରେ ଶ୍ରୀ ସିଂ ଗିରଫ ହୋଇଥିବା ଜଣାଯାଇଛି । ଝିଅଟି ଏବେ ଭଦ୍ରକର ଆଶିୟାନା ସ୍ୱେଚ୍ଛାସେବୀ ସଙ୍ଗଠନର ଆଶ୍ରୟସ୍ଥଳୀରେ ରହିଥିବା ପରିବାର ସୂତ୍ରରୁ ଜଣାଯାଇଛି । ଅଭିଯୁକ୍ତ ସିଂଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଝିଅଟିର ମା’, ଦାଦା ଏବଂ ଅଜା ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.