ବିନା ହ୍ୟାଣ୍ଡଲିଂରେ ଉଠିଲାଣି ୩ ଲକ୍ଷ କ୍ୱିଣ୍ଟାଲ ଧାନ

Get real time updates directly on you device, subscribe now.

ଜୟପୁର: ରବି ମଣ୍ଡି ପରିଚାଳନାରେ ଅନିୟମିତତା । ପ୍ରଥମରୁ ବାହାରିଲାଣି ଦୁର୍ନୀତିର ଗନ୍ଧ । ବିନା ହ୍ୟାଣ୍ଡଲିଂରେ ଏ ଭିତରେ ଉଠିସାରିଲାଣି ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ଧାନ । ସବୁ ଜାଣି ଯୋଗାଣ ବିଭାଗ ଏବଂ ସମବାୟ ସମିତି ସମୂହ ନିରବ । ପ୍ରତିବର୍ଷ ଏଭଳି ବିନା ହ୍ୟାଣ୍ଡଲିଂର ଧାନ କିଣାଯାଉଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନାହଁ । ପରେ ମାଲାମାଲ୍ ହେଉଛନ୍ତି ମିଲର୍ ଏବଂ ବିଭାଗୀୟ କେତେକ ଅସାଧୁ ଅଧିକାରୀ । କାରଣ ହ୍ୟାଣ୍ଡଲିଂ ପାଇଁ ଟଙ୍କାଟିଏ ଖର୍ଚ୍ଚ ନକରି ମିଲର୍ସ ଲକ୍ଷ ଲକ୍ଷ ଟଙ୍କା ମୁନାଫା ପାଉଛନ୍ତି । ଏ ବାବଦରେ ଅସାଧୁ ଅଧିକାରୀ ମଧ୍ୟ ବିଲ୍ ପାସ୍ କରି ହାତ ଚିକ୍କଣ କରୁଛନ୍ତି । ମଣ୍ଡି ହ୍ୟାଣ୍ଡଲିଂ ବାବଦରେ ବିଲ୍ ଦାଖଲ କରୁ କରୁ ତାହା ପାସ୍ ହୋଇଯାଉଛି । ଏହାର ଅନେକ ନଜୀର ରହିଛି । ଏବର୍ଷ ମଧ୍ୟ ଅନୁରୂପ ଘଟଣା ଘଟିଛି ମଣ୍ଡିରେ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ସିଧାସଳଖ ଅଭିଯୋଗ କରିଛନ୍ତି, ଚଳିତବର୍ଷ ମଣ୍ଡି ହ୍ୟାଣ୍ଡଲିଂ ହେଉନାହିଁ । ତେଣୁ ମିଲର୍ସଙ୍କୁ ଏ ବାବଦରେ କୌଣସି ପ୍ରାପ୍ୟ ପ୍ରଦାନ କରାନଯାଉ ।
ମଣ୍ଡି ପରିଚାଳନା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ରହିଛି । ଟୋକନ ମିଳିବା ପରେ ଚାଷୀ ସେହି ପରିମାଣରେ ଧାନ ମଣ୍ଡିକୁ ଆଣିବେ । ଚାଷୀ ନିଜ ଖର୍ଚ୍ଚରେ ପରିବହନ, ଲୋଡିଂ ଏବଂ ଅନ୍ଲୋଡିଂ କରିବେ । ମଣ୍ଡିକୁ ଧାନ ଆଣି ଅନ୍ଲୋଡ କଲା ପରେ ଚାଷୀର ଦାୟିତ୍ୱ ଶେଷ । ଏହା ପରେ ମଣ୍ଡି ହ୍ୟାଣ୍ଡଲିଂ ଦାୟିତ୍ୱ ମିଲରଙ୍କର । ଏଥିପାଇଁ ସରକାର କୁଇଣ୍ଟାଲ ପିଛା ଦର ଧାର୍ଯ୍ୟ କରିଛନ୍ତି । ଚାଷୀ ଆଣିଥିବା ଧାନକୁ ମିଲର୍ ନିଯୁକ୍ତି କରିଥିବା ଶ୍ରମିକମାନେ ବସ୍ତାରୁ ଖୋଲି ବାହାର କରିବେ । ଏଫ୍ଏକୁ୍ୟ ମାନ ପରୀକ୍ଷା ପାଇଁ ଆରଏମ୍ସି କର୍ମଚାରୀଙ୍କୁ ଦେବେ । ଧାନକୁ ମିଲର୍ସଙ୍କ ବସ୍ତାରେ ଭର୍ତ୍ତି କରି ସିଲେଇ କରିବେ । ଏହାକୁ ୫୦ କେଜି ହିସାବରେ ଓଜନ କରି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବେ । ପରେ ମିଲର୍ସଙ୍କ ଗାଡିରେ ଏହାକୁ ଲୋଡିଂ କରିବେ । କିନ୍ତୁ ଚଳିତ ମଣ୍ଡିରେ ଏହା ଦେଖିବାକୁ ମିଳୁନି । ଅଧିକାଂଶ ମଣ୍ଡିରେ ଧାନ ସିଧାସଳଖ ଚାଷୀଙ୍କ ନିକଟରୁ ମିଲରଙ୍କ ଗାଡିରେ ଆସୁଛି । ଆଉ କେତେକ ମଣ୍ଡିରେ ଚାଷୀଙ୍କ ଗାଡିରୁ ଆସିଥିବା ଧାନ ସିଧାସଳଖ ମିଲରଙ୍କ ଟ୍ରକ୍ରେ ଲୋଡିଂ କରାଯାଉଛି । ଏଥିରେ ମିଲର୍ସଙ୍କର ଟଙ୍କାଟିଏ ହେଲେ ଖର୍ଚ୍ଚ ହେଉନି । ପ୍ରତି ମଣ୍ଡିରେ ଏବେ ହାଣ୍ଡଲିଂ ହେଉନି । କିନ୍ତୁ ସରକାରଙ୍କଠାରୁ ମିଲର୍ମାନେ ଲକ୍ଷ ଲକ୍ଷ ଟଙ୍କା ପାଉଛନ୍ତି ଏ ବାବଦରେ ।
ସିଧାସଳଖ କହିବାକୁ ଗଲେ ମଣ୍ଡି ହ୍ୟାଣ୍ଡଲିଂ ବାବଦରେ ପ୍ରତି ମଣ୍ଡିରେ ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା ହେଉଛି । ଅନ୍ୟ ପକ୍ଷରେ ମିଲର୍ସ ନିଜେ ବସ୍ତା ଆଣି ଧାନ ଉଠାଇବା ପରେ ଚାଷୀଙ୍କୁ ସେମାନଙ୍କ ବସ୍ତା ଫେରାଇବା କଥା । କିନ୍ତୁ ଜଣେ ବି ଚାଷୀଙ୍କ ବସ୍ତା ଫେରସ୍ତ ଦିଆଯାଉନାହିଁ । ଏଭଳି ପ୍ରତିବର୍ଷ ମଣ୍ଡିରେ ମିଲର୍ସ ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ଦିଗରେ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବେ । ଉପନିବନ୍ଧକ ସମବାୟ ସମିତି ସମୂହ ଭବାନୀ ପ୍ରସାଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ସେ ଫୋନ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରିନି ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons