ରାଜଗାଙ୍ଗପୁର: ଡ୍ୟାମ୍ କୂଳରେ ଛିଡ଼ା ହେବା ସହ ହାତ ଧରାଧରି ହୋଇ ମୋବାଇଲରେ ନେଉଥିଲେ ସେଲ୍ଫି । ଏହି ସେଲ୍ଫି ସେମାନଙ୍କ ପାଇଁ କାଳ ହେବ ବୋଲି କେହି ଭାବି ନଥିଲେ । ହଠାତ ଭାରସାମ୍ୟ ହରାଇ ଡ୍ୟାମ୍ ଭିତରକୁ ଖସି ପଡ଼ିଥିଲେ ଦୁଇ ଯୁବକ । ଗଭୀର ପାଣିରେ ବୁଡ଼ି ଯାଇ ଦୁଇ ଯୁବକଙ୍କ ଘଟିଛି ମୃତୁ୍ୟ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂସବାହାଲ ଡ୍ୟାମ୍ରେ । ୪ ଜଣ ସାଙ୍ଗ ଏହି ଡ୍ୟାମକୁ ରାଉରକେଲାରୁ ଯାଇଥିଲେ ବୁଲିବାକୁ । ମୃତ ଯୁବକ ଦ୍ୱୟ ହେଲେ ରାଉରକେଲା ବାସନ୍ତୀ କଲୋନୀ ନିବାସୀ ପ୍ରମୋଦ ପରିଡ଼ା (୩୭) ଓ ଅନ୍ୟ ଜଣେ ଡିଏଭି ଗଳି ପ୍ଲାଣ୍ଟସାଇଟ୍ ଅଞ୍ଚଳର ସୁମନ୍ତ ଦେ (୨୫) ବୋଲି ଜଣାପଡ଼ିଛି ।
ରାଉରକେଲା ଅଞ୍ଚଳର କୁମାର ବାରିକ ଆଜି ନିଜ ୩ଜଣ ସାଙ୍ଗ ପ୍ରମୋଦ, ସୁମନ୍ତ, ଦିନେଶ ସିଂ (୪୦) ଓ ଫତେ ସିଂଙ୍କ ସହ କାଂସବାହାଲ ଆସିଥିଲେ । ଏଲ୍ଏଣ୍ଡଟି କଲୋନୀରେ ଥିବା ନିଜ ଶ୍ୱଶୁର ଘରକୁ କୁମାର ବାରିକ ସାଙ୍ଗମାନଙ୍କୁ ନେଇ ବୁଲିବାକୁ ଯାଇଥିଲେ । ସେଠାରେ ଖାଇବା ଡେରି ହେବାରୁ ସେମାନେ ସମସ୍ତେ ନିକଟରେ ଥିବା କାଂସବାହାଲ ଡ୍ୟାମକୁ ବୁଲିବାକୁ ବାହାରିଥିଲେ । ଡ୍ୟାମ୍ର ପାଣି ନିଷ୍କାସନ ପାଇଁ ଥିବା ମୁଖ୍ୟ ଗେଟ୍ ନିକଟରେ ଗଭୀର ପାଣି ରହିଥିବା ସ୍ଥାନରେ ହାତ ଧରାଧରି ହୋଇ ମୋବାଇଲରେ ସେଲ୍ଫି ନେବା ସମୟରେ ଅସାବଧାନତା ବଶତଃ ତିନି ଜଣ ଫତେ ସିଂ, ପ୍ରମୋଦଓ ସୁମନ୍ତ ପାଣିରେ ପଡ଼ି ଯାଇଥିଲେ । ଫତେ ଗଭୀର ପାଣିରୁ ପହଁରି ନିଜ ଜୀବନ ବଞ୍ଚାଇ ଥିବା ବେଳେ ପାଟି ଶୁଣି ପାଖରେ ମାଛ ଧରୁଥିବା ସ୍ଥାନୀୟ ଗ୍ରାମବାସୀ ଆସି କିଛି ସମୟ ପରେ ପ୍ରମୋଦଙ୍କୁ ପାଣିରୁ ଉଦ୍ଧାର କରିଥିଲେ । କିନ୍ତୁ ସୁମନ୍ତଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ପ୍ରମୋଦଙ୍କୁ ତୁରନ୍ତ ସେଠାରୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ନିଖୋଜ ସୁମନ୍ତଙ୍କ କୌଣସି ପତ୍ତା ମିଳିନଥିଲା । ଘଟଣା ସମ୍ପର୍କରେ କାଂସବାହାଲ ଫାଣ୍ଡି ଅଧିକାରୀ ବିଜୟ ସିଂଙ୍କ ଠାରୁ ଖବର ପାଇ ରାଜଗାଙ୍ଗପୁର ଏସ୍ଡିପିଓ ଡ. ଶାଶଙ୍କ ଶେଖର ବେଉରା, ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ, ରାଜଗାଙ୍ଗପୁର ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ପାନପୋଷ ଅଗ୍ନିଶମ ବିଭାଗ ମଧ୍ୟ ସେଠାରେ ପହଞ୍ଚି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଖୋଜା ଖୋଜି କରିବା ପରେ ସଂଧ୍ୟା ୬ଟା ସମୟରେ ସୁମନ୍ତଙ୍କ ମୃତ ଶରୀରକୁ ଗଭୀର ପାଣି ଭିତରୁ ଉଦ୍ଧାର କରିଥିଲେ । ମୃତ ଦେହକୁ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଏହି ଘଟଣା ରାଉରକେଲାରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.