ଜୟପୁର: ସ୍ଥାନୀୟ କୁମ୍ଭାରସାହିରୁ ଆରମ୍ଭ ହେବ ବିଜେଡିର ନୂଆ ରଣନୀତି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ରଣନୀତି ଏଠାରୁ ଆରମ୍ଭ କରିବେ ଦୁଇ ରାଜ୍ୟସ୍ତରୀୟ ନେତା । ଏଥିଲାଗି କୁମ୍ଭାରସାହିରେ ନୂଆ ଘର ନିଆଯାଇଛି । ଆସନ୍ତା ୨୦ ତାରିଖରେ ଗୃହପ୍ରବେଶ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହାକୁ ନେଇ ଏବେ ଜିଲ୍ଲାରେ ବିଜେଡି ରାଜନୀତି ସରଗରମ ହୋଇଛି । ବିଶେଷ କରି ଜୟପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର୍ ଧରିଛି । କୋରାପୁଟ ବଦଳରେ ଜୟପୁର କୁମ୍ଭାରସାହିକୁ କାହିଁକି ଦୁଇ ରାଜସ୍ତରୀୟ ନେତା ଚୟନ କଲେ, ତାକୁ ନେଇ ଚାଲିଛି ଘଣ୍ଟାଚକଟା । ଏ ସମ୍ପର୍କରେ ନିଜ ନିଜ ଭିତରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ନାନା ତର୍କବିତର୍କ । କିନ୍ତୁ କେହିହେଲେ ଏ ସମ୍ପର୍କରେ ପାଟି ଖୋଲୁନାହାନ୍ତି । କେବଳ ଗୋଟିଏ କଥା କହୁଛନ୍ତି, ବିଶ୍ରାମନେବାକୁ ଘର ନିଆଯାଇଛି ।
ମାଲକାନଗିରି ଓ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା କଟକ ବିଧାୟକ ଚନ୍ଦ୍ରସାରଥି ବେହେରା ଏବଂ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଗତ ସପ୍ତାହରେ ଜୟପୁର ଆସିଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ସହ କୁମ୍ଭାରସାହି ଅଞ୍ଚଳରେ ଘର ଖୋଜିଥିଲେ । ସମସ୍ତ ସୁବିଧା ଥିବା ଘର କୁମ୍ଭାରସାହିରେ ଚୟନ କରିଥିଲେ । ଆସନ୍ତା ୨୦ତାରିଖରେ ଗୃହ ପ୍ରବେଶର ସମ୍ଭାବନା ରହିଥିବା ଜଣେ ଦଳୀୟ କର୍ମୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ତାଙ୍କ ସୂଚନା ଅନୁସାରେ, ଏଠାରେ ବିଧାୟକ ଶ୍ରୀ ବେହେରା ଓ ରାଜ୍ୟ ସଂଗଠନ ସମ୍ପାଦକ ବବି ଦାସ ରହିବେ । ମାଲକାନଗିରି ଓ କୋରାପୁଟର ବିଜେଡି ସାଂଗଠନିକ କାର୍ଯ୍ୟ କରିବାକୁ ସୁବିଧା ହେବ । ଏଠାରୁ ବିଜେଡିର ରଣନୀତି ପ୍ରସ୍ତୁତ ହେବ । କୋରାପୁଟ ସର୍କିଟ ହାଉସରେ ରହିବାରେ ଅସୁବିଧା ହେଉଥିବାରୁ ସେମାନେ ଏହି ସ୍ଥାନକୁ ଚୟନ କରିଛନ୍ତି । ଏଥିରେ କୌଣସି ରାଜନୀତି ନାହିଁ । ତେବେ ରାଜ୍ୟସ୍ତରୀୟ ଦୁଇନେତା ଶ୍ରୀ ବେହେରା ଓ ଶ୍ରୀ ଦାସ ଏଠାରେ ରହିବା ପାଇଁ ଘର ଠିକ୍ କରିଥିବା ଖବର ଜଣାପଡିବା ପରେ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି । ଆଜି ପର୍ଯ୍ୟନ୍ତ କୋରାପୁଟରେ ବିଜେଡିର ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଜୟପୁର କାହିଁକି ସ୍ଥାନାନ୍ତର କରାଯାଉଛି, ଏହା ପଛରେ କି ରହସ୍ୟ ରହିଛି-ତାକୁ ନେଇ ଚାଲିଛି ନାନା କଳ୍ପନାଜଳ୍ପନା । କେବଳ ଦେଖିବାର କଥା, ଆଗାମୀ ଦିନରେ ଏହା କି ମୋଡ଼ ନେଉଛି ।
ରିପୋର୍ଟ: ସତ୍ୟ ନାରାୟଣ ସହୁଙ୍କ ସହ ବାସୁଦେବ ଜେନା


Comments are closed, but trackbacks and pingbacks are open.